
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ସମସ୍ତ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। କିଛି ଟିକେଟ ଅଙ୍କ ଛିଡ଼ି ସାରିଥିବା ବେଳେ ଅନ୍ୟ କିଛିକୁ ନେଇ କେଁ ଲାଗି ରହିଛି। ଅନେକ ପ୍ରାର୍ଥୀଙ୍କ ଆଶା ମଉଳି ଯାଇଛି। ମହିଳାଙ୍କ କଥା ଦେଖିବାକୁ ଗଲେ ବିଜେଡିର ନାଁ ପ୍ରଥମେ ଆସିବ। କାରଣ ୩୩ ପ୍ରତିଶତ ସଂରକ୍ଷଣ କଥା କହି ୯ ଜଣ ମହିଳାଙ୍କୁ ଏହି ବିଧାନସଭା ନିର୍ବାଚନରେ ଉତାରିଛି ଦଳ। ହେଲେ ଏହି ମହିଳା କାର୍ଡ ଖେଳିବା ଦଳର ପ୍ରଚାରରେ ଆଗରେ ଥିବା କିଛି ନେତ୍ରୀଙ୍କ ମୁହଁ ଏବେ ଆଉ ଦିଶୁନି।
ବାସ୍ତବରେ ସେମାନଙ୍କୁ ଟିକେଟ ମିଳିବ ବୋଲି ଯେଉଁ ଆଶା ଥିଲା ତାହା ଧୂଳିସାତ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନି। ବିଜେଡିର ସେହି ନେତ୍ରୀମାନେ ହେଉଛନ୍ତି ସୁଲୋଚନା ଦାସ, ସୁଲତା ଦେଓ, ଶ୍ରୀମୟୀ ମିଶ୍ର ଓ ଲୋପାମୁଦ୍ରା ବକ୍ସିପାତ୍ର। ଏ ସମସ୍ତ ନେତ୍ରୀଙ୍କ ଦବଦବା ଦଳରେ ରହିଛି। ଆଉ ନିର୍ବାଚନ ଆଗରୁ ଟିଭି ପରଦାରେ ହେଉ ଅଥବା ସୋଶାଲ ମିଡିଆରେ, ଏମାନଙ୍କ କ୍ରେଜ୍ ହିଁ ସର୍ବାଗ୍ରେ ଥିଲା। କିନ୍ତୁ ନିର୍ବାଚନୀ ପଶାପାଲିରେ ଓଲଟିଗଲା ବାଜି। ଅନେକ ମହିଳା, ଯେଉଁମାନଙ୍କ ନାଁ କାଁ ଭାଁ ଶୁଣିବାକୁ ମିଳୁଥିଲା ସେମାନେ ହୋଇଗଲେ ପ୍ରାର୍ଥୀ।
ସୁଲୋଚନା ଦାସ: ସୁଲୋଚନା ଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ। ସମସ୍ତେ ଭାବିଥିଲେ ସୁଲୋଚନାଙ୍କୁ ଏଥର ଯାଜପୁର ଜିଲ୍ଲା ବରୀରୁ ଟିକେଟ ମିଳିବାର ସମ୍ଭାବନା ରହିଛି। ସୁଲୋଚନାଙ୍କୁ ଅନେକ ଟିଭି କାର୍ଯ୍ୟକ୍ରମରେ ଦଳ ସପକ୍ଷରେ ମତ ବାଢ଼ିବାର ସୁଯୋଗ ମିଳୁଥିଲା। ସେ ବିଜେଡି ପାଇଁ ଏକ ଭିନ୍ନ ପରିଚୟ ପାଇଥିଲେ। କିନ୍ତୁ ତାଙ୍କୁ ଟିକେଟ ମିଳିଲା ନାହିଁ।
ସୁଲତା ଦେଓ: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମହିଳା ରହିଥିବାରୁ ରାଜ୍ୟସ୍ତରୀୟ ନେତା ତଥା ଦଳୀୟ ମୁଖପାତ୍ର ସୁଲତା ଦେଓଙ୍କ ନାଁ ମଧ୍ୟ ରହିଥିଲା ଟିକେଟ ଆଶାୟୀଙ୍କ ଲିଷ୍ଟରେ। ବରୀ ଅଞ୍ଚଳରୁ ଟିକେଟ ପାଇବା ଆଶାରେ ଥିଲେ ସୁଲତା। କିନ୍ତୁ ଶେଷ ମୁହୂର୍ତ୍ତରେ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପଡ଼ିଲା, ଆଉ ସୁଲତାଙ୍କ ନାଁ ଉଠିଲାନି।
ଶ୍ରୀମୟୀ ମିଶ୍ର: ପଶ୍ଚିମ ଓଡିଶାର ଟାଣୁଆ ବିଜେଡି ନେତ୍ରୀଙ୍କ ମଧ୍ୟରେ ଯଦି କାହା ନାଁ ସର୍ବପ୍ରଥମେ ଆସେ, ସେ ହେଉଛନ୍ତି ଶ୍ରୀମୟୀ ମିଶ୍ର। ଛୋଟ ପରଦାର ଜଣେ ସେଲେବ୍ରିଟି ଭାବେ ଜୀବନ ଆରମ୍ଭ କରିଥିବା ଶ୍ରୀମୟୀ ୨୦୧୯ ନିର୍ବାଚନରେ ବଲାଙ୍ଗୀର ବିଧାନସଭା ପାଇଁ ବିଜେଡି ଟିକେଟ ଆଶାୟୀ ଥିଲେ। ସେ ଦଳ ପାଇଁ ଅନେକ ପରିଶ୍ରମ କରିଛନ୍ତି। କିନ୍ତୁ ଏହି ସ୍ଥାନଟି ବଲାଙ୍ଗୀର ରାଜପରିବାରର ଗଡ଼ ଥିବାରୁ ଟିକେଟ ହାତେଇ ନେଲେ ଅନଙ୍ଗ ଉଦୟ ସିଂହଦେଓଙ୍କ ପୁଅ ଅର୍କେଶ ନାରାୟଣ ସିଂହଦେଓ। ଫଳରେ ଏଠାରେ ମହିଳା କାର୍ଡ ଖେଳିପାରିଲାନି ବିଜେଡି ଆଉ ନିରାଶ ହେଲେ ଶ୍ରୀମୟୀ।
ଲୋପାମୁଦ୍ରା ବକ୍ସିପାତ୍ର: ବିଜୁ ମହିଳା ଜନତା ଦଳର ସାଙ୍ଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ଅତର୍କିତ ଭାବେ ମହିଳା କମିଶନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଲୋପାମୁଦ୍ରା ବକ୍ସିପାତ୍ର। ସେତେବେଳେ ତାଙ୍କୁ ଏ ନେଇ ପ୍ରଶ୍ନ କରାଯିବାରୁ ବକ୍ସିପାତ୍ର କହିଥିଲେ, ଦଳୀୟ କାର୍ଯ୍ୟରେ ସକ୍ରିୟ ଭାଗିଦାରୀ ପାଇଁ ସେ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଘଟଣା ପରେ ଆଶା କରାଯାଉଥିଲା ହୁଏତ ଲୋପାମୁଦ୍ରାଙ୍କୁ ହୁଏତ ବିଜେଡି ଟିକେଟ ଦେବ। କିନ୍ତୁ ପରିଶେଷରେ ସେ ମଧ୍ୟ ନିରାଶ ହୋଇଥିଲେ। ତାଙ୍କୁ ମଧ୍ୟ ମିଳି ନ ଥିଲା ବିଜେଡି ଟିକେଟ।
from Odisha Reporter http://bit.ly/2Uzrxww
No comments:
Post a Comment