ବିଜେଡି ସଂଗଠନ: ଦେଉଳଠୁ ବଳିଗଲାଣି ମୁଖଶାଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ବିଜେଡି ସଂଗଠନ: ଦେଉଳଠୁ ବଳିଗଲାଣି ମୁଖଶାଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ବଢ଼ୁଥିବା ତୀବ୍ର ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ବିଜେଡି ନେତୃତ୍ୱ ଏବେ ତୁଷ୍ଟୀକରଣ ନୀତି ଆପଣାଇଛନ୍ତି। ନେତାମାନଙ୍କୁ ‘ଲଲିପପ୍’ ଦେବାଭଳି ସେମାନଙ୍କୁ ସାଂଗଠନିକ ପଦପଦବୀରେ ଥଇଥାନ କରାଯାଉଛି। ଯାହାଫଳରେ ଦଳର ସଂଗଠନର ସ୍ଥିତି ଏବେ ଦେଉଳଠୁ ମୁଖଶାଳାକୁ ବଳି ଯିବା ଭଳି ହୋଇଛି।

ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ୩ଜଣ ନେତା ପ୍ରିୟଦର୍ଶୀ ମିଶ୍ର, ଜନ୍ମେଜୟ ଲେଙ୍କା ଓ ମୀନକେତନ ଅମାତଙ୍କୁ ବିଜେଡିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି। ବିଧାୟକ ଶ୍ରୀ ମିଶ୍ରଙ୍କ ଟିକେଟ୍ କଟାଯାଇଥିବାବେଳେ ବାକି ଦୁଇ ନେତା ଚଳିତ ନିର୍ବାଚନ ପାଇଁ ଟିକେଟ୍ ଆଶାୟୀ ଥିଲେ। ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳର ସାଧାରଣ ସମ୍ପାଦକ ପଦରେ ଅବସ୍ଥାପିତ କରାଯାଇଛି।

ସୂଚନା ଅନୁସାରେ, ଏହି ୩ଜଣଙ୍କ ନିଯୁକ୍ତି ସହ ବିଜେଡିରେ ସାଧାରଣ ସମ୍ପାଦକ ପଦବୀ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ଦଳର ସମ୍ପାଦକ ପଦବୀ ଏବେବି ୨୦ ମଧ୍ୟରେ ସୀମିତ ଥିବାବେଳେ ଉପସଭାପତି ପଦରେ ୯ଜଣ ନେତା ନିଯୁକ୍ତ ହୋଇଛନ୍ତି। ଦୁଇଦିନ ତଳେ ବରିଷ୍ଠ ନେତା ରଘୁନାଥ ମହାନ୍ତି ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ଦଳର ଉପସଭାପତି ପଦ ସଂଖ୍ୟା ୧୦ରୁ ୯କୁ ହ୍ରାସ ପାଇଛି।

ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଗତ କିଛିଦିନ ମଧ୍ୟରେ ଆୟୁବ ଖାନ୍, ସୁବାସ ଚୌହାନ, ଅନନ୍ତ ନାରାୟଣ ଜେନା, ରବି ସାମଲ ଓ ଅନୁପ ପାତ୍ରଙ୍କୁ ଦଳର ସାଧାରଣ ସମ୍ପାଦକ ପଦବୀରେ ନିଯୁକ୍ତି ମିଳଥିବାବେଳେ ଆଜି ବିଧାୟକ ପ୍ରିୟଦର୍ଶୀଙ୍କ ସହ ଜନ୍ମେଜୟ ଓ ମୀନକେତନଙ୍କୁ ମଧ୍ୟ ଏହି ପଦରେ ନିଯୁକ୍ତି ମିଳିଛି। ଶ୍ରୀ ମିଶ୍ର ପୂର୍ବରୁ ବିଜେଡି ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ବିଜେଡିର ତଥ୍ୟ ଅନୁସାରେ ଏବେ ଦଳର ସାଧାରଣ ସମ୍ପାଦକ ଦେବାଶୀଷ ନାୟକ, ପଦ୍ମନାଭ ବେହେରା, ବଦ୍ରି ପାତ୍ର, ପ୍ରଶାନ୍ତ ନନ୍ଦ, ସୁଦାମ ମାର୍ଣ୍ଡି, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ରାଜେନ୍ଦ୍ର ଢୋଲକିଆ, ଯୋଗେନ୍ଦ୍ର ତ୍ରିପାଠୀ, ବିକ୍ରମ ପଣ୍ଡା, ନୃସିଂହ ସାହୁ, ସୁଧୀର ସାମଲ, ସରୋଜିନୀ ହେମ୍ବ୍ରମ, ପ୍ରଣବ ପ୍ରକାଶ ଦାସ, ମାନସ ମଙ୍ଗରାଜ ପ୍ରମୁଖ ରହିଛନ୍ତି।

ଗତ ୩ଦିନ ପୂର୍ବରୁ ଟିକେଟ୍ ଆଶାୟୀ ଥିବା ରବି ସାମଲ ଓ ଅନୁପ ପାତ୍ରଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇ ସେମାନଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ଉଦ୍ୟମ ହୋଇଛି। ସେହିପରି ବିଜେପିରୁ ଆସି ବିଜେଡିରେ ସାମିଲ ହୋଇଥିବା ସୁବାସ ଚୌହାନଙ୍କୁ ମଧ୍ୟ ସାଧାରଣ ସମ୍ପାଦକ ପଦବୀ ସହ ୪ଟି ଜିଲ୍ଲାର ପର୍ଯ୍ୟବେକ୍ଷକ କରାଯାଇଛି। କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ଟିକେଟ୍ କଟିବା ପରେ ବିଜେଡିର ସାଧାରଣ ସମ୍ପାଦକ ପଦବୀ ସହ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ନ୍ୟସ୍ତ ହୋଇଛି। ଭୁବନେଶ୍ୱର ମହାନଗରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଟିକେଟ୍ ନଦେବା ପାଇଁ ପୂର୍ବରୁ ସ୍ଥିର ହୋଇଥିଲା। ସେଥିପାଇଁ ତାଙ୍କୁ ଦଳର ସାଧାରଣ ସମ୍ପାଦକ ପଦବୀ ସହ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ନ୍ୟସ୍ତ ହୋଇଥିଲା। କିନ୍ତୁ ସେ ଦଳ ଉପରେ ଚାପ ପକାଇ ଟିକେଟ୍ ହାତେଇବାରେ ସକ୍ଷମ ହୋଇଛନ୍ତି।

ଅପରପକ୍ଷରେ ବିଜେଡି ତା’ର ଜନ୍ମଠୁ ଏପର୍ଯ୍ୟନ୍ତ ନିଜର ସଂଗଠନରେ କେବେ ବି ଏତେସଂଖ୍ୟକ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେଇନଥିଲା। ଏବେ ଏଭଳି ନିଯୁକ୍ତି ଦେଇ ଦଳ ଉକ୍ତ ପଦବୀର ଗୁରୁତ୍ୱକୁ ହ୍ରାସ କରିବାରେ ଲାଗିଛି। ଯେଉଁଠି ସମ୍ପାଦକ ସଂଖ୍ୟା ୨୦ ମଧ୍ୟରେ ସୀମିତ ରହିଛି ସେଠି ସାଧାରଣ ସମ୍ପାଦକ ସଂଖ୍ୟା କିଭଳି ୨୬ ଛୁଇଁଲାଣି ତାକୁ ନେଇ ମଧ୍ୟ ଦଳୀୟ ମହଲରେ ଅସନ୍ତୋଷ ମୁଣ୍ଡ ଟେକିଥିବା ଜଣାପଡ଼ିଛି।



from Odisha Reporter http://bit.ly/2uPbQml

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages