ଦାସବର୍ମାଙ୍କ ପାଇଁ କାଳ ହୋଇପାରେ ଲୁଲୁଙ୍କ ଅନୁକମ୍ପା ଭୋଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଦାସବର୍ମାଙ୍କ ପାଇଁ କାଳ ହୋଇପାରେ ଲୁଲୁଙ୍କ ଅନୁକମ୍ପା ଭୋଟ୍‌

ବ୍ରହ୍ମଗିରି(ରବିନାରାୟଣ ପୂଜାରୀ): ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ରହିଛି ବ୍ରହ୍ମଗିରି ବିଧାନସଭା ଆସନ। ବ୍ରହ୍ମଗିରି ବ୍ଲକ୍‌ର ୨୫ଟି ପଞ୍ଚାୟତ, କୃଷ୍ଣ ପ୍ରସାଦ ବ୍ଲକ୍‌ର ୨୧ଟି ପଞ୍ଚାୟତ ଓ ପୁରୀ ସଦର ବ୍ଲକ୍‌ର ୧୧ଟି ପଞ୍ଚାୟତକୁ ନେଇ ବ୍ରହ୍ମଗିରି ବିଧାନସଭା ମଣ୍ଡଳୀ ଗଠିତ ହୋଇଛି। ଏହାର ଭୌଗୋଳିକ ସ୍ଥିତି ଦେଖିବାକୁ ଗଲେ ଗୋଟିଏ ପଟେ ବଙ୍ଗୋପସାଗର ଓ ଅନ୍ୟପଟେ ଚିଲିକା ହ୍ରଦ। ସେହିପରି ଚିଲିକାର ସାତପଡ଼ା, ଅଲାରନାଥ ମନ୍ଦିର ଓ ବାଲିହରଚଣ୍ଡୀ ପରି ପର୍ଯ୍ୟଟନସ୍ଥଳୀ ମଧ୍ୟ ଏଠାରେ ରହିଛି। ଏଠାକାର ଲୋକମାନେ ଜୀବନ ନିର୍ବାହ କରିବା ପାଇଁ କୃଷି ଓ ମାଛ ଚିଙ୍ଗୁଡ଼ି ଚାଷ ଉପରେ ନିର୍ଭର କରିଥାନ୍ତି। ଆଗକୁ ହେବାକୁ ଥିବା ସାଧାରଣ ନିର୍ବାଚନରେ ଏଠାରେ ୩ ଦଳ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। କିନ୍ତୁ ସବୁଥର ପରି ଏଥର ମଧ୍ୟ ଏଠାକାର ଲୋକ ସମସ୍ତ ସୁବିଧା ସୁଯୋଗ ପୂରଣ ହୋଇ ପାରିନାହିଁ। ନିର୍ବାଚନ ପାଖେଇ ଆସିଲେ ନେତାମାନେ ବ୍ରହ୍ମଗିରିବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ ସତ କିନ୍ତୁ ପରେ ତାହା ଅନେକାଂଶରେ ସଫଳ ହୋଇପାରିନାହିଁ।

ସମସ୍ୟା: ବ୍ରହ୍ମଗିରି ଲୋକଙ୍କର ମୁଖ୍ୟ ସମସ୍ୟା ହେଉଛି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଯୋଗାଣ, ଜଳ ନିଷ୍କାସନ ଓ ଜଳସେଚନ। ଚିଲିକାରେ ସ୍ଥାୟୀ ସେତୁ, ନିଯୁକ୍ତି ପାଇଁ ଶିଳ୍ପ ଉଦ୍ୟୋଗ ଏବଂ ବ୍ରହ୍ମଗିରିକୁ ଏନ୍‌.ଏ.ସି ଘୋଷଣା ଦାବି ।

ରାଜନୈତିକ ପୃଷ୍ଠଭୂମି: ଶାସକ ହୁଅନ୍ତୁ କିମ୍ୱା ବିରୋଧୀ ବ୍ରହ୍ମଗିରି ବିଧାନସଭା ଆସନଟି ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ୧୯୯୫ ମସିହାରୁ କଂଗ୍ରେସର ଯୁବନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ ମହାପାତ୍ର) ଏଠାରୁ ବିଜୟୀ ହେବାପରେ ୨୦୦୦ ଓ ୨୦୦୪ ମସିହାରୁ ମଧ୍ୟ ବିଜୟୀ ହୋଇ ଏହାକୁ କଂଗ୍ରେସ ଗଡ଼ରେ ପରିଣତ କରିଥିଲେ। କିନ୍ତୁ ୨୦୦୯ରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢ଼ିବା ପରେ ବିଜେଡି ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା ୪୮୮୬ ଖଣ୍ଡ ଭୋଟରେ ଆଗରେ ରହି ବିଜୟୀ ହୋଇଥିଲେ। ସେହିପରି ପରବର୍ତ୍ତୀ ନିର୍ବାଚନ ୨୦୧୪ରେ ମଧ୍ୟ ସଞ୍ଜୟ ଦାସବର୍ମା ଲୁଲୁ ମହାପାତ୍ରଙ୍କର ଶାରୀରିକ ଅସୁସ୍ଥତାର କାରଣ ଦର୍ଶାଇ ୧୩୪୧ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ଯାହାକୁ ନେଇ କଂଗ୍ରେସ ବିଧାୟକ ଲୁଲୁ ମହାପାତ୍ର ଭୋଟ ଜାଲିଆତି ବୋଲି କହି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ମଧ୍ୟ ଉଚ୍ଚତମ ନ୍ୟାୟାଳରେ ଏହି ମାମଲା ବିଚାରାଧୀନ ହୋଇ ରହିଛି।

କଂଗ୍ରେସର ଲୁଲୁ ଓ ତାଙ୍କ ପରିବାର: ୨୦୧୯ ସାଧାରଣ ନିର୍ବାଚନରେ ବ୍ରହ୍ମଗିରି ରାଜନୈତିକ ପାଣିପାଗର ଚିତ୍ର ବଦଳି ଯାଇଛି। ୨୦୧୬ ନଭେମ୍ୱର ୧୬ ତାରିଖରେ ଲୁଲୁ ମହାପାତ୍ରଙ୍କର ଦେହାନ୍ତ ହେବା ପରେ ଲୁଲୁଙ୍କ ଝିଅ, ଭାଇ ଓ ସପରିବାର ଏବଂ ତାଙ୍କର ସମସ୍ତ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ବର୍ତ୍ତମାନର ସ୍ଥିତି ଦେଖିଲେ ଲୁଲୁଙ୍କର ଦେହାନ୍ତ ପରେ ବ୍ରହ୍ମଗିରିରେ କଂଗ୍ରେସ ଦଳ ନିଜର ସମସ୍ତ ଶକ୍ତି ହରାଇ ବସିଛି କହିଲେ ଠିକ୍‌ ହେବ। ବିଜେପିରେ ମିଶିବା ପରେ ଲୁଲୁଙ୍କର ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ସେହିପରି ବିଜେଡିରୁ ସଞ୍ଜୟ ଦାସ ବର୍ମା ଓ କଂଗ୍ରେସରୁ ଉମାକାନ୍ତ ବରାଳ ପ୍ରାର୍ଥୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସ୍ୱର୍ଗତଃ ଲୁଲୁ ମହାପାତ୍ରଙ୍କ ସଂଗଠନ, ଲୋକ ସମ୍ପର୍କ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶକୁ ନେଇ ଲୋକଙ୍କ ପାଖକୁ ଯିବେ ଓ ନିର୍ବାଚନରେ ବିଜୟୀ ହେବେ ବୋଲି ଦୃଢ଼ ଆଶା ରଖିଛନ୍ତି।

ଠିକ୍ ସେହିପରି ବିଜେଡି ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା ମୁଖ୍ୟମନ୍ତ୍ରୀଙ୍କର ବିକାଶକୁ ନେଇ ନିର୍ବାଚନୀ ବୈତରଣୀ ପାର ହେବେ ବୋଲି ଆଶା କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଉମାକାନ୍ତ ବରାଳ ପୂର୍ବରୁ ୨୦୦୨ ମସିହାରେ ଜିଲ୍ଲା ପରିଷଦ ସଦସ୍ୟ ଓ ୨୦୦୭ ମସିହାରେ ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ସେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବରେ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଏସବୁ ପରିସ୍ଥିତିରେ ବ୍ରହ୍ମଗିରିର ରାଜନୈତିକ ପାଣିପାଗ ଏବେ ଗୋଳିଆ ହୋଇଯାଇଛି।

ବିଜେପି ଓ ବିଜେଡି ମଧ୍ୟରେ ସିଧାସଳଖ ଫାଇଟ୍ ହେଉଥିବା ବେଳେ କଂଗ୍ରେସର ସ୍ଥିତି ଏଠାରେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଛି। ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ ଯୋଗୁ ବହୁ ବରିଷ୍ଠ ନେତା ବିଜେଡି ଛାଡ଼ିବା ପରେ ଏହା ଆଗାମୀ ନିର୍ବାଚନରେ ବିଜେଡିକୁ ଅସୁବିଧାରେ ପକାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ସହିତ ୨୦୧୪ ସାଧାରମ ନିର୍ବାଚନ ସମୟରେ ଭୂତଳ କେବୁଲ୍, ମେଗା ପାନୀୟ ଜଳ ପ୍ରକଳ୍, କେନାଲ କଂକ୍ରିଟକରଣ ସମସ୍ୟା ଏବେ ମଧ୍ୟ ଅଞ୍ଚଳବାସୀଙ୍କ ପାଇଁ ସ୍ୱପ୍ନ ହୋଇ ରହିଛି। ବର୍ତ୍ତମାନ କେବଳ ଦେଖିବାକୁ ବାକି ରହିଲା ଚଳିତ ନିର୍ବାଚନରେ କିଏ କିପରି ଭୋଟରଙ୍କୁ ମନାଇ ନିଜ ସପକ୍ଷରେ ନେଇ ପାରୁଛି, ତାହା ଆଗକୁ ସମୟ କହିବ।



from Odisha Reporter http://bit.ly/2WVfXcH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages