
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୯ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ପଦାକୁ ବାହାରିବା ଏକ ପ୍ରକାରର ମୁସ୍କିଲ ହୋଇଯାଉଛି। ତେବେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ କହୁଛି ଓଡ଼ିଶାବାସୀ ଖରା ଓ ଗରମରୁ ଏବେ ନିସ୍ତାର ପାଇବେ ନାହିଁ। ବରଂ ଆସନ୍ତାକାଲି ଠାରୁ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ବୃଦ୍ଧି ପାଇବ।
ଏପରି କି କିଛି ସହରର ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରାଯାଇଛି।
କେନ୍ଦ୍ରର ନିର୍ଦ୍ଦେଶକ ଡ.ଶରତ ଚନ୍ଦ୍ର ସାହୁ କହିଛନ୍ତି, “ପାଣିପାଗର ଗତିବିଧି କହୁଛି ଆସନ୍ତାକାଲି ଠାରୁ ରାଜ୍ୟରେ ଦିନବେଳା ତାପମାତ୍ରା ବୃଦ୍ଧି ପାଇପାରେ। ଏପ୍ରିଲ ୩୦ ଯାଏ ସମଗ୍ର ରାଜ୍ୟରେ ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇବ। ଏହାପରେ ତାତିରେ ସାମାନ୍ୟ ହ୍ରାସ ଘଟିବ। କିନ୍ତୁ ତାପାମତ୍ରା ମେ’ ୧ ଓ ୨ରେ ୩୯ରୁ ୪୩ ଡିଗ୍ରୀ ମଧ୍ୟରେ ହିଁ ରହିପାରେ।
ଦିନ ବେଳା ଅଧିକ ଖରା ହେବାର ସମ୍ଭାବନା ଥିବାରୁ କିଛି ସ୍ଥାନରେ ଆସନ୍ତାକାଲି ଠାରୁ ମେ’ ୧ ଯାଏ କାଳବୈଶାଖୀର ମଧ୍ୟ ଆଶଙ୍କା ରହିଛି। ସେହିପରି ମେ’ ୨ ତାରିଖ ରାତି ବେଳା ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏହା ମେ’ ୧ ବେଳକୁ ଦକ୍ଷିଣ ଆନ୍ଧ୍ର ପ୍ରଦେଶର ନିକଟତର ହେବ। ତେଣୁ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ମେ’ ୪ ସୁଦ୍ଧା ଏହି ଘୂର୍ଣ୍ଣିବଳୟ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଡ.ସାହୁ ଆକଳନ କରିଛନ୍ତି।
from Odisha Reporter http://bit.ly/2DxV0NJ
No comments:
Post a Comment