ଭିଡିଓ ପଛର ସତ: ଭାଇରାଲ ଭିଡିଓ, ଟିଭି ଇଣ୍ଟରଭ୍ୟୁ ଆଉ ସେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଭିଡିଓ ପଛର ସତ: ଭାଇରାଲ ଭିଡିଓ, ଟିଭି ଇଣ୍ଟରଭ୍ୟୁ ଆଉ ସେ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ପାଇଁ ଏବେ ସମ୍ପୂର୍ଣ୍ଣ ଫିଟ୍‌। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟକୁ ନେଇ ଭାଇରାଲ ହୋଇଥିବା ଭିଡିଓ ହିଁ ଏ କଥା କହୁଛି। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଠିକ୍‌ ପୂର୍ବରୁ ଏହି ଭିଡିଓକୁ ବଜାରକୁ ଛାଡ଼ିବା ନିଶ୍ଚିତ ଭାବେ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଚର୍ଚ୍ଚା ହେଲାଣି।

ଭିଡିଓଟି ଦେଖିବା ପରେ, ସବୁବେଳେ ଧୋବ ଫରଫର କୁର୍ତ୍ତା ପାଇଜାମା ପରିଧାନ କରୁଥିବା ଆମ ମୁଖ୍ୟମନ୍ତ୍ରୀଙ୍କୁ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କ ଆଗରେ ଉଭା ହୋଇଛନ୍ତି। ଜୀବଦ୍ଦଶାରେ ‘ନବୀନ ନିବାସ’ ଭିତରକୁ ଯାଇପାରି ନ ଥିବା ବ୍ୟକ୍ତିମାନେ, ନିବାସର ଭିତିରି ଦୃଶ୍ୟଗୁଡିକୁ ପ୍ରତ୍ୟକ୍ଷ କଲେ। କଳା ରାଉଣ୍ଡ ନେକ୍‌ ବାଲା ଟି-ଶାର୍ଟ ପିନ୍ଧି ଗାର୍ଡେନରେ ନବୀନ ଜଗିଂ କରୁଥାଆନ୍ତି। ବ୍ୟାୟାମ୍‌ କରୁଥିବା ଅବସ୍ଥାରେ ନବୀନ ଓଡ଼ିଆ ନ୍ୟୁଜ ଚ୍ୟାନେଲ ଦେଖୁଥିବା ମଧ୍ୟ ଦେଖାଇ ଦିଆଗଲା। ଆଉ ଶେଷରେ ନିଜ ତୁଣ୍ଡରେ ନିଜେ ନବୀନ କହିଥିଲେ ‘ମୁଁ ନିର୍ବାଚନ ଲାଗି ପୂରା ଫିଟ୍‌’।

କିନ୍ତୁ ନବୀନ ବାବୁଙ୍କ ବାସ୍ତବିକ ସ୍ୱାସ୍ଥ୍ୟାବସ୍ଥା ଓ ଭିଡିଓରେ ତାଙ୍କ ଜଗିଂ କରିବାର ଦୃଶ୍ୟ ଆଦୌ ମ୍ୟାଚ୍ କରୁନି ବୋଲି ଲୋକେ କହୁଛନ୍ତି। ନିକଟରେ ସେ ଯେତେବେଳେ ହିଂଜିଳି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାକୁ ଛତ୍ରପୁର ଯାଇଥିଲେ, ଓ ତା ପୂର୍ବରୁ ମାଆ ତାରାତାରିଣୀଙ୍କ ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ, ସେତେବେଳେ ସ୍ପଷ୍ଟ ହୋଇଯାଇଥିଲା ଯେ, ନବୀନ ବାବୁଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସମସ୍ୟା ଅଛି। କାରଣ ସେ ଠିକ୍‌ରେ ଚାଲି ମଧ୍ୟ ପାରୁ ନ ଥିଲେ। ଅବଶ୍ୟ ଏହା ବି ହୋଇପାରେ ସେ ଥକ୍କା ହୋଇ ପଡ଼ିଥିଲେ।

ତେଣୁ ଭାଇରାଲ୍ ଭିଡିଓରେ ହଠାତ୍ ସେ ଜଗିଂ କରୁଥିବା ଓ ଏକ ଜାତୀୟ ଗଣମାଧ୍ୟମକୁ ବ୍ୟାୟାମ କରୁକରୁ ଇଣ୍ଟରଭ୍ୟୁ ଦେବା ଏକ ପୂର୍ବ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଶୁଣିବାକୁ ମିଳୁଛି। କେତେକ କହିଛନ୍ତି ଏହା ନବୀନଙ୍କ ପୁରୁଣା ଭିଡିଓ। ଆଉ କେହି ତାଙ୍କ ପେଟର ସାଇଜ୍ କେମିତି ହଠାତ୍ କମିଯାଇଛି, ତାକୁ ନେଇ ମଧ୍ୟ ଆଲୋଚନା କଲେ।

ଶୁଣିବାକୁ ମିଳୁଛି, ଏନ୍‌ଡିଟିଭିରେ ନବୀନଙ୍କ ସାକ୍ଷାତକାର ଏକ ପୂର୍ବ ପ୍ରାୟୋଜିତ କାର୍ଯ୍ୟକ୍ରମ। ଗୋଟିଏ ଗୁଳିରେ ଦୁଇଟି ଶିକାର। କାରଣ ଥାର୍ଡଫ୍ଲୋର୍‌ ଜାଣିଥିଲା ଯେ, ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ହିଁ ରାଜ୍ୟରେ ବେଶି ଆଲୋଚନା ହେଉଛି। ସେଥିପାଇଁ ଏନ୍‌ଡିଟିଭି ଭଳି କ୍ରେଡିବିଲିଟି ଥିବା ଜାତୀୟ ଗଣମାଧ୍ୟମକୁ ଠିକ୍‌ କରାଗଲା ଏବଂ ସ୍ୱାସ୍ଥ୍ୟ ହିଁ ଏଥିରେ ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ଠିକ୍ କରାଗଲା। ସେହି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବ୍ୟାୟାମ କରୁଥିବା ଅବସ୍ଥାରେ ହିଁ ଲମ୍ବା ସାକ୍ଷାତକାର ନିଆଯାଇଛି।

କିନ୍ତୁ ଏଠାରେ ଗୋଟିଏ କଥା ଲକ୍ଷ୍ୟ କରାଯାଇପାରେ ଯେ, ରାଜ୍ୟର ଅଧିକାଂଶ ଗଣମାଧ୍ୟମ ସଂସ୍ଥା, ଟିଭି ଚ୍ୟାନେଲ୍‌ ଓ ଖବରକାଗଜ ଏବେ ବିଜେଡିର କର୍ତ୍ତୃତ୍ୱାଧୀନ ରହିଛି। ହେଲେ ପାଣ୍ଡିଆନ୍‌ ଓ ନବୀନ ଏଗୁଡିକ ମଧ୍ୟରୁ ଗୋଟିଏ ବି ସଂସ୍ଥାକୁ ବିଶ୍ୱାସକୁ ନ ନେଇ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେବାକୁ ବାଛିଲେ।

ଆଉ କୌଶଳ କ୍ରମେ ଏହି ସାକ୍ଷାତକାରରେ ନବୀନଙ୍କ ଚରମ ଶତ୍ରୁ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନାଁ ନେଇଥିଲେ। କହିଥିଲେ ‘ଆମ ଦଳର ଜଣେ ପୂର୍ବତନ ସାଂସଦ ମୋ ଦେହ ଖରାପ ଥିବା କଥା ପ୍ରଚାର କରିଛନ୍ତି।’ କିନ୍ତୁ କାହାର ନାଁ ନେଉନାହାଁନ୍ତି। ତେଣୁ ସାକ୍ଷାତକାର ନେଉଥିବା ସାମ୍ବାଦିକ ପଚାରିଲେ, ‘ଆପଣ ବୈଜୟନ୍ତ ପଣ୍ଡାଙ୍କ କଥା କହୁଛନ୍ତି କି ?’ ତତକ୍ଷଣାତ ନବୀନ କହିଥିଲେ- ‘ହଁ’।

ଭାଇରାଲ୍ ହୋଇଥିବା ଭିଡିଓଟି ଏହି ସାକ୍ଷାତକାରର ପ୍ରମୋ ବା ପ୍ରଚାର ପାଇଁ ପ୍ରସ୍ତୁତ ଭିଡିଓ। ଭିଡିଓଟି ପୁଣି ଏନ୍‌ଡିଟିଭି ତରଫରୁ ନୁହେଁ, ବିଜେଡି ତରଫରୁ ହିଁ ଭାଇରାଲ୍ କରାଯାଇଛି। ସମ୍ପାଦିତ ଅଂଶଟି ଟିଭିରେ ପ୍ରସାରଣ ହେଲା ଏବଂ ଅଣସମ୍ପାଦିତ ଅଂଶଟି ଭାଇରାଲ ହୋଇ ମୁଖ୍ୟମନ୍ତ୍ରୀ ଫିଟ୍‌ ବୋଲି ପ୍ରଚାର କରିଦିଆଗଲା।

ବାସ୍ତବରେ ବିଜେଡି ପାଇଁ ସବୁଠୁ ବଡ଼ ସମସ୍ୟା ସୃଷ୍ଟି କରିଛି ନବୀନଙ୍କ ସ୍ୱାସ୍ଥ୍ୟ, ଏକଥା ଦଳ ଭିତରେ ବି ନେତାମାନେ ଆଲୋଚନା କରୁଛନ୍ତି। ଏହି ଭାଇରାଲ୍ ଭିଡିଓରୁ ଦୁଇଟି କଥା ସ୍ପଷ୍ଟ ହୋଇଗଲା ଯେ- ଦଳ ସଭାପତିଙ୍କ ସ୍ୱାସ୍ଥ୍ୟ ଦଳ ପାଇଁ ଆଗାମୀ ନିର୍ବାଚନରେ ସମସ୍ୟା ସୃଷ୍ଟି କରିଛି। ଆଉ ଦ୍ୱିତୀୟ କଥାଟି ହେଲା- ବିଜେଡି, ନବୀନ ଓ ପାଣ୍ଡିଆନ୍‌ଙ୍କ ପାଇଁ ସବୁଠୁ ବଡ଼ ଶତ୍ରୁ ବିଜେପି କି କଂଗ୍ରେସ ନୁହେଁ, ବଡ଼ଶତ୍ରୁ ହେଲେ ବୈଜୟନ୍ତ ପଣ୍ଡା।

ଶୁଣାଯାଉଛି, ଏ ସବୁ ଆୟୋଜନ କାଳେ ପାଣ୍ଡିଆନ୍ ବାବୁ କରିଥିଲେ। ଇଣ୍ଟରଭ୍ୟୁ ବେଳେ ସେ ମଧ୍ୟ ନବୀନଙ୍କ ପାଖେପାଖେ ଥିବା ଦେଖିବାକୁ ମିଳୁଛି। (ଫଟୋ ଦେଖନ୍ତୁ)। ଯଦି ନବୀନ ଇଲେକ୍ସନ ପାଇଁ ପୂରା ଫିଟ୍ ଅଛନ୍ତି, ତେବେ ତାଙ୍କ ପାଇଁ ୯ କୋଟି ଟଙ୍କା ବ୍ୟୟରେ ହାଇଟେକ୍ ଆରାମଦାୟକ ପ୍ରଚାର-ବସ୍ କାହିଁକି କିଣା ଯାଇଛି?

ମୁଖ୍ୟମନ୍ତ୍ରୀ ସୁସ୍ଥ ନୁହନ୍ତି, ଏ କଥାଟି ଉଠିଥିଲା ଗତ ସ୍ୱାଧୀନତା ଦିବସ ପ୍ୟାରେଡରୁ । ପ୍ୟାରେଡରେ ଅଭିବାଦନ ଗ୍ରହଣ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଅସହଜ ଅନୁଭବ କରି, ତଳେ ବସିପଡ଼ିବା ଭଳି ସ୍ଥିତି ଉପୁଜିଥିଲା। ପାଖରେ ଥିବା ଅଙ୍ଗରକ୍ଷୀ ତାଙ୍କୁ ଚଉକିରେ ବସାଇ ଦେଇଥିଲେ ଓ ସେ ବସିଥିବା ଅବସ୍ଥାରେ ଅଭିବାଦନ ଗ୍ରହଣ କରିଥିଲେ। ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ହେଲା ଆଉ ମୁଖ୍ୟମନ୍ତ୍ରୀ ସୁସ୍ଥ ନାହାନ୍ତି ବୋଲି ପ୍ରଚାରିତ ହେଲା।

ଆଉ ଏହି ଘଟଣା ବିଜେଡି ଭୋଟ୍‌ ବ୍ୟାଙ୍କକୁ ପ୍ରଭାବିତ କରିବ ବୋଲି ଆଶଙ୍କା ଉପୁଜିଲା। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଏହି ଦଳରେ ଏମିତି କୌଣସି ବ୍ୟକ୍ତିତ୍ୱ ନାହାନ୍ତି ଯିଏ ବିଜେଡି ଭୋଟ ହାତେଇ ପାରିବ। ଏଣୁ ମୁଖ୍ୟମନ୍ତ୍ରୀ ସୁସ୍ଥ ଏବଂ ସେ ନିର୍ବାଚନ ଲଢ଼ିବାକୁ ସମ୍ପୁର୍ଣ୍ଣ ଫିଟ୍‌ ବୋଲି ଦେଖାଇବାକୁ ଉଦ୍ଦେଶ୍ୟମୂଳକ ଭାବେ ସମ୍ପୃକ୍ତ ଭିଡିଓଟି ପ୍ରସ୍ତୁତ ହୋଇଛି।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜନୀତି କରିବାରେ ଧୁରନ୍ଧର ପାଣ୍ଡିଆନ୍‌ଙ୍କ ଭୂମିକା ମଧ୍ୟ ଅନସ୍ୱୀକାର୍ଯ୍ୟ। କାରଣ ଏନ୍‌ଡିଟିଭି ଭିଡିଓ ସୁଟ୍‌ କରାଯାଉଥିବା ବେଳେ ପାଣ୍ଡିଆନ୍‌ଙ୍କ ଉପସ୍ଥିତି ଏହାକୁ ପ୍ରମାଣିତ କରିଛି। ଯାହାର ଫଟୋଟିଏ ଏବେ ଭାଇରାଲ ହେଉଛି।

ବିଜେଡିର ଅନେକ ବରିଷ୍ଠ ନେତା ତଥା ବିଜୁ ଅନୁଗତଙ୍କ ସହ ପାଣ୍ଡିଆନ୍‌ଙ୍କ ସମ୍ପର୍କ ତିକ୍ତ। ଯାହା ସାଧାରଣ ଓଡ଼ିଆ ଲୋକେ ଜାଣି ସାରିଛନ୍ତି। କ୍ଷମତା କେନ୍ଦ୍ର ବୋଲାଉଥିବା ଏହି ତାମିଲ ଅଫିସରଙ୍କ ହାତରେ ବିଜେଡିର ରିମୋଟ କଣ୍ଟ୍ରୋଲ ରହିଛି। ଏପରିକି ତାଙ୍କରି ସକାଶେ ଅନେକ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି। ଆଉ ବୈଜୟନ୍ତ ପଣ୍ଡା ଏହାକୁ ବିରୋଧ କରିବାରୁ ତାଙ୍କର ଶତ୍ରୁ ପାଲଟି ଯାଇଥିଲେ। କିଛି ନେତା ଓ ଅଫିସର, ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତାର ଫାଇଦା ଉଠାଉଛନ୍ତି ବୋଲି ଓଡ଼ିଶାବାସୀ ଜାଣନ୍ତି।



from Odisha Reporter http://bit.ly/2Z04g6j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages