
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ଆଣିଥିବା ମହିଳାଙ୍କ ବିରୋଧରେ ଠକେଇ ଅଭିଯୋଗ ରହିଛି। ଏହି ମାମଲାରେ ପୁଲିସ୍ ମହିଳା ପାଇଥିବା ଜାମିନ୍କୁ ଖାରଜ କରିବା ପାଇଁ କରିଥିବା ଆବେଦନର ଶୁଣାଣି ଆସନ୍ତା ୨୪ ତାରିଖରେ ହେବ। ଆଜି ଦିଲ୍ଲୀର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ଏଭଳି ସୂଚନା ଦେଇଛନ୍ତି। ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ମନୀଷ ଖୁରାନା ଆଜି ଏହି ମାମଲାର ଶୁଣାଣି କରିବାର ଥିଲା। କିନ୍ତୁ ପୁଲିସ୍ କୋର୍ଟରେ ଦାଖଲ କରିଥିବା କପିର ନକଲ ସଂପୃକ୍ତ ମହିଳାଙ୍କୁ ଦେଇ ନଥିବାରୁ ମାମଲାର ପରବର୍ତ୍ତୀ ଶୁଣାଣି ୨୪ ତାରିଖରେ ହେବ ବୋଲି କୁହାଯାଇଛି।
ପୁଲିସ୍ ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ମହିଳାଙ୍କୁ ମାର୍ଚ୍ଚ ୩ରେ ଗିରଫ କରିଥିଲା। ତେବେ ମାର୍ଚ୍ଚ ୧୨ରେ କୋର୍ଟ ତାଙ୍କୁ ଜାମିନ୍ ଦେଇଥିଲେ। ଜାମିନ୍ ପାଇବା ପରେ ମହିଳା ଜଣଙ୍କ ତାଙ୍କ ସହଯୋଗୀଙ୍କ ସହ ମିଶି ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କୁ ଧମକଚମକ ଦେଉଥିବା ଜଣାପଡ଼ିଛି। ଏହାକୁ ଆଧାର କରି ପୁଲିସ୍ ମହିଳାଙ୍କ ଜାମିନ୍ ଆବେଦନକୁ ଖାରଜ କରିବାକୁ ନିବେଦନ କରିଛି।
ମାର୍ଚ୍ଚ ୩ରେ ହରିଆଣାର ଝାଜରଠାରେ ରହୁଥିବା ନଵୀନ କୁମାର ନାମକ ଜଣେ ବ୍ୟକ୍ତି ଦିଲ୍ଲୀର ତିଲକ ନଗର ପୁଲିସ୍ ଷ୍ଟେସନ୍ରେ ମହିଳାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ମହିଳା ଜଣଙ୍କ ସୁପ୍ରିମକୋର୍ଟର ପୂର୍ବତନ କର୍ମଚାରୀ ବୋଲି ପରିଚୟ ଦେଇ ତାଙ୍କୁ ଚାକିରି କରାଇ ଦେବା ନାଁରେ ୫୦ ହଜାର ଟଙ୍କା ନେଇ ଫେରାଉ ନଥିବା ନବୀନ ଅଭିଯୋଗ କରିଥିଲେ।
from Odisha Reporter http://bit.ly/2vcrfNQ
No comments:
Post a Comment