
ମାଲକାନଗିରି (ଜିତେନ୍ଦ୍ର ବେଉରା): ଗାଁର ବିକାଶ ଆଉ ଆଦିବାସୀଙ୍କ ଉନ୍ନତି ପାଇଁ ସରକାରଙ୍କ ହଜାରେ ଯୋଜନା ରହିଛି। ଅନ୍ଧାରୀ ମୁଲକରେ ବଞ୍ଚୁଥିବା ଅନୁସୂଚିତ ଜନଜାତି ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ ନେତା କେତେ କଣ ବୟାନବାଜି କରୁଛନ୍ତି। ହେଲେ ଆମ ରାଜ୍ୟରେ ଏବେ ବି ଏମିତି କିଛି ଅଞ୍ଚଳ ଅଛି, ଯେଉଁଠି ଏଯାଏଁ ପଡ଼ିନି ବିକାଶର ପଦଚିହ୍ନ। ସ୍ୱାଧୀନ ଦେଶର ନାଗରିକ ହୋଇବି ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ସର୍ବନିମ୍ନ ଆବଶ୍ୟକତା ଆଜି ବି ଏମାନଙ୍କ ପାଇଁ ସ୍ୱପ୍ନ। ଆଜି ଆମେ କହିବୁ ମାଲକାନିଗିରି ଜିଲ୍ଲାର ଚିର ଅବହଳା ଜଲାଗୁଡ଼ା ଗାଁର ଅସରନ୍ତି କାହାଣୀ।
ଗାଁର ରାସ୍ତା କହିଲେ ଆବଡ଼ା ଖାବଡ଼ା। ଆଉ ଘର କହିଲେ ନୂଆଁଣିଆ ଝାଟିମାଟି କାନ୍ଥ ଓ ଉପରେ ବିଛା ଯାଇଥିବା କିଛି ଅସଜଡା ଟାଇଲ। ମାଲକାନିଗିରି ଜିଲ୍ଲା ସଦର ମହକୁମା ଠାରୁ ୬୫ କିମି ଦୂର ଏ ଗାଁର ନାଁ ଜଲାଗୁଡ଼ା।
ସ୍ୱାଧୀନ ଭାରତର ନାଗରିକ ହୋଇଥିଲେ ବି ସତେ ଯେମିତି ପରାଧୀନ ଏ ଗାଁର ଲୋକେ। କାରଣ ଜଲାଗୁଡ଼ାରେ ଏଯାଏଁ ପଡ଼ିନି କେଉଁ ସରକାରୀ ବାବୁ କି ଜନ ପ୍ରତିନିଧଙ୍କ ପାଦ। ବଣ ଜଙ୍ଗଲ ଘେରା ଏ ଦୁର୍ଗମ ଅଞ୍ଚଳକୁ ରାସ୍ତାଟିଏ ନଥିବା ବେଳେ ଶାସନ ପ୍ରଶାସନ ଏଠି ପହଞ୍ଚିବ ବା କେମିତି? କୋରକୋଣ୍ଡା ବ୍ଲକ୍ର ନାକାମାମୁଡ଼ି ପଞ୍ଚାୟତ ଅଧୀନରେ ଆସୁଥିବା ଏ ଗାଁ ଠାରୁ ପଞ୍ଚାୟତ କାର୍ଯ୍ୟାଳୟର ଦୂରତା ବି ପ୍ରାୟ ୫୦ କିଲୋମିଟର।
ତେଣୁ ଲୋକେ ଏତେ ଦୂରକୁ ଚାଲି ଚାଲି ଆସି ହକ୍ ଦାବି କରିବା କାଠିକର ପାଠ। ଆଉ ଏପଟେ ପ୍ରଶାସନ ବି ଯେମିତି ଏମାନଙ୍କ ପାଇଁ ପାଲଟି ଯାଇଛି ନିଦା ବିଷ୍ଣୁ।
କେବଳ ଜଲାଗୁଡ଼ା ନୁହେଁ, ନାକାମାମୁଡ଼ି ପଞ୍ଚାୟତର ଭାଟିଗୁଡ଼ା, ବାଙ୍କିଆଗୁଡ଼ା, ସିରାଗୁଡ଼ା ଭଳି ଆଉ ତିନିଟି ଗାଁ ବି ସରକାରୀ ଯୋଜନା ଠାରୁ ଯୋଜନ ଦୂରରେ। ଆଦିବାସୀ ଅଧ୍ୟୁଷିତ ଏ ଅଞ୍ଚଳବାସୀଙ୍କ ପାଇଁ ପାନୀୟ ଜଳର ଉତ୍ସ କହିଲେ ଝରଣା ଓ ଚୁଆର ଗୋଳିଆ ପାଣି।
କୌଣସି ଗୋଟିଏ ହେଲେ ଗାଁରେ ସ୍କୁଲ ତ ଦୂରର କଥା ଅଙ୍ଗନବାଡ଼ି କେନ୍ଦ୍ରଟିଏ ନଥିବାରୁ ପୂର୍ବ ପିଢ଼ି ଭଳି ଶିକ୍ଷା ଅଧିକାରରୁ ବଞ୍ଚିତ ହେଉଛନ୍ତି। ଦେହପା ଖରାପ ହେଲେ ଖଟିଆରେ ବୁହା ହୁଅନ୍ତି ରୋଗୀ ଓ ଗର୍ଭବତୀ ମହିଳା।
ବର୍ଷ ବର୍ଷ ଧରି ପ୍ରଶାସନିକ ଉଦାସୀନତାର ଶିକାର ହୋଇ ଆସିଥିବା ଏ ଲୋକେ କିନ୍ତୁ ଗତ କିଛି ବର୍ଷ ହେବ ନିଜ ପାଇଁ ହକ୍ ମାଗିବା ଆରମ୍ଭ କରିଛନ୍ତି। ଗତ ୨୦୦୪ ମସିହାରୁ ଅଞ୍ଚଳବାସୀ ଭୋଟ୍ ବର୍ଜନ କରି ଆସୁଥିବା ବେଳେ ଏଥର ବି ଗଣତନ୍ତ୍ର ଏ ମହାପର୍ବରେ ସାମିଲ ନହେବାକୁ ନିଷ୍ପତ୍ତି ନେଇଛନ୍ତି।
from Odisha Reporter http://bit.ly/2WUpZuF
No comments:
Post a Comment