୩ୟ ପର୍ଯ୍ୟାୟ ପ୍ରଚାର ସରିଲା, ହେବିୱେଟ୍‌ଙ୍କ ପାଦ ପଡ଼ିଲାନି ଓଡ଼ିଶାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

୩ୟ ପର୍ଯ୍ୟାୟ ପ୍ରଚାର ସରିଲା, ହେବିୱେଟ୍‌ଙ୍କ ପାଦ ପଡ଼ିଲାନି ଓଡ଼ିଶାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସରୁଛି ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର। କାଲି ଦିନକ ଗଲେ ତା’ ପରଦିନ ଭୋଟ୍‌।  ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଆଉ କେନ୍ଦୁଝର ଭଳି ଗୁରୁତ୍ୱପୂର୍ଣ୍ଣ ଲୋକସଭା ଓ ତତ୍‌ସଂଲଗ୍ନ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବ ଭୋଟ୍‌ ଗ୍ରହଣ। ଏହା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳଗୁଡିକ ମଧ୍ୟରୁ ସତ୍ତାଧର ବିଜେଡି ଏବଂ  ବିଜେପି ପ୍ରଚାର ଅଭିଯାନକୁ ତ୍ୱରାନ୍ୱିତ କରିଛି। ହେଲେ କଂଗ୍ରେସ ପକ୍ଷରୁ ସେଭଳି ପ୍ରଚାର ଦେଖିବାକୁ ମିଳୁନି।

ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକଦା କହିଥିଲେ ଯେ, ଯେଉଁ ଦଳର ଆତ୍ମବିଶ୍ୱାସ ନାହିଁ, ସେହି ଦଳ ପ୍ରଚାର ଅଭିଯାନରେ ସାମିଲ ହୁଅନ୍ତି। ଏଣୁ ତାଙ୍କ କଥାକୁ ଶୁଣି ଆମେ ଏହା ଭାବି ପାରିବା ଯେ, କଂଗ୍ରେସ ଦଳର ଆତ୍ମବିଶ୍ୱାସ ବୋଧହୁଏ ଊର୍ଦ୍ଧ୍ୱମୁଖୀ ହୋଇଛି। ତେଣୁ ସେମାନେ ପ୍ରାର୍ଥୀଙ୍କ ଯୋଗ୍ୟତା ଆଧାରରେ ଭୋଟ ହାତେଇ ସତ୍ତାଧର ହେବେ ବୋଲି ନିଶ୍ଚିନ୍ତ। ହେଲେ ଯଦି କଥାଟି ମିଥ୍ୟା ହୁଏ, ତେବେ ଉପରୁ ଆଉ ତଳୁ ଉଭୟ ପଟୁ କଂଗ୍ରେସ ପୋଲା ହୋଇଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନି। ଆଉ ଏହା ମଧ୍ୟ କହିବା ଠିକ୍‌ ହେବ ଯେ, ସମ୍ଭବତଃ ଓଡ଼ିଶା ପାଇଁ ଆଶା ଛାଡି ଦେଇଛି କଂଗ୍ରେସ।

ବିଜେପି: ମିଶନ୍‌ ୧୯ରେ ୩ ପ୍ରମୁଖ ଦଳ ଓଡ଼ିଶାକୁ ଫୋକସ୍‌ କରିଥିଲେ। ବିଜେପି ପ୍ରାୟ ସବୁ ଥର ପ୍ରଚାର ଅପେକ୍ଷା ଏଥର ଅଧିକ କ୍ରିୟାଶୀଳ ଥିବା ପରି ଅନୁଭବ ହେଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ, ଗୃହମନ୍ତ୍ରୀ ରାଜନାଥ ସିଂହ, ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡ଼ିଶାକୁ ପ୍ରଚାର ଅଭିଯାନରେ ଆସିଥିଲେ। ଦେଖିବାକୁ ଗଲେ ବିଜେପିର ଏହି ହେବିୱେଟ୍‌ ପ୍ରଚାର ଏଥର ଫାଇଦା ଦେଇପାରେ।

ବିଜେପିର ଏହି ପ୍ରଚାର ଅଭିଯାନ ଅଧିକାଂଶ ପ୍ରମୁଖ ଲୋକସଭା କ୍ଷେତ୍ରଗୁଡିକୁ ପହଞ୍ଚି ପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର, ସୁନ୍ଦରଗଡ଼, ଭୁବନେଶ୍ୱର, କୋରାପୁଟ, ଭବାନୀପାଟଣାରେ ସଭା ଓ ରୋଡ ସୋ ମାଧ୍ୟମରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚଷ୍ଟା କରିଛନ୍ତି। ମୋଦିଙ୍କ ପାଇଁ ଆୟୋଜିତ ବିଜେପି ଜନସଭାରେ ଜନତାଙ୍କ ଉପସ୍ଥିତି ତାଙ୍କ ଲୋକପ୍ରିୟତାକୁ ପ୍ରମାଣିତ କରିଛି। ଅପରପକ୍ଷେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଓଡ଼ିଶାରେ ବାକି ଥିବା ବେଳେ କେନ୍ଦୁଝର ଓ ବାଲେଶ୍ୱର ସଭାକୁ ନିଜେ ପ୍ରଧାନମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳୀୟ ସୂତ୍ରରୁ ଜଣାପଡୁଛି। ଖାଲି ପ୍ରଧାନମନ୍ତ୍ରୀ ମୋଦି ନୁହଁନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ ନୀତିନ ଗଡ଼କାରୀ ମଧ୍ୟ ଆଗାମୀ ଦିନରେ ଓଡ଼ିଶା ଆସୁଛନ୍ତି। ୨୭ ତାରିଖରେ ଶାହ ମୟୂରଭଞ୍ଜର ମୋରଡ଼ାରେ ଓ ଯାଜପୁରର ସୁକିନ୍ଦାରେ ନିର୍ବାଚନୀ ସଭାରେ ଯୋଗ ଦେବେ। ତାଙ୍କ ପୂର୍ବରୁ ୨୫ ତାରିଖରେ ରାଜନାଥ ସିଂହ ଆସିବେ। ସେହିପରି୨୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ପୁଣି ଥରେ ଓଡ଼ିଶା ଆସି ଯାଜପୁର ଓ ମୟୂରଭଞ୍ଜରେ କିଛି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ଅଭିନେତ୍ରୀ ରୂପା ଗାଙ୍ଗୁଲି ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ଥିବାରୁ ୨୬ ତାରିଖରେ ଓଡ଼ିଶା ଆସିବେ। ପୂର୍ବରୁ ଯୋଗୀ ଆଦିତ୍ୟନାଥ ଓ ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନିର୍ବାଚନ ପ୍ରଚାର କରି ଫେରିଛନ୍ତି।

ବିଜେଡି: ବିଜେପି ପରି ବିଜେଡି ମଧ୍ୟ ଜନତାଙ୍କ ଆସ୍ଥା ଭାଜନ ହେବାକୁ ଉଦ୍ୟମ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦ୍ୱାରା ଗଠିତ ଷ୍ଟାର କ୍ୟାମ୍ପେନରମାନଙ୍କ ଦ୍ୱାରା ସାରା ଓଡ଼ିଶା ବୁଲୁଛନ୍ତି ନବୀନ ଓ ତାଙ୍କ ପ୍ରାର୍ଥୀମାନେ। ହାଇ ପ୍ରୋଫାଇଲ ପ୍ରଚାର ପାଇଁ ଏଥର ବିଜେଡି ଯୋଗାଡ କରିଛି ଏକ ଦାମିକିଆ ଏସି ବସ୍‌। ଯେଉଁଥିରେ ବସି ମୁଖ୍ୟମନ୍ତ୍ରୀ ନିଜେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। କେତବେଳେ ହାତ ହଲାଇ ଅଭିବାଦନ ଗ୍ରହଣ କରୁଛନ୍ତି ତ କେତେବେଳେ ଶଙ୍ଖ ଚିହ୍ନକୁ ଜୟଯୁକ୍ତ କରିବାକୁ ନିବେଦନ କରୁଛନ୍ତି। ଇତି ମଧ୍ୟରେ ୧୪୭ ବିଧାନସଭା କ୍ଷେତ୍ର ମଧ୍ୟରୁ ୮୦ ପ୍ରତିଶତ ଅଞ୍ଚଳ ବୁଲି ସାରିଲେଣି ମୁଖ୍ୟମନ୍ତ୍ରୀ। ଏଣୁ ଏକ ପ୍ରାଦେଶିକ ଦଳ ଭାବେ ମୁଖ୍ୟମନ୍ତ୍ରୀ ନିଜେ ପ୍ରଚାର ମଇଦାନକୁ ଓହ୍ଲାଇ ପ୍ରଚାର କରିବା ନିଶ୍ଚିତ ଭାବେ ବିଜେଡିକୁ ଫାଇଦା ଦେବ ବୋଲି କହିହେବ।

 

କାଳିଆ ଯୋଜନା, ଟଙ୍କିକିଆ ଚାଉଳ ଆଦି ସୁବିଧା ରାଜ୍ୟ ସରକାର ଗରିବ ଜନତାଙ୍କ ଉଦ୍ଦେଶ୍ୟରେ ଯୋଗାଇ ଦେଉଥିବା କଥା ମଧ୍ୟ ବିଜେଡି ପ୍ରାର୍ଥୀ ବାରମ୍ବାର ନିର୍ବାଚନୀ ସଭାରେ ଘୋଷଣା କରୁଛନ୍ତି। ଯାହାକୁ ଲକ୍ଷକଲେ ଜଣାପଡୁଛି ଏଥର ମଧ୍ୟ ଭୋଟରଙ୍କ ମୁଡ୍‌ ବିଜେଡ଼ି ସପକ୍ଷରେ ଯାଇପାରେ।

କଂଗ୍ରେସ: ହେଲେ କଂଗ୍ରେସ ନିର୍ବାଚନ ପ୍ରଚାରରେ ପୂରା ପଛରେ ପଡିଛି କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ପ୍ରଥମେ ପ୍ରାର୍ଥୀ ଚୟନରେ ଅସନ୍ତୋଷ ଓ ପରବର୍ତ୍ତି ସମୟରେ ସଭାନେତ୍ରୀଙ୍କ ଇସ୍ତଫା, ଟିକେଟ କଟିବାରୁ ମହିଳା ପ୍ରାର୍ଥୀଙ୍କ ପିପିସି ସଭାପତିଙ୍କୁ କୈଫିୟତ୍‌ ମାଗିବାର ଭାଇରାଲ ଭିଡିଓ କଂଗ୍ରେସ ବିଜୟ ପଥରେ କଣ୍ଟା କହିଲେ ଅତ୍ୟୁକ୍ତି ହେବନାହିଁ। ହେଲେ ଏଇ ଦୁର୍ବଳ ମୁହୂର୍ତ୍ତରେ ଜାତୀୟ ସ୍ତର ଦଳୀୟ ନେତୃତ୍ୱଙ୍କ ଓଡ଼ିଶା ପ୍ରତି ବିରାଗ ଦଳ ପାଇଁ ବିପର୍ଯ୍ୟୟର କାରଣ ହେବ ବୋଲି କୁହାଯାଉଛି।

କାରଣ ବିଜେପି ଆଉ ବିଜେଡି ଭଳି କଂଗ୍ରେସ କୌଣସି ହାଇ ପ୍ରୋଫାଇଲ କ୍ୟାମ୍ପେନ୍‌ କରୁନାହିଁ କହିଲେ ଚଳେ। ଦଳ ମୁଖିଆ ରାହୁଲ ଗାନ୍ଧୀ ହୁଅନ୍ତୁ କି ଭଉଣୀ ପ୍ରୀୟଙ୍କା ୩ୟ ପର୍ଯ୍ୟାୟ ନିର୍ବାଚନ ସରିଲା ପଛେ ଓଡ଼ିଶାରେ ପାଦ ପକାଇଲେ ନାହିଁ। ଖାଲି ରାହୁଲ ନୁହଁନ୍ତି, ଚାହିଁଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ବାଘେଲା ଓଡ଼ିଶା ଆସି ପ୍ରଦେଶ କଂଗ୍ରେସର ମନୋବଳ ଦୃଢ କରିପାରିଥାନ୍ତେ। କାରଣ ସାରା ଦେଶରେ ଏବେ ମୋଦି ଲହର ଖେଳୁଥିବା ବେଳେ ଏହି ୩ ରାଜ୍ୟରେ କଂଗ୍ରେସର ଅପ୍ରତ୍ୟାଶିତ ବିଜୟ ହିଁ ଥିଲା ସାମ୍ପ୍ରତିକ ନିର୍ବାଚନ ମାହୋଲର ସବୁଠାରୁ ରୋଚକ ଘଟଣା। ହେଲେ ଏମାନଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳିଲାନି। ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ଦେଉଥିବା କଥା କହି ପ୍ରାୟ ୮୩ ଜଣ ନୂଆ ପ୍ରାର୍ଥୀଙ୍କୁ ଏଥର ଓଡ଼ିଶାରେ କଂଗ୍ରେସ ଟିକେଟ ଦେଇଛି। ହେଲେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କିଙ୍ଗ ମେକର ବନିଥିବା ସଚିନ ପାଇଲଟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଯୁବ ନେତା ମଧ୍ୟ ଓଡ଼ିଶା ପ୍ରତି ବିମୁଖ ହେଲେ। ଏମାନେ ଯଦି ନୂଆ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମଇଦାନକୁ ଓହ୍ଲାଇଥାନ୍ତେ, ହୁଏତ କଂଗ୍ରେସକୁ କିଛି ଫାଇଦା ହୋଇଥାନ୍ତା। ଏଣୁ ଏହିସବୁ ଘଟଣା ପ୍ରବାହରେ କଂଗ୍ରେସର କ୍ଷୀଣ ପ୍ରଚାର ଦେଖି ଏହା ଲାଗୁଛି ଯେ, କଂଗ୍ରେସ ସତରେ ଓଡ଼ିଶାଠାରୁ ବାସ୍ତବରେ ଆଶା ଛାଡି ଦେଇଛି।



from Odisha Reporter http://bit.ly/2INIdtV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages