
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଟଣୀ ମୁଣ୍ଡିଆ ସାହିରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ଆନନ୍ଦ ପ୍ରଧାନର ସହଯୋଗୀ ଟୁନା ସ୍ୱାଇଁଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ବିଜେପି। ଏହା ସହିତ ଜଟଣୀ ଥାନା ଆଇଆଇସିଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଦଳ ଦାବି କରିଛି। ପୁଲିସ୍ ତ୍ୱରିତ ପଦକ୍ଷେପ ନେଇଥିଲେ ଝିଅଟିର ଜୀବନ ବଞ୍ଚି ଯାଇଥାଆନ୍ତା ବୋଲି ଦଳ ପକ୍ଷରୁ କୁହାଯାଇଛି।
ରାଜ୍ୟ ବିଜେପି ସଂପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଗତକାଲି ବିଜେପିର ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇଥିଲା ଓ ଝିଅଟିର ପରିବାରକୁ ଭେଟି ସମବେଦନା ଜଣାଇଥିଲା।
ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଏଭଳି ଅଭାବନୀୟ ଘଟଣା ସାରା ରାଜ୍ୟ ପାଇଁ ଲଜ୍ଜାର କଥା। ଜଟଣୀ ସହରରେ ପୁଲିସ୍ ପ୍ରୋତ୍ସାହନରେ ଗଞ୍ଜେଇ ଓ ବ୍ରାଉନ୍ ସୁଗର ବେପାର ଚାଲିଛି। ବିଜେଡିର ପ୍ରୋତ୍ସାହନରେ ଗଞ୍ଜେଇ ଓ ଅସ୍ତ୍ର ବେପାର କରୁଥିବା ଟୁନା ସ୍ୱାଇଁ ଏହି ଘଟଣା ପାଇଁ ସଂପୂର୍ଣ୍ଣଭାବେ ଦାୟୀ। ସେହିପରି ଅଭିଯୋଗ କରିବା ପରେ ମଧ୍ୟ ଜଟଣୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଶାସକ ବିଜେଡି, ପୁଲିସ୍ ଓ ନିଶାବେପାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। ପୁଲିସ୍ ଠିକ୍ ସମୟରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଝିଅଟିର ଜୀବନ ବଞ୍ଚି ଯାଇଥାଆନ୍ତା।
ସେ ଆହୁରି କହିଥିଲେ, ଥାନାଠାରୁ ମାତ୍ର ୧ କିଲୋମିଟର ଦୂରରେ ଏ ଘଟଣା ଘଟିଥିବା ବେଳେ ପୁଲିସ୍କୁ ପହଞ୍ଚିବା ପାଇଁ ୪ ଘଣ୍ଟା ଲାଗିଗଲା। ଏହା କ’ଣ ନବୀନ ବାବୁଙ୍କ ସୁଶାସନ? ଏହା କ’ଣ ନାରୀକୁ ସମ୍ମାନ? ଏହା କ’ଣ କମିଶନରେଟ୍ ପୁଲିସ୍ର ପାରିବା ପଣିଆ?
ରାଜ୍ୟରେ ଏବେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତେ ମୁଖ୍ୟ ଶାସନ ସଚିବ ତୁରନ୍ତ ଝିଅଟିର ପରିବାରକୁ ଅନୁକମ୍ପା ରାଶି ଘୋଷଣା କରନ୍ତୁ ବୋଲି ବିଜେପିର ଏହି ପ୍ରତିନିଧି ଦଳ ଦାବି କରିଛି।
ସୂଚନାଯୋଗ୍ୟ, ଏ ଘଟଣାରେ ପୁଲିସ୍ ଅଭିଯୁକ୍ତ ଆନନ୍ଦ ପ୍ରଧାନକୁ ଗିରଫ କରିଛି। ତାକୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଥିଲେ।
from Odisha Reporter http://bit.ly/2P6AtEs
No comments:
Post a Comment