ଇଷ୍ଟରରେ ଆତଙ୍କୀଙ୍କ ନରସଂହାର, ବିସ୍ଫୋରଣରେ ୨୦୭ ମୃତ ଏବଂ ୪୫୦ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ଇଷ୍ଟରରେ ଆତଙ୍କୀଙ୍କ ନରସଂହାର, ବିସ୍ଫୋରଣରେ ୨୦୭ ମୃତ ଏବଂ ୪୫୦ ଆହତ

କଲମ୍ବୋ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସମେତ ୩ଟି ସହରରେ ଲଗାତାର ୮ଟି ସିରିଜ୍‌ ବୋମା ବିସ୍ଫୋରଣ ଏହି ଦ୍ୱୀପରାଷ୍ଟ୍ର ସମେତ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଇଷ୍ଟର ରବିବାରରେ ରକ୍ତର ହୋଲି ଖେଳିଥିବା ଏହି ମୃତ୍ୟୁ ତାଣ୍ଡବରେ ମୃତକଙ୍କ ସଂଖ୍ୟା ୨୦୭ ଛୁଇଁସାରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩୯ ଜଣ ବିଦେଶୀ ବୋଲି ମଧ୍ୟ ସୂଚନା ମିଳିଛି। ଆହତଙ୍କ ସଂଖ୍ୟା ୪୫୦ରୁ ଊର୍ଦ୍ଧ୍ୱ ଥିବା କୁହାଯାଉଛି, ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ସନ୍ଦେହ କରାଯାଉଛି।

ଏହି ଦେଶରେ ବେଶ୍‌ କିଛି ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧ ନିୟନ୍ତ୍ରଣକୁ ଆସିବାର ୧୦ ବର୍ଷ ପରେ ଏଭଳି ଭୟଙ୍କର ଆକ୍ରମଣ ଘଟିଛି। ଏଭଳି ସ୍ଥିତିରେ ବର୍ତ୍ତମାନ ସମଗ୍ର ଶ୍ରୀଲଙ୍କାରେ କର୍ଫ୍ୟୁ ଲଗାଯିବା ସହିତ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସେଠାରେ ହ୍ୱାଟ୍ସଆପ୍‌ ଏବଂ ଫେସବୁକ୍‌ ସେବା ମଧ୍ୟ ବନ୍ଦ ରଖାଯାଇଛି। ଆସନ୍ତା ୨ ଦିନ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଶେଷ ଖବର ସୁଦ୍ଧା ଏହି ଆକ୍ରମଣ ସହିତ ଜଡ଼ିତ ଥିବା ସନ୍ଦେହ କରି ୭ ଜଣଙ୍କୁ ଗିରଫ ମଧ୍ୟ କରାଯାଇସାରିଛି। ପ୍ରାୟ ସମସ୍ତ ବିସ୍ଫୋରଣ ଆତ୍ମଘାତୀ ଆତଙ୍କୀଙ୍କ ଦ୍ୱାରା କରାଯାଇଥିବା ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରୀ ରୁୱାନ୍‌ ରିଜ୍‌ୱେନ୍ଦ୍ରେ ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟ ବିସ୍ଫୋରଣରେ ୩ଟି ଅତ୍ୟାଧୁନିକ ହୋଟେଲ ଏବଂ କଲମ୍ବୋର ଏକ ଚର୍ଚ୍ଚକୁ ଟାର୍ଗେଟ୍‌ କରାଯାଇଥିଲା। ଅନ୍ୟ ଦୁଇଟି ବିସ୍ଫୋରଣର ଟାର୍ଗେଟ୍‌ରେ ଥିଲେ ଚର୍ଚ୍ଚ। ଆକ୍ରମଣ ସେତେବେଳେ ହୋଇଥିଲା ଯେଉଁ ସମୟରେ ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀମାନେ ଇଷ୍ଟର ଉତ୍ସବ ପାଳନରେ ମସ୍‌ଗୁଲ ଥିଲେ। ଏହାର କିଛି ଘଣ୍ଟା ପରେ କଲମ୍ବୋ ନିକଟରେ ଥିବା ଦେହିୱାଲାସ୍ଥିତ ଜାତୀୟ ଚିଡ଼ିଆଖାନାର ବିପରୀତ ଦିଗରେ ଥିବା ହୋଟେଲରେ ବିସ୍ଫୋରଣ ଘଟିଥିଲା। ସକାଳ ୮.୪୫ ସମୟରେ ହିଁ ଏହି ସିରିଜ ବିସ୍ଫୋରଣ ଆରମ୍ଭ ହୋଇଥିଲା।

ଏଥିରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ କେରଳର ବାସିନ୍ଦା ବୋଲି ସୂଚନା ମିଳିଛି। କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ବିଷୟରେ ସୂଚନା ମିଳିଛି ଏବଂ ସେ କେରଳର କାସାରଗୋଡ୍‌ ଜିଲ୍ଲାର ଅଧିବାସୀ ବୋଲି ସୂଚନା ମିଳିଛି। ତାଙ୍କ ଦେହାବଶେଷ ଭାରତ ଆଣିବା ପାଇଁ ପ୍ରୟାସ ଚାଲୁ ରହିଥିବା ମଧ୍ୟ କୁହାଯାଇଛି।

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେ ଏହି ଘଟଣାର ନିନ୍ଦା କରି କହିଛନ୍ତି, “ମୁଁ ଏଭଳି କାପୁରୁଷୋଚିତ ଆକ୍ରମଣକୁ ନିନ୍ଦା କରୁଛି। ଏଭଳି ଦୁଃଖଦ ସମୟରେ ଶ୍ରୀଲଙ୍କାବାସୀଙ୍କୁ ଏକାଠି ରହିବାକୁ ଏବଂ ଧୈର୍ଯ୍ୟ ଧରିବାକୁ ଅନୁରୋଧ କରୁଛି। ଏହି ଆକ୍ରମଣ ସମ୍ପର୍କରେ ଅଯଥା ଚର୍ଚ୍ଚା ଏବଂ ସ୍ପଷ୍ଟ ହୋଇନଥିବା ସୂଚନା ବାବଦରେ ଅପପ୍ରଚାର କରିବାରୁ ନିବୃତ୍ତ ରୁହନ୍ତୁ। ସରକାର ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି।”

ଏହି ଆକ୍ରମଣ ପରେ ଶ୍ରୀଲଙ୍କା ସରକାର ତୁରନ୍ତ ଏକ ଜରୁରୀକାଳୀନ ବୈଠକ ଡକାଇଥିଲେ। ରାଷ୍ଟ୍ରପତି ମୈଥ୍ରୀପାଲ୍‌ ଶିରିସେନା କହିଛନ୍ତି, ଏହି ଆକ୍ରମଣ ତାଙ୍କୁ ସ୍ତବ୍ଧ କରିଦେଇଛି।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କା ପୁଲିସ୍‌ ମୁଖ୍ୟ ପୁଜୁଥ୍‌ ଜୟସୁନ୍ଦରା ଏହି ଆକ୍ରମଣର ୧୦ ଦିନ ଆଗରୁ ହିଁ ସତର୍କ କରାଇଥିଲେ। ସେ ଚେତାବନୀ ଦେଇ କହିଥିଲେ ଭାରତୀୟ ଦୂତାବାସ ସମେତ ଶ୍ରୀଲଙ୍କାର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ହୋଇପାରେ। ସେ ଏକ ବିଦେଶୀ ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ପ୍ରଶାସନକୁ ସତର୍କ କରାଇ କହିଥିଲେ ଯେ ଶ୍ରୀଲଙ୍କା ଭିତ୍ତିକ ମୁସଲିମ୍‌ ଉଗ୍ରବାଦୀ ଗୋଷ୍ଠୀ ନ୍ୟାସନାଲ ଥୋହିଥ୍‌ ଜମାତ୍‌ (ଏନ୍‌ଟିଜେ) ବଡ଼ ଧରଣର ଆକ୍ରମଣ କରିବ। ଏନ୍‌ଟିଜେ ସଂଗଠନ ଗତ ବର୍ଷ ବୁଦ୍ଧମୂର୍ତ୍ତି ଭଙ୍ଗା ଘଟଣାରେ ଚର୍ଚ୍ଚାକୁ ଆସିଥିଲା।

ଆଜି ପ୍ରଥମ ବିସ୍ଫୋରଣ କଲମ୍ବୋର ସେଣ୍ଟ ଆଣ୍ଟନୀ ଚର୍ଚ୍ଚ ଏବଂ ନେଗୋମ୍ବୋର ସେଣ୍ଟ ସେବାସ୍ଟିଆନ୍‌ ଚର୍ଚ୍ଚରେ ହୋଇଥିଲା। ଏହି ବାବଦରେ ଖବର ଆସୁ ଆସୁ ଆଉ ୪ଟି ଜାଗାରେ ମଧ୍ୟ ବିସ୍ଫୋରଣ ହୋଇଥିଲା। ଏଥର ଟାର୍ଗେଟରେ ଥିଲେ ୩ଟି ହୋଟେଲ ଏବଂ ଗୋଟିଏ ବାଟ୍ଟିକାଲୋଆସ୍ଥିତ ଚର୍ଚ୍ଚ ଥିଲା। କେବଳ ବାଟ୍ଟିକାଲୋଆରେ ଏକ ହସ୍ପିଟାଲରେ ଏକାସାଥିରେ ୩୦୦ ଆହତଙ୍କୁ ଭର୍ତ୍ତି କରାଯାଇଥିଲା। ବିସ୍ଫୋରଣର ଶିକାର ହୋଇଥିବା ୩ଟି ହୋଟେଲର ନାଁ ହେଲା ସିନ୍ନାମନ୍‌ ଗ୍ରାଣ୍ଡ, ଶାଙ୍ଗ୍ରି-ଲା ଏବଂ କିଙ୍ଗସ୍‌ବରି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଥିବା ସିନ୍ନାମନ୍‌ ହୋଟେଲଠାରେ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ଅଷ୍ଟମ ଆକ୍ରମଣଟି ଆତ୍ମଘାତୀ ବିସ୍ଫୋରଣ ଥିଲା ଏବଂ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଅନେକ ଗୁରୁତର ଆହତ ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ଏକ ହେଲ୍ପଲାଇନ୍‌ ଜାରି କରାଯାଇଛି। ସେହଭିଳି ଭାରତର ଖ୍ରୀଷ୍ଟିଆନ୍‌ ବହୁଳ ରାଜ୍ୟ ଗୋଆରେ ଥିବା ଚର୍ଚ୍ଚଗୁଡ଼ିକରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ଭାରତୀୟ ଏବଂ ବିଶ୍ୱସ୍ତରର ବିଶିଷ୍ଟ ବ୍ୟକ୍ତିମାନେ ଏହି ଘଟଣାର ତୀଵ୍ର ନିନ୍ଦା କରିଛନ୍ତି।



from Odisha Reporter http://bit.ly/2PkK5vv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages