
କୋଲକାତା: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ହେଲିକପ୍ଟରକୁ ପଶ୍ଚିମବଙ୍ଗ ସିଲିଗୁଡ଼ି ପୁଲିସ୍ ଗ୍ରାଉଣ୍ଡରେ ଲ୍ୟାଣ୍ଡ କରିବାର ଅନୁମତି ମିଳିନଥିବା ଜଣାପଡ଼ିଛି। ରବିବାର ସେ ଏଠାରେ ଏକ ଜନସଭାରେ ଯୋଗଦେବାର ଥିଲା। ଦାର୍ଜଲିଂ ଲୋକସଭା କ୍ଷେତ୍ର ଅଧୀନରେ ଥିବା ଡାଗ୍ପୁରଠାରେ ଏକ ରାଲିରେ ମଧ୍ୟ ସେ ଯୋଗଦେବାର ଥିଲା।
ପୁଲିସ୍ ଏହି ଅନୁମତି ନଦେବାର କାରଣ ସ୍ୱରୂପ କହିଛି, ସେଠାରେ ପର୍ଯ୍ୟାପ୍ତ ଜାଗା ନଥିଲା। ସେଠାରେ ବହୁତ ଗାଡ଼ି ପାର୍କିଂ ହେଉଥିବାରୁ ହେଲିକପ୍ଟର ଲ୍ୟାଣ୍ଡ କରିବା ପାଇଁ ଆବଶ୍ୟକୀୟ ପ୍ରଶସ୍ତ ଜାଗା ଯୋଗାଇବା ଅସମ୍ଭବ ଥିଲା।
କିନ୍ତୁ ରାଜ୍ୟର ମମତା ବାନାର୍ଜୀ ସରକାରଙ୍କର ଏଥିରେ ହାତ ଥିବା ଦର୍ଶାଇ ସ୍ଥାନୀୟ କଂଗ୍ରେସ ପ୍ରାର୍ଥୀ ଶଙ୍କର ମାଲାକର କହିଛନ୍ତି, ପୁଲିସ୍ ଏହି ନିଷ୍ପତ୍ତି ବିଷୟରେ ଆମକୁ ଆଗରୁ ଜଣାଇବାର ଥିଲା। ତା ହୋଇଥିଲେ ଆମେ ବିକଳ୍ପ ସ୍ଥାନ ବାବଦରେ ଚିନ୍ତା କରିଥାନ୍ତୁ। ସବୁକିଛି ଆୟୋଜନ କରିବାକୁ ଆମକୁ ୪୮ ଘଣ୍ଟା ଲାଗିଥାଏ। ଏବେ ରାହୁଲଙ୍କ ରାଲି ଆଉ ୧୪ ତାରିଖରେ ହୋଇପାରିବନାହିଁ। ରାଲି ହେବ କି ନା ପ୍ରଶ୍ନରେ ରାଜ୍ୟସଭା ସାଂସଦ ପ୍ରଦୀପ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଏବେ କିଛି ବି ଠିକ୍ ହୋଇନାହିଁ।
ମାଲାକର କହିଛନ୍ତି, ଆମେ ଗତ ୭ ତାରିଖରେ ସିଲିଗୁଡ଼ିର ଏହି ସ୍ଥାନରେ ରାହୁଲଙ୍କ ହେଲିକପ୍ଟର ଲ୍ୟାଣ୍ଡ ପାଇଁ ପୁଲିସ୍ କମିଶନରେଟ୍କୁ ଅନୁମତି ମାଗିଥିଲୁ। କିନ୍ତୁ ଆଜି ସେମାନେ ଟେଲିଫୋନ୍ ଯୋଗେ ଜଣାଇଛନ୍ତି ଯେ ସେଥିପାଇଁ ଅନୁମତି ଦିଆଯାଇପାରିବନି।
ସୂଚନାଯୋଗ୍ୟ, ଆସନ୍ତା ୧୮ ତାରିଖରେ ଏଠାରେ ନିର୍ବାଚନ ହେବାର ଅଛି। ଏହା ପୂର୍ବରୁ ବିଭିନ୍ନ ଦଳର ବଡ଼ବଡ଼ ନେତା ପ୍ରଚାର ପାଇଁ ପଶ୍ଚିମବଙ୍ଗ ଆସୁଛନ୍ତି। ତେବେ ଗତ ଫେବୃଆରୀରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପଶ୍ଚିମ ବଙ୍ଗଳା ସରକାର ହେଲିକପ୍ଟର ଲ୍ୟାଣ୍ଡିଙ୍ଗ ପାଇଁ ଅନୁମତି ଦେଇନଥିଲେ।
from Odisha Reporter http://bit.ly/2Uz7cZ5
No comments:
Post a Comment