
ମାଲକାନଗିରି(ଜିତେନ୍ଦ୍ର ବେଉରା): ଅଜଣା ଘାଟି ରାସ୍ତା। ତା’ସାଙ୍ଗକୁ ଛାତିରେ ଛାତିଏ ଛନକା। ଆଗେ ଆଗେ ବାଟ କଢ଼ାଇ ନେଉଛନ୍ତି ସଶସ୍ତ୍ର ଏସ୍ଓଜି ଯବାନ। ତାଙ୍କୁ ପିଛା କରି ଧାଡ଼ିରେ ଚାଲିଛନ୍ତି ପୋଲିଂ କର୍ମଚାରୀ। କିଏ ଇଭିଏମ୍ କାନ୍ଧେଇଛି ତ ପୁଣି କିଏ ଦୁଇ ହାତରେ ଧରିଛି ଭିଭିପାଟ୍ ଓ ଇଭିଏମ୍। ବର୍ଷା ରାତିରେ ପାହାଡ଼ ଉପର ଜଙ୍ଗଲରେ ଆଶ୍ରୟ ନେବା ପରେ ଚାଲି ଚାଲି ଆସି ଆଜି ସକାଳେ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଛନ୍ତି ୩୬ ଜଣ ପୋଲିଂ କର୍ମଚାରୀ।
ମୁଦୁଲିପଡ଼ାରେ ଭୋଟିଂ ସାରି ସମସ୍ତେ ଗାଡ଼ିରେ ଫେରୁଥିଲେ। ହେଲେ ରାସ୍ତାରେ ମାଓବାଦୀଙ୍କ ଆକ୍ରମଣ ଆଶଙ୍କା ସାଙ୍ଗକୁ ପାଦେ ପାଦେ ଲ୍ୟାଣ୍ଡମାଇନର ଭୟ ଥିବାରୁ ବିକଳ୍ପ ବାଟ ବାହାର କରିଥିଲେ ସୁରକ୍ଷାକର୍ମୀ। ହଠାତ ବଦଳିଯାଇଥିଲା ଷ୍ଟ୍ରାଟେଜି। ସମସ୍ତେ ଏକ ଅଜଣା ବାଟରେ ଚାଲି ଚାଲି ଫେରିବାକୁ ନିଷ୍ପତ୍ତି ନେଲେ। ରାତି ଅନ୍ଧାରରେ ଅତିକ୍ରମ କରିଥିଲେ ପ୍ରାୟ ୧୫ କିଲୋମିଟର ପାହାଡ଼ିଆ ଓ ଜଙ୍ଗଲିଆ ରାସ୍ତା। ଅଧାବାଟରେ ଆସିଥିଲା ଝଡ଼ବର୍ଷା। ସାଙ୍ଗରେ ନେଇଥିବା ଛୋଟିଆ ପାଲରେ ନିଜକୁ ନୁହେଁ, ବରଂ ଇଭିଏମ୍କୁ ସମସ୍ତେ ଦେଇଥିଲେ ସୁରକ୍ଷା।
ନକ୍ସଲ ଅଞ୍ଚଳରୁ ଫେରିଥିବା ପୋଲିଂ କର୍ମଚାରୀ କହିଛନ୍ତି-“ଏସ୍ଓଜି ଯବାନମାନେ ଅଳ୍ପବାଟ ଅଛି, ଚାଲ ବୋଲି କହିଲେ। ତେଣୁ ସେମାନଙ୍କ ସାଥିରେ ଚାଲିଲୁ। ରାସ୍ତାରେ ଫେରିଲା ବେଳେ ବର୍ଷା ହେଲା। ବର୍ଷାରେ ଭିଜିଲୁ। ଏସ୍ଓଜି ଯବାନମାନେ ଆମକୁ ବହୁ ସାହାଯ୍ୟ କରିଛନ୍ତି।”
ନକ୍ସଲ ଅଞ୍ଚଳରୁ ଫେରିଥିବା ଆଉ ଜଣେ ପୋଲିଂ କର୍ମଚାରୀ କହିଛନ୍ତି, “ଏସ୍ଓଜିଙ୍କ ସହିତ ଫେରୁଥିଲୁ। ହଠାତ ଖବର ଆସିଲା, ସେହି ରାସ୍ତା ଆମ ପାଇଁ ସୁରକ୍ଷିତ ନୁହେଁ। ତେଣୁ ବାଧ୍ୟ ହୋଇ ରାସ୍ତା ବଦଳାଇବାକୁ ପଡ଼ିଲା। ରାତିରେ ପାହାଡ଼ ଉପରେ ଚାଲି ଚାଲି ଫେରୁଥିଲୁ। ହଠାତ ବର୍ଷା ହେବାରୁ ନେଇଥିବା ପଲିଥିନ୍ ଘୋଡ଼ାଇ ଶୋଇଲୁ। ଭୋର ୫ଟାରେ ଉଠି ଚାଲି ଚାଲି ଆସି ଖଇରପୁଟରେ ପହଞ୍ଚିଲୁ।”
ମାଲକାନଗିରି ସହ ଅନ୍ୟ ନକ୍ସଲ ଅଞ୍ଚଳରେ ଲାଲବାହିନୀଙ୍କ ନାଲିଆଖିକୁ ଖାତିର ନକରି ମତଦାନକୁ ସୂଚାରୁ ରୂପେ ପରିଚାଳନା କରିଛନ୍ତି ପୋଲିଂ କର୍ମଚାରୀ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସୁରକ୍ଷିତ ଭାବେ ଫେରିଛନ୍ତି। ଯାହାକୁ ପ୍ରଶଂସା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।
ନକ୍ସଲ ଅଞ୍ଚଳରୁ ପୋଲିଂ ପାର୍ଟି ସୁରକ୍ଷିତ ଫେରିବା ତ ନିଶ୍ଚୟ ଭଲ ଖବର। ହେଲେ ମାଲକାନଗିରି ଜିଲ୍ଲାର ୧୫ଟି ବୁଥ୍ରେ ମତଦାନ କରିବାକୁ କାହିଁକି ଆସିଲେନି ଜଣେ ହେଲେ ଭୋଟର ? କେମିତି ସରକାରଙ୍କ ଅପେକ୍ଷା ଏଠି ଭାରି ପଡ଼ିଗଲେ ଲାଲବାହିନୀ? ବିଚ୍ଛିନ୍ନାଞ୍ଚଳରେ ବିକାଶ ସାଙ୍ଗକୁ ନକ୍ସଲ ମୁକାବିଲାରେ ସଫଳତାର ଡିଣ୍ଡିମ ପିଟୁଥିବା ସରକାରଙ୍କ ଅସଲ ଚେହେରା ପଦାରେ ପଡ଼ିଲାନି ତ ? ଆଗକୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ ଲୋକସଭା ଆସନରୁ ସୁନ୍ଦରଗଡ଼, ବଲାଙ୍ଗିର ଓ କନ୍ଧମାଳ ମାଓପ୍ରବଣ ତାଲିକାରେ ରହିଛି।
from Odisha Reporter http://bit.ly/2G8CXyg
No comments:
Post a Comment