ଦଳଡିଆଁଙ୍କ ଭୋଟ ନିର୍ଣ୍ଣାୟକ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଦଳଡିଆଁଙ୍କ ଭୋଟ ନିର୍ଣ୍ଣାୟକ ହେବ

ବରଗଡ଼(ଦୀପକ ବର୍ମା): ବରଗଡ଼ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଭଟଲି ଗୋଟିଏ। ୨ୟ ପର୍ଯ୍ୟାୟରେ ଏଠାରେ ହେବ ମତଦାନ। ପ୍ରାର୍ଥୀ ଘୋଷଣା ହେବାପରେ ଏଠାରେ ପ୍ରଚାର ଜୋରଦାର ହୋଇଗଲାଣି। ଏଥର ନିର୍ବାଚନରେ ସ୍ୱାଧୀନରୁ ବିଜେପିକୁ ଡେଇଁଥିବା ସୁଶାନ୍ତ ମିଶ୍ର ଓ ତାଙ୍କ ସମର୍ଥକ ନିର୍ଣ୍ଣାୟକ ହେବେ। ତେଣୁ ତାଙ୍କ ଭୋଟ ଉପରେ ଏବେ ସମସ୍ତଙ୍କ ଆଖି।

ଭଟଲି, ଅମ୍ବାଭୋନ ଓ ସୋହେଲା ବ୍ଲକକୁ ନେଇ ଭଟଲି ବିଧାନସଭା କ୍ଷେତ୍ର ଗଠିତ। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡିର ସୁଶାନ୍ତ ସିଂ ୭୫,୦୭୭ ଭୋଟ ପାଇ ଏଠାରୁ ବିଧାୟକ ହୋଇଥିବା ବେଳେ ତାଙ୍କ ତଳକୁ ସ୍ୱାଧୀନ ପ୍ରାର୍ଥୀ ସୁଶାନ୍ତ ମିଶ୍ର ରହିଥିଲେ। ମିଶ୍ରଙ୍କୁ ମିଳିଥିଲା ୩୭,୪୯୬ ଖଣ୍ଡ ଭୋଟ୍‌। ସେହିପରି ବିଜେପିର ସଉରୀ ଚରଣ ବାରିକ ୨୯,୩୧୬ ଓ କଂଗ୍ରେସର ପ୍ରକାଶ ଚନ୍ଦ୍ର ଦେବତାଙ୍କୁ ୧୦,୫୦୬ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା। 

ସମସ୍ୟା-ଏହି ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ରହିଛି । ରାସ୍ତାଘାଟ, ପାନୀୟ ଜଳ, ଶିକ୍ଷାବ୍ୟବସ୍ଥା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ଅଞ୍ଚଳ ଢେର ପଛରେ। ଚାଷ ଏଠିକା ଲୋକଙ୍କ ମୁଖ୍ୟ ଜୀବିକା ହେଲେ ମଧ୍ୟ ଜଳସେଚନ ସୁବିଧା ନାହିଁ। ଚାଷୀର ଏକମାତ୍ର ଭରସା ଉଠା ଜଳସେଚନ। ହେଲେ ଲୋ ଭୋଲ୍‌ଟେଜ୍‌ ଯୋଗୁ ଏହା ଚାଷୀଙ୍କ କାମରେ ଆସିପାରୁ ନାହିଁ। ମହାନଦୀ ଅଞ୍ଚଳବାସୀଙ୍କ ପାଇଁ ଆଉ ଏକ ଦୁଃଖ। କାରଣ ମହାନଦୀର ପଛୁଆ ପାଣି ଅନେକ ଗାଁରେ ପଶିଯାଏ। ଫଳରେ ଜୀବନଯାତ୍ରା ଦୁର୍ବିସହ ହୋଇପଡ଼େ।

ଇତିହାସ-୧୯୫୭ ମସିହାରୁ ଗଠିତ ଏହି ବିଧାନସଭା ମଣ୍ଡଳୀରେ ସମୁଦାୟ ୧୪ଟି ନିର୍ବାଚନ ସରି ଗଲାଣି।  କଂଗ୍ରେସରୁ ସର୍ବାଧିକ ମୋହନ ନାଗ ୪ ଥର ଏହି ଆସନରୁ ଜିତିଛନ୍ତି। ବିଜେପିରୁ  ବିମ୍ବାଧର କୁଅଁର, ୩ ଥର ଏହି ଆସନରୁ ଜିତି ଆସିଛନ୍ତି। ଏହା ବ୍ୟତିତ କଂଗ୍ରେସ, ବିଜେଡି ଏବଂ କମ୍ୟୁନିଷ୍ଟ ଦଳର ପାର୍ଥୀ ଏହି ଆସନରୁ ୨ ଥର ଲେଖାଏ ଜିତି ଆସିଛନ୍ତି। ୨୦୦୦ ପର୍ଯ୍ୟନ୍ତ ଏହି ଆସନ କଂଗ୍ରେସ୍‌ର ଗଡ଼ଥିଲା। ହେଲେ ତା ପରଠାରୁ ଏହି ଗଡ଼ ଭୁଶୁଡି ପଡ଼ିଛି। ୨୦୦୦ ଏବଂ ୨୦୦୪ରେ ଏହି ଆସନ ବିଜେପି ହାତକୁ ଯାଇଥିବାବେଳେ ୨୦୦୯ ଏବଂ ୧୪ରେ ଏହି ଆସନ ବିଜେଡି ଖାତାକୁ ଯାଇଛି। ଏବେ ବିଜେଡିର ସୁଶାନ୍ତ ସିଂ ଏଠାରେ ବିଧାୟକ ଅଛନ୍ତି।

ବିଜେଡି-୨୦୦୯ ଏବଂ ୧୪ରେ ଏହି ଆସନରୁ ଜିତି ଆସୁଛନ୍ତି ସୁଶାନ୍ତ ସିଂ। ମନ୍ତ୍ରୀପଦ ମଧ୍ୟ ଅଳଙ୍କୃତ କରିଛନ୍ତି। ୨ ଥର ବିଜୟୀ ହେବା ପରେ ଏଠାରେ ତାଙ୍କର ଦବ୍‌ଦବା ଢେର ଅଧିକ। ତେଣୁ ଦଳ ପକ୍ଷରୁ ତାଙ୍କୁ ଏଥର ମଧ୍ୟ ପ୍ରାର୍ଥୀ କରାଯାଇଛି। ଗତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ସୁଶାନ୍ତ ମିଶ୍ରଙ୍କ ସହ ତାଙ୍କର କଡ଼ା ମୁକାବିଲା ହୋଇଥିଲା। ହେଲେ ଏଥର ସୁଶାନ୍ତ ମିଶ୍ର ବିଜେପିରେ ସାମିଲ ହୋଇ ଯାଇଛନ୍ତି। ଯଦିଓ ସେ ପ୍ରାର୍ଥୀ ହୋଇ ନାହାନ୍ତି ତେବେ ବିଜେପି ପ୍ରାର୍ଥୀଙ୍କୁ ସେ ସମର୍ଥନ କରୁଛନ୍ତି। ତେଣୁ ସୁଶାନ୍ତ ସିଂଙ୍କ ପାଇଁ ଏଥର ଜିତିବା କଷ୍ଟକର ହୋଇପାରେ ବୋଲି ଆଲୋଚନା ହେଉଛି।

ବିଜେପି-ବିଜେପି ଏହି ଆସନରୁ ପ୍ରାର୍ଥୀ କରିଛି ଯୁବ ମୋର୍ଚ୍ଚାର ସାଧାରଣ ସଂପାଦକ ଇରାଶୀଷ ଆଚାର୍ଯ୍ୟଙ୍କୁ। ୨୦୧୪ ନିର୍ବାଚନରେ ବିଜେପି ତୃତୀୟ ସ୍ଥାନରେ ଥିଲା। ଏଥର ଦଳ ତାହାର ଶକ୍ତିବୃଦ୍ଧି କରିପାରିଛି। କାରଣ ୨ୟ ସ୍ଥାନରେ ଥିବା ସୁଶାନ୍ତ ମିଶ୍ରଙ୍କୁ ନିଜ ଦଳରେ ସାମିଲ କରାଇ ପାରିଛି। ଅବଶ୍ୟ ଦଳ ସୁଶାନ୍ତଙ୍କୁ  ଟିକଟ ଦେଇନି। ତଥାପି ସେ ବିଜେପିରେ ରହି ପ୍ରଚାର କରୁଛନ୍ତି ଏବଂ  ଇରାଶୀଷଙ୍କୁ ସମର୍ଥନ କରୁଛନ୍ତି। ତେଣୁ ଏଥର ନିର୍ବାଚନରେ ସୁଶାନ୍ତଙ୍କ ଭୂମିକା ହେବ ନିର୍ଣ୍ଣାୟକ। କାରଣ ସୁଶାନ୍ତ ଏବଂ ତାଙ୍କ ସମର୍ଥକ ଯଦି ବିଜେପିକୁ ସମର୍ଥନ ଦିଅନ୍ତି ତେବେ ବିଜେପିର ଜିତିବା ଆଶା ଉଜ୍ଜ୍ୱଳ। ଇରାଶୀଷ ପ୍ରଥମଥର ପାଇଁ ନିର୍ବାଚନ ଲଢୁଥିଲେ ହେଁ ସୁଶାନ୍ତଙ୍କ ସହଯୋଗ ତାଙ୍କୁ ସଫଳତା ଆଣିଦେବ ଏଇ ଆଶାରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି।

କଂଗ୍ରେସ-ଏକଦା କଂଗ୍ରେସର ଗଡ଼ ଥିଲା ଭଟଲି ନିର୍ବାଚନ ମଣ୍ଡଳୀ। ୧୯୮୫ ନିର୍ବାଚନରେ ଶେଷଥର ପାଇଁ ଏହି ଆସନରୁ ଜିତିଥିଲେ ମୋହନ ନାଗ । ଦୀର୍ଘ ୩୪ ବର୍ଷ ପରେ ମଧ୍ୟ କଂଗ୍ରେସ ଏଠାରେ ଅଣ୍ଟା ସଳଖି ଠିଆ ହୋଇପାରି ନାହିଁ। ଗତ ନିର୍ବାଚନରେ କଂଗ୍ରେସ ୪ର୍ଥ ସ୍ଥାନରେ ରହି ମାତ୍ର ୧୦ ହଜାର ଭୋଟ ପାଇଥିଲା। ଏଥର ଦଳ ପୁରୁଣା ପ୍ରାର୍ଥୀ  ପ୍ରକାଶ ଚନ୍ଦ୍ର ଦେବତାଙ୍କୁ ରିପିଟ ନ କରି ଜଣେ ନୂଆ ମୁହଁ ସରୋଜ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ନୂଆ ଚେହେରା ଭୋଟରଙ୍କୁ କିପରି ପ୍ରଭାବିତ କରୁଛି ତାହା ସମୟ କହିବ।



from Odisha Reporter http://bit.ly/2IhOvSf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages