ନବୀନ ନରମକୁ ମୋଦି ଗରମ, ବିଜେଡିରେ କମ୍ପନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ନବୀନ ନରମକୁ ମୋଦି ଗରମ, ବିଜେଡିରେ କମ୍ପନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘବର୍ଷ ଧରି ‘ସୁବିଧାବାଦୀ ସମଦୂରତ୍ୱ ରାଜନୀତି’ କାର୍ଡ ଖେଳି ରାଜ୍ୟରେ ନିର୍ବାଚନୀ ସଫଳତା ହାସଲ କରିବାରେ ସକ୍ଷମ ହେଉଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବେ ଚିନ୍ତାରେ ପଡ଼ିଛନ୍ତି। ଏକ ଦଶନ୍ଧି ଧରି ସମଦୂରତ୍ୱ ନୀତିରେ କାଏମ ଥିବା ନବୀନ ଅଚାନକ ଗତ ସପ୍ତାହରେ ଏଥିରୁ ଦୂରେଇ ଯାଇ ଓଡ଼ିଶାର ସ୍ୱାର୍ଥ ପୂରଣ ପାଇଁ ଯିଏ କାମ କରିବ, ତାକୁ ବିଜେଡି ସମର୍ଥନ ଦେବ ବୋଲି କହି ଯେଉଁ ଇସାରା କରିଥିଲେ ତାହା ବିଜେପି ଦ୍ୱାରା ଗ୍ରହଣୀୟ ହୋଇନାହିଁ। କେନ୍ଦ୍ରାପଡ଼ାରେ ଆଜି ବିଜେପିର ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ନବୀନଙ୍କୁ ଶାଣିତ ସମାଲୋଚନା କରିବାପରେ ବିଜେଡି ସହ କୌଣସି ପ୍ରକାରର ସକରାତ୍ମକ ଆଭିମୁଖ୍ୟ ପୋଷଣ କରିବାକୁ ବିଜେପି ଚାହୁଁନଥିବା ସ୍ପଷ୍ଟ ହୋଇଯାଇଛି।

ପ୍ରଥମଥର ପାଇଁ ମୋଦିଙ୍କ ଏଭଳି ସିଧାସଳଖ ସମାଲୋଚନା ବିଜେଡି ରଣନୀତିକାରଙ୍କୁ ଚିନ୍ତାରେ ପକାଇଛି। ଦିଲ୍ଲୀରେ ପୁଣିଥରେ ମୋଦି ସରକାର ଗଢ଼ିବାର ସମ୍ଭାବନା ରହିଥିବାରୁ ଚିଟଫଣ୍ଡ, କୋଇଲା ଦୁର୍ନୀତି, ଖଣି ଦୁର୍ନୀତି, ବ୍ଲାକରୋଜ୍ ଜାହାଜ ବୁଡ଼ି, ପେଟ୍ରୋଲ ପମ୍ପ ଆବଣ୍ଟନ ଭଳି ମାମଲାରେ ନବୀନଙ୍କ ଅଡ଼ୁଆ ବଢ଼ିବାର ଆଶଙ୍କା ରହିଛି। ଆଜି ମୋଦିଙ୍କ ଶାଣିତ ସମାଲୋଚନା ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି।

ପ୍ରଧାନମନ୍ତ୍ରୀ ମୋଦି ଆଜି କେନ୍ଦ୍ରାପଡ଼ାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜ୍ୟରେ ବିଜେପି କର୍ମୀମାନଙ୍କ ଉପରେ ବୃଦ୍ଧି ପାଉଥିବା ରାଜନୀତିକ ହିଂସାକୁ ନେଇ କ୍ଷୋଭ ବ୍ୟକ୍ତ କରିବା ସହ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନବୀନଙ୍କ ନାଁ ନେଇ ମୋଦି କହିଥିଲେ ଯେ, ଏଥର ନବୀନବାବୁ ଶାସନରୁ ବିଦା ହେବା ନିଶ୍ଚିତ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରବେଳେ ସେ ମର୍ଯ୍ୟାଦା ପାଳନ କରି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବାରୁ ବିରତ ରହିଥିଲେ। ଓଡ଼ିଶାରେ ଏତେବର୍ଷ ଧରି ଶାସନ କରିଥିବାରୁ ତାଙ୍କର ବିଦାୟ ଶାନଦାର ହେଉ ବୋଲି ଚାହିଁଥିଲି। ସେ ଅପମାନିତ ହୋଇ ବିଦାୟ ନ ନିଅନ୍ତୁ ବୋଲି ଚାହିଁଥିଲି। ନବୀନବାବୁଙ୍କ ଇଜ୍ଜତକୁ ଆଘାତ ନ ଦେବା ଉଦ୍ଦେଶ୍ୟରେ ସେ ଚୁପ୍ ରହିଥିଲେ। କିନ୍ତୁ ଗତ ୧୦-୧୨ ଦିନ ମଧ୍ୟରେ ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ ରାଜନୀତିକ ହିଂସା ବଢ଼ିଚାଲିଛି ଆଉ ତାଙ୍କର କିଛି ହାତଗଣତି ଅଫିସର ଆଖିରେ କପଡ଼ା ବାନ୍ଧି ବସିଛନ୍ତି। ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ନବୀନବାବୁ ଏଥର ବିଦା ହେବା ନିଶ୍ଚିତ। ତାଙ୍କ ହାତଗଣତି ଅଫିସରମାନେ ତାଙ୍କୁ ରକ୍ଷା କରିପାରିବେ ନାହିଁ। ଓଡ଼ିଶାର ଲୋକମାନେ ଅତିଥିଙ୍କୁ ବିଦାୟ ଦେବାବେଳେ ହାତଯୋଡ଼ି ବିଦା କରିଥାନ୍ତି। କିନ୍ତୁ ଲୋକେ ଏବେ ଆକ୍ରୋଶର ସହ ନବୀନବାବୁଙ୍କୁ ବିଦା କରିବେ। ନବୀନ ପଟ୍ଟନାୟକ ଏହି ଆକ୍ରୋଶରୁ ଆଉ ବର୍ତ୍ତିପାରିବେନି। ଓଡ଼ିଶାରେ ବିଜେଡି ଯିବା ଓ ବିଜେପି ଆସିବା ନିଶ୍ଚିତ ବୋଲି ମୋଦି କହିଛନ୍ତି।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଯୋଡ଼ି ଓଡ଼ିଶାକୁ ଘନଘନ ଗସ୍ତ କରି ମାରାଥନ୍ ନିର୍ବାଚନୀ ପ୍ରଚାର କରିବା ବିଜେଡିକୁ ଚିନ୍ତାରେ ପକାଇଥିଲା। ମୋଦି ନିର୍ବାଚନୀ ପ୍ରଚାର କରୁଥିଲେ ମଧ୍ୟ ନବୀନଙ୍କ ପ୍ରତି ସିଧାସଳଖ ଟିପ୍ପଣୀ ଦେଉନଥିଲେ। କିନ୍ତୁ ଆଜି କେନ୍ଦ୍ରାପଡ଼ାରେ ନବୀନଙ୍କୁ ସିଧାସଳଖ ସମାଲୋଚନା କରି ଭବିଷ୍ୟତରେ କେନ୍ଦ୍ରରେ ଏନଡିଏ ସରକାର ଆସିଲେ ନବୀନଙ୍କ ପାଇଁ ମାର୍ଗ କଣ୍ଟକିତ ହେବା ସୁନିଶ୍ଚିତ ବୋଲି ମୋଦିଙ୍କ ଆଜିର ଭାଷଣରୁ ଆଭାସ ମିଳିଛି। ଯଦିଓ ରାଜ୍ୟରେ କ୍ଷମତାବିରୋଧୀ ହାୱା ଓ ଅନ୍ୟପଟେ ମୋଦି-ଶାହଙ୍କ ମାରାଥନ୍ ନିର୍ବାଚନୀ ପ୍ରଚାରରେ ବିଚଳିତ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିକୁ ପରଖି ଗତ ସପ୍ତାହରେ ନିଜର ନୀତି ବଦଳାଇଥିଲେ। କିନ୍ତୁ ତା’ର ପ୍ରଭାବ ବିଜେପି ଉପରେ ପଡ଼ିନି। ଓଡ଼ିଶାର ସ୍ୱାର୍ଥ ପାଇଁ ଯିଏ ଡିଲ୍ କରିବ ତାକୁ ବିଜେଡି ସମର୍ଥନ କରିବ ବୋଲି କହି ଶ୍ରୀ ପଟ୍ଟନାୟକ ଭବିଷ୍ୟତରେ ବିଜେପି(ଏନଡିଏ)କୁ ସମର୍ଥନ କରିବାର ଯେଉଁ ବିକଳ୍ପ ପନ୍ଥା ଖୋଜିଥିଲେ ତାହା ବିଜେପି ଦ୍ୱାରା ଗ୍ରହଣୀୟ ହୋଇନାହିଁ। ବରଂ ନବୀନଙ୍କ ପରିବର୍ତ୍ତିତ ଆଭିମୁଖ୍ୟ ଓ ‘ସୁବିଧାବାଦୀ ରାଜନୀତି’ କାର୍ଡକୁ ଭଲ ଭାବେ ଆକଳନ କରି ମୋଦି ଓ ବିଜେପି ଭବିଷ୍ୟତରେ ନବୀନଙ୍କ ଅଡ଼ୁଆ ବଢ଼ାଇବାର ରଣନୀତିରେ ଲାଗିପଡ଼ିଛନ୍ତି। ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ନବୀନଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ନେଇ ଯେଉଁ ଦ୍ୱନ୍ଦ୍ୱ ଓ ଚର୍ଚ୍ଚା ହେଉଥିଲା, ମୋଦିଙ୍କ ଆଜିର ଶାଣିତ ସମାଲୋଚନା ପରେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ମୋଦି ପୁଣିଥରେ କେନ୍ଦ୍ରରେ କ୍ଷମତାସୀନ ହେବେ ବୋଲି ଆକଳନ କରି ନବୀନ ସ୍ଥିତିକୁ ଚାହିଁ ଆଗୁଆ ଉଭୟ ଏନଡିଏ ଓ ୟୁପିଏ ତାଙ୍କ ପାଇଁ ଅଛୁଆଁ ନୁହେଁ ବୋଲି କହିଥିଲେ। କିନ୍ତୁ ସୁବିଧାବାଦୀ ରାଜନୀତିକ କାର୍ଡ ଖେଳୁଥିବା ନବୀନଙ୍କ ଚାଲ୍ ବୁଝି ମୋଦି ଏବେ ଓଡ଼ିଶାରେ ସିଧାସଳଖ ଲଢ଼େଇର ସଙ୍କେତ ଦେଇଛନ୍ତି। ଆଉ ନବୀନଙ୍କୁ ନେଇ ବିଜେପି କର୍ମୀଙ୍କ ମନରେ ରହିଥିବା ଦ୍ୱନ୍ଦ୍ୱକୁ ମଧ୍ୟ ଦୂର କରିଛନ୍ତି। ମୋଦି ପୁଣିଥରେ କ୍ଷମତାସୀନ ହେବାପରେ ଏକାଧିକ ଦୁର୍ନୀତି ମାମଲାର ଅଭିଯୋଗ ଥିବା ନବୀନଙ୍କ ପାଇଁ ଅଡ଼ୁଆ ବଢ଼ିବାର ଆଶଙ୍କା ଦେଖାଦେଇଛି। ଯାହାକି ବିଜେଡି ରଣନୀତିକାରଙ୍କ ମଧ୍ୟରେ କମ୍ପନ ସୃଷ୍ଟି କରିଛି ଓ କିଭଳି ଏହାକୁ ମ୍ୟାନେଜ୍ କରାଯିବ ସେ ନେଇ ଆବଶ୍ୟକ ପ୍ରୟାସ ଆରମ୍ଭ ହୋଇଥିବା ରାଜନୀତିକ ମହଲରେ ଚର୍ଚ୍ଚା।



from Odisha Reporter http://bit.ly/2GC8g5O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages