
ରାଉରକେଲା(ପୱନ ତିୱାରୀ): କିଛିଦିନର ବ୍ୟବଧାନ ପରେ ଦିଲିପ ରାଏ ଆଜି ରାଉରକେଲା ଫେରିବା ପରେ ଏଠି ରାଜନୀତି ପୁଣି ଜୋର୍ ଧରିଛି। ରାଉରକେଲାବାସୀ ଯାହା ଆକଳନ କରୁଥିଲେ ତାହା ହିଁ ହେବାକୁ ଯାଉଛି ବୋଲି କୁହାଯାଇପାରେ। ସେ ଏବେ ବିଜେଡି ପାଇଁ କାମ କରିବେ ବୋଲି ଅନୁମାନ କରାଯାଉଥିଲେ ବି ସକାଳେ ତାଙ୍କ ମୁହଁରୁ ବାହାରିଥିବା କଥା ପୁଣି ଅଡୁଆ ସୃଷ୍ଟି କରିଛି।
ଯଦି ସେ ବିଜେଡିରେ ସାମିଲ ହୁଅନ୍ତି, ତେବେ ବିଜେଡି ମୁଖିଆ ତାଙ୍କୁ କ’ଣ କାମ ଦେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର। ଆଉ ଯଦି ସେ ନିଜ ବନ୍ଧୁ ପଣିଆ ଦେଖାଇ ବିଜେପି ନେତା ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରନ୍ତି ତା’ ହେଲେ ଅଙ୍କ ବୁଝିବାକୁ ଟିକେ ଅକଲ ଲଗାଇବାକୁ ପଡିବ ବୋଲି କୁହାଯାଇପାରେ।
ଏତେ କଥା ଶୁଣିଲା ପରେ, ବାସ୍ତବ କଥାଟି କ’ଣ ଆପଣଙ୍କର ଜାଣିବାକୁ ଇଚ୍ଛା ହେଉଥିବ।
ତା’ ହେଲେ ପଢନ୍ତୁ-
କିଛି ଦିନ ତଳେ ଅତର୍କିତ ଭାବେ ଦିଲ୍ଲୀପ ନବୀନ ନିବାସରୁ ବାହାରି କେଉଁ ଆଡେ ଉଭାନ ହୋଇଗଲେ। କୁଆଡେ ଗଲେ, କାହାକୁ ନେଇ ଗଲେ ସେ କଥା କାହାରିକୁ ଜଣା ନ ଥିଲା। ସେ ଉଭାନ୍ ହେଲା ପରେ ରାଜନୀତି ଉଷ୍ମ ହେଲା। ପ୍ରାର୍ଥୀମାନେ ହାଇଭୋଲଟେଜ ପ୍ରଚାରରେ ଲାଗିଲେ। ଦିନରାତି ଏକ କରି ଚାଲିଲା ପ୍ରଚାର। ଏତିକି ବେଳେ ଆଜି ସକାଳେ ରାଉରକେଲା ଫେରିଲେ ଦିଲୀପ।
ଗଣମାଧ୍ୟମ ପ୍ରତିନିଧି ତାଙ୍କ ଘେରି ପ୍ରଶ୍ନ କରିବାରୁ ସେ ନିଜ ବନ୍ଧୁ ବିଜୟ ମହାପାତ୍ରଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ପରୋକ୍ଷରେ ଆଭାଷ ଦେଲେ। ଲାଗିଲା ସତେ ଯେମିତି ସେ ନିଜ ଇଚ୍ଛାରେ ବିଜେପି ପ୍ରାର୍ଥୀ ହୋଇଥିବା ବିଜୟଙ୍କୁ ସମର୍ଥନ କରି ବିଜେପି ପ୍ରତି ଢଳୁଛନ୍ତି। କିନ୍ତୁ ଏ ପ୍ରଶ୍ନର ଉତ୍ତର ଦେଉ ଦେଉ ସେ କୌଣସି ଦଳକୁ ସମର୍ଥନ କରିବେ ନାହିଁ ବୋଲି ରୋକଠୋକ୍ କହିଲେ।
ଘଣ୍ଟାକ ପରେ ସମୀକରଣ ପୁଣି ବଦଳିଲା।
ବିଜେଡି ଟିକେଟରୁ ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ହୋଇଥିବା ସୁନୀତା ବିଶ୍ୱାଳ, ବିଜେପିର ବିଧାୟକ ପ୍ରାର୍ଥୀ ନିହାର ରାଏ ଓ ଜଗବନ୍ଧୁ ବେହେରା ମଧ୍ୟ ତାଙ୍କୁ ଭେଟିଲେ।
ଏହାର କିଛି ଘଣ୍ଟା ପରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ(କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି) ମଧ୍ୟ ତାଙ୍କୁ ଭେଟିଲେ। ଯାହା ଥିଲା ସବୁଠାରୁ ଆଶ୍ଚର୍ଯ୍ୟାର କଥା। କାରଣ ଏକଦା ସହରରେ ସୁବ୍ରତ-ଦିଲିପଙ୍କୁ ଏକାଠି ଦେଖିବାକୁ ମିଳୁ ନ ଥିଲା। ଦୁହେଁ ପାରମ୍ପରିକ ବିରୋଧୀ ବୋଲି କୁହାଯାଉଥିଲା। ହେଲେ ୧୯ ନିର୍ବାଚନ ରାଜନୀତି ଆକାଶର ଏହି ମହାଜାଗତିକ ଦୃଶ୍ୟକୁ ସାର୍ବଜନୀନ କରିଦେଲା। ହେଲେ ବୁଝା ପଡିଲାନି ବାସ୍ତବରେ କଥାଟା କ’ଣ।
ସୁବ୍ରତ ତରାଇ ଓ ଦିଲିପ ରାଏ ଏକ ରୁଦ୍ଧଦ୍ୱାର କୋଠରୀରେ ଦୀର୍ଘ ଅଧଘଣ୍ଟାରୁ ଅଧିକ ସମୟ ଆଲୋଚନା କଲେ । ସେମାନଙ୍କ ଭିତରେ କ’ଣ ଆଲୋଚନା ହେଲା ତାହା ସେ ଉଭୟ ହିଁ ଜାଣିଥିବେ। ଅପରାହ୍ନରେ ଦିଲୀପଙ୍କ ବାସବଭବନରେ ପୁଣି ଏକ ବୈଠକ ବସିଲା। ଯେଉଁଥିରେ ଦିଲୀପଙ୍କ ସମର୍ଥକ ଓ କିଛି ନେତା ଯୋଗ ଦେଇଥିଲେ।
ଦିଲୀପ କିନ୍ତୁ ସାମ୍ବାଦିକମାନଙ୍କ ପ୍ରଶ୍ନକୁ ଏଡାଇ ଯାଇ କିଛି ଫାଇନାଲ ହୋଇନି ବୋଲି କହିଲେ। ଆଉ କହିଲେ-
ରାଉରକେଲାବାସୀଙ୍କ ଦୀର୍ଘ ଦିନର ଦୁଇଟି ଦାବି ଉପରେ ମୁଁ ଆଜି ବି ସ୍ଥିର ରହିଛି। ଯିଏ ଏହି ଦାବି ପୂରଣ ଲାଗି ସମର୍ଥନ ଜଣାଇବେ ମୁଁ ତାଙ୍କୁ ସମର୍ଥନ କରିବି। ଅର୍ଥାତ୍ ଆଇଜିଏଚ୍କୁ ସୁପର ଶେଷ୍ପାଲିଷ୍ଟ ହସ୍ପିଟାଲର ମାନ୍ୟତା ମିଳିବା ଦରକାର ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାର୍ଯ୍ୟ ଶିଘ୍ର ସରିବା ଦରକାର।
ଏହି ଘଟଣା ପରେ ଏବେ ସୁନ୍ଦରଗଡ଼ ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚା, ଦିଲୀପଙ୍କ ରଣନୀତି ବାସ୍ତବରେ କ’ଣ, କେହି ବୁଝି ପାରୁ ନାହାନ୍ତି।
from Odisha Reporter https://ift.tt/2CRuSNx
No comments:
Post a Comment