
ନୂଆଦିଲ୍ଲୀ: ଓଡ଼ିଶାରେ କ୍ଷମତାରେ ଥିବା ବିଜେଡି ସରକାର ଏବଂ କେରଳରେ କ୍ଷମତାସୀନ ଲେଫ୍ଟ ଫ୍ରଣ୍ଟ ସରକାର ସେମାନଙ୍କ ପ୍ରତିଶ୍ରୁତି ପୂରଣ କରିନଥିବାର ସାଂଘାତିକ ତଥ୍ୟ ଉପସ୍ଥାପନ କରିଛି ପଲିସି ରିସର୍ଚ୍ଚ ସେଣ୍ଟର ନାମକ ଏକ ଗବେଷଣା ସଂସ୍ଥା। ସେମାନଙ୍କ ରିପୋର୍ଟରେ ସେମାନେ ଦର୍ଶାଇଛନ୍ତି, ଏପରି କରି ଏହି ଦୁଇ ରାଜ୍ୟରେ କ୍ଷମତାସୀନ ସରକାର ଲୋକଙ୍କ ସହିତ ଧୋକା କରିଛନ୍ତି।
ଏହି ସଂସ୍ଥା ପକ୍ଷରୁ ୨ଟି ପୃଥକ ପୃଥକ ରିପୋର୍ଟରେ ବିଜେଡି ଓ ଲେଫ୍ଟ ଫ୍ରଣ୍ଟ ଦେଇଥିବା ପ୍ରତିଶ୍ରୁତିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି। କିଭଳି ଭାବରେ ନିର୍ବାଚନ ସମୟରେ ଇସ୍ତାହାରରେ ୨ ରାଜ୍ୟର ସରକାର ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ପରେ ଭୁଲିଯାଇଛନ୍ତି, ତାର ଉଲ୍ଲେଖ କରିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ବାବଦରେ ମଧ୍ୟ ୨ଟି ରିପୋର୍ଟ ପ୍ରକାଶ କରିଛନ୍ତି। ସେମାନେ ମୋଟ ୪ଟି ଗବେଷଣାଧର୍ମୀ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।
ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ତଥା ରାଜ୍ୟସଭା ସାଂସଦ ବିନୟ ସହସ୍ରବୁଦ୍ଧେ ଏହି ଗବେଷଣା ସଂସ୍ଥାର ନିର୍ଦ୍ଦେଶକ। ଏହି ରିପୋର୍ଟ ରିଲିଜ୍ ସମୟରେ ସହସ୍ରବୁଦ୍ଧେ କହିଥିଲେ, ଲଗାତାର ୨୦ ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ବିଜେଡି ଓଡ଼ିଶାକୁ ଏହାର ଦୟନୀୟ ସ୍ଥିତିରୁ ଉପରକୁ ନେଇପାରୁନି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କରେ ଓଡ଼ିଶାର ସ୍ଥିତି ଅବିଶ୍ୱସନୀୟ ଭାବରେ ନକାରାତ୍ମକ।
ଏଥିରେ କୁହାଯାଇଛି ବିଜେଡି ଏହାର ପ୍ରତିଶ୍ରୁତିର ୬୦ % ପୂରଣ କରିପାରିନାହିଁ। ଯେଉଁ ସବୁ ସ୍ଥାନରେ ବିକାଶ ହୋଇଛି, ତାହା କେନ୍ଦ୍ର ସହାୟତାରେ ହୋଇଛି ବୋଲି ସେ କହିଛନ୍ତି। ସାମଜିକ କ୍ଷେତ୍ର ଏବଂ କୃଷି କ୍ଷେତ୍ରରେ ମଧ୍ୟ ଏହି ରାଜ୍ୟ ବିଶେଷ କିଛି ଉନ୍ନତି କରିପାରି ନାହିଁ ବୋଲି ମଧ୍ୟ ଏଥିରେ କୁହାଯାଇଛି।
ସେହିଭଳି କେରଳ ସରକାର ସ୍ୱଚ୍ଛତା ଅବଲମ୍ବନ ନକରି ସବୁ କାର୍ଯ୍ୟକ୍ରମର ଅଗ୍ରଗତି ବାବଦରେ ତଥ୍ୟ ଲୁଚାଇଆସୁଛନ୍ତି, ଲୋକେ ସେମାନଙ୍କ ବିଫଳ ଯୋଜନା ବାବଦରେ ଜାଣିଯିବେ ବୋଲି ସେମାନେ ଭୟଭୀତ ହେଉଛନ୍ତି। ସେମାନେ ପର୍ଯ୍ୟଟନ ୨ ଗୁଣ କରିଦେବେ ବୋଲି ଏକ ଯୋଜନା ଆଣିଥିଲେ, କିନ୍ତୁ ପ୍ରକୃତରେ ଏଥିରେ ୧୦ % ହ୍ରାସ ହୋଇଛି। କେରଳରେ ୮୩% ପ୍ରତିଶ୍ରୁତି ପୂରଣ ହୋଇପାରିନାହିଁ।
ଏହି ରିପୋର୍ଟରେ ମୋଦି ସରକାରଙ୍କୁ ଶିଳ୍ପ, ଉତ୍ପାଦନ ଏବଂ କୃଷି ଆଦି କ୍ଷେତ୍ରରେ ଶ୍ରେୟ ଦିଆଯାଇଛି। ମେକ୍ ଇନ୍ ଇଣ୍ଡିଆ, ବିକାଶ ଏବଂ ଖଦି ଶିଳ୍ପର ଅଗ୍ରଗତି ବାବଦରେ ଏଥିରେ ଭୁରି ଭୁରି ପ୍ରଶଂସା କରାଯାଇଛି। ସହଜରେ ଋଣ ଏବଂ କିଛି କୃଷି ଉତ୍ପାଦର ମୂଲ୍ୟ ୧୫୦% ବଢ଼ିଥିବା ଆଦି ତଥ୍ୟ ଏଥିରେ ରହିଛି।
from Odisha Reporter http://bit.ly/2XAait3
No comments:
Post a Comment