
ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ମୋଦି ସରକାରଙ୍କୁ ଡବଲ ଝଟ୍କା ଲାଗିଛି। ପ୍ରଥମେ ସୁପ୍ରିମକୋର୍ଟ ବହୁଚର୍ଚ୍ଚିତ ରାଫେଲ ଡିଲ୍ର ପୁନଃ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ ନିର୍ବାଚନ କମିଶନ ବିଜେପିକୁ ଝଟ୍କା ଦେଇଛନ୍ତି। ଆସନ୍ତାକାଲି ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ବଲିଉଡ୍ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’ ରିଲିଜ୍ ଉପରେ ନିର୍ବାଚନ କମିଶନ ରୋକ ଲଗାଇଛନ୍ତି।
ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ଏହି ଫିଲ୍ମଟି ରିଲିଜ୍ ହେବନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଏହି ଫିଲ୍ମ ଜରିଆରେ ବିଜେପି ନିଜର ଭୋଟ ବ୍ୟାଙ୍କ ବୃଦ୍ଧି କରିବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ। ଏପରି କି ବିରୋଧୀ ଦଳଗୁଡ଼ିକ ମଧ୍ୟ ରିଲିଜ୍ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ନିର୍ବାଚନ କମିଶନ ଏହାପରେ ନିଷ୍ପତ୍ତି ନେବେ ବୋଲି କହିଥିଲେ। ନିର୍ବାଚନ କମିଶନ ଫିଲ୍ମ ରିଲିଜ୍ ଉପରେ ରୋକ ଲଗାଇବା ସହ ରାଜନୀତିକ ଦଳ କିମ୍ବା ବ୍ୟକ୍ତିବିଶେଷ ଉପରେ ଆଧାରିତ ବିଷୟବସ୍ତୁ କୌଣସି ବୈଦ୍ୟୁତିକ ମାଧ୍ୟମରେ ପ୍ରକାଶ ପାଇ ପାରିବ ନାହିଁ ବୋଲି କହିଛନ୍ତି।
ବଲିଉଡ୍ ଅଭିନେତା ବିବେକ୍ ଓବେରୟ ଏହି ଫିଲ୍ମରେ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ମୋଦିଙ୍କ ସଂଘର୍ଷମେ ଜୀବନର କାହାଣୀ ରହିଛି। ତେବେ ନିର୍ବାଚନ ପୂର୍ବରୁ କାହିଁକି ମୋଦିଙ୍କ ଜୀବନୀ ଉପରେ ହଠାତ୍ ଫିଲ୍ମ ନିର୍ମାଣ ହେଲା, ତା’କୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଥିଲେ। ଏନେଇ ସେମାନେ ବମ୍ବେ ହାଇକୋର୍ଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ଏହି ଆବେଦନ ଖାରଜ ହୋଇଯାଇଥିଲା।
ବିଜେପି ମଧ୍ୟ ବିରୋଧୀଙ୍କୁ ବାକ୍ ସ୍ୱାଧୀନତାର କଥା କହି ସମାଲୋଚନା କରିଥିଲା। ତଥାପି ବିରୋଧୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ଗତକାଲି ଏହାକୁ ଖାରଜ କରିଥିବାରୁ ଗୁରୁବାର ଏହା ସମଗ୍ର ଭାରତ ବର୍ଷରେ ରିଲିଜ୍ ହେବାର ଥିଲା। କିନ୍ତୁ ଏବେ ନିର୍ବାଚନ କମିଶନ ଏହାର ରିଲିଜ ଉପରେ ରୋକ ଲଗାଇ ଦେଇଛନ୍ତି।
from Odisha Reporter http://bit.ly/2UueGfS
No comments:
Post a Comment