
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏବେ ଦଳଡିଆଁ ଓ ଟିକେଟ୍ ଆଶାୟୀଙ୍କୁ ସାଂଗଠନିକ ପଦପଦବୀରେ ଥଇଥାନ କରିବାରେ ଲାଗିଛି। ଆଜି ପୁଣି ୩ ଜଣଙ୍କ ନେତାଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ଏଥିରୁ ୨ଜଣ କଂଗ୍ରେସ ଛାଡ଼ି ଗତସପ୍ତାହରେ ବିଜେଡିରେ ଯୋଗ ଦେଇଥିବାବେଳେ ଅନ୍ୟଜଣେ ଦଳୀୟ ଟିକେଟରୁ ବଞ୍ଚିତ ହୋଇଛନ୍ତି। ଆଜିର ଏହି ନିଯୁକ୍ତି ସହ ବିଜେଡିରେ ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ସଂଖ୍ୟା ବୃଦ୍ଧି ପାଇ ୫୮ରେ ପହଞ୍ଚିଛି। ଯାହାକି କଂଗ୍ରେସ କିମ୍ବା ବିଜେପି ଭଳି ଜାତୀୟ ଦଳର ପଦବୀ ସଂଖ୍ୟା ତୁଳନାରେ ଅଧିକ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ଦେବଗଡ଼ର ପୂର୍ବତନ ବିଧାୟକ ସଞ୍ଜୀବ କୁମାର ପ୍ରଧାନଙ୍କ ଉପରେ ରହିଥିବା ନିଲମ୍ବନ ଆଦେଶକୁ ଦଳ ପ୍ରତ୍ୟାହାର କରିନେଇଛି।
ଭୁବନେଶ୍ୱର-ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତିଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ସହ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ସେହିପରି କଂଗ୍ରେସ ଛାଡ଼ି ଗତ ସପ୍ତାହରେ ବିଜେଡିରେ ମିଶିଥିବା ପ୍ରମୋଦ କିଶୋର ଜେନା ଓ ଶାରଦା ପ୍ରସନ୍ନ ଜେନାଙ୍କୁ ମଧ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଛନ୍ତି।
ସେହିପରି ଦେବୀପ୍ରସାଦ ଭୂତିଆ, ହର୍ଷବର୍ଦ୍ଧନ ସିଂହଦେଓ, ଶଶିକୁମାର ସାହୁ ଓ ଦୁର୍ଗା ପ୍ରସାଦ ସାମନ୍ତରାୟଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ସାମନ୍ତରାୟ ଭୁବନେଶ୍ୱର-ଉତ୍ତର ନିର୍ବାଚନମଣ୍ଡଳୀର ସହପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବେ। ସେହିପରି ବିଜେଡି ରାଜ୍ୟ ସମ୍ପାଦକ ସୁଧୀର କୁମାର ଦାସଙ୍କୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନମଣ୍ଡଳୀର ସହ ପର୍ଯ୍ୟବେକ୍ଷକ, ବାଲେଶ୍ୱର ଜିଲ୍ଲା ସହପର୍ଯ୍ୟବେକ୍ଷକ ଭାବେ ସୁଶିଲ ରାୟ, ବାଲେଶ୍ୱର ଜିଲ୍ଲା ବିଜେଡି ଉପସଭାପତି ଭାବେ ଭୁବନାନନ୍ଦ ଦାସ, ଗିରିଶ ଚନ୍ଦ୍ର ଦାସ, ଜିଲ୍ଲା ସମ୍ପାଦକ ଭାବେ ମନୋଜ କୁମାର ରାଉତ, ଆଶୀଷ ଘୋଷ ଓ ଅରୁଣ ଚାଟାର୍ଜୀଙ୍କୁ ନିଯୁକ୍ତି ମିଳିଛି।
ଯୁବ ବିଜେଡି ଉପସଭାପତି ଭାବେ ମିହିର ରଞ୍ଜନ ପରିଡ଼ା ଓ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ଲୋହିତ କୁମାର ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଯୁବ ବିଜେଡି ସଭାପତି ଅମ୍ରେଶ ପତ୍ରୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସହପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଦାୟିତ୍ୱ ମିଳିଛି। ଆଜି ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ଏହି ସୂଚନା ଦିଆଯାଇଛି।
from Odisha Reporter http://bit.ly/2P7zPqi
No comments:
Post a Comment