
ସିଙ୍ଗାପୁର: ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ଭାରତର ପିଭି ସିନ୍ଧୁଙ୍କୁ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ନୋଜୋମି ଓକୁହାରା ହରାଇ ସିଙ୍ଗାପୁର ଓପନରୁ ବିଦା କରିଛନ୍ତି। ଜାପାନର ଖେଳାଳି ଓକୁହାରା ବିଶ୍ୱର ୬ ନମ୍ବର ଖେଳାଳି ସିନ୍ଧୁଙ୍କୁ ସିଧାସଳଖ ୨୧-୭, ୨୧-୧୧ ଗେମରେ ପରାସ୍ତ କରିଛନ୍ତି।
ଦୁଇ ଖେଳାଳିଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ୧୪ ମୁକାବିଲା ଖେଳାଯାଇଥିଲା ବେଳେ ଦୁହେଁ ୭ଟି ଲେଖାଏ ମ୍ୟାଚ୍ ଜିତିଛନ୍ତି। ସିନ୍ଧୁଙ୍କ ପରାଜୟ ସହ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଛି। ବିଶ୍ୱର ତିନି ନମ୍ବର ଖେଳାଳି ଓକୁହାରା ୩୫୫ହଜାର ଆମେରିକୀୟ ଡଲାର ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଦମଦାର ଶୁଭାରମ୍ଭ କରିଥିଲେ ଏବଂ ପ୍ରଥମ ୫ ପଏଣ୍ଟ ନିଜ ନାମରେ କରିଥିଲେ।
ଏହା ମଧ୍ୟରେ ସିନ୍ଧୁ କେବଳ ଗୋଟିଏ ପଏଣ୍ଟ ନେଇଥିଲେ, କିନ୍ତୁ ଓକୁହାରାଙ୍କ ସ୍ପିଡ୍ ଆଗରେ ସେ ଦୁର୍ବଳ ମନେ ହେଉଥିଲେ। ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପ୍ରତ୍ୟାବର୍ତ୍ତନ ପାଇଁ ପରିଚିତ ସିନ୍ଧୁ ପ୍ରଥମ ଗେମରେ ଏଭଳି କିଛି କମାଲ କରିପାରି ନଥିଲେ ଏବଂ ଲଗାତାର ଭୁଲ କରି ଚାଲିଥିଲେ। ଏହା ମଧ୍ୟରେ ଓକୁହାରା ୧୬-୫ରେ ଆଗୁଆ ହୋଇଥିଲା।
ଏହା ପରେ ସେ ନିଜ ପ୍ରତଦ୍ୱନ୍ଦ୍ୱୀଙ୍କୁ ପ୍ରତ୍ୟାବର୍ତ୍ତନ ପାଇଁ କୌଣସି ସୁଯୋଗ ଦେଇନଥିଲେ ଏବଂ ୨୧-୭ର ବଡ଼ ବ୍ୟବଧାନରେ ପ୍ରଥମ ଗେମକୁ ଜିତି ନେଇଥିଲେ। ଦ୍ୱିତୀୟ ଗେମରେ ମଧ୍ୟ ଓକୁହାରା ଭାରତୀୟ ଖେଳାଳିଙ୍କ ଉପରେ ଚାପ ପକାଇଥିଲେ। ଏହିପରି ଭାବେ ଓକୁହାରା ଦ୍ୱିତୀୟ ଗେମକୁ ମଧ୍ୟ ଏକତରଫା ଭାବେ ୨୧-୧୧ରେ ଜିତି ନେଇଥିଲେ। ଫାଇନାଲରେ ଓକୁହାରାଙ୍କ ସାମ୍ନା ବିଶ୍ୱର ଏକ ନମ୍ବର ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗଙ୍କ ସହ ହେବ।
from Odisha Reporter http://bit.ly/2G9nkqi
No comments:
Post a Comment