
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଅତ୍ୟନ୍ତ ଭୟଙ୍କର ରୂପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଏହା ପୁରୀଠାରୁ ୭୦୦ କିଲୋମିଟର ଦୂରରେ ରହିଥିବା ବେଳେ ୩ ତାରିଖ ଅପରାହ୍ଣରେ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି। ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ‘ଫୋନି’ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଏହି ସାମୁଦ୍ରିକ ଝଡ଼ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଉଦୟଗିରିରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆମେରିକାର ଜଏଣ୍ଟ୍ ଟାଇଫୁନ୍ ସେଣ୍ଟର ପୂର୍ବାନୁମାନ କରିଛି। ଆଉ ଏସବୁ ଆଶଙ୍କା ଓ ପୂର୍ବାନୁମାନ ଭିତରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପୁରୀ ଛାଡ଼ିବାକୁ ପର୍ଯ୍ୟଟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଏହା ସହିତ ୩ରୁ ୪ ତାରିଖ ମଧ୍ୟରେ ସାମୁଦ୍ରିକ ଝଡ଼ ‘ଫୋନି’ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ମଧ୍ୟ ଛାଡ଼ିବାକୁ ପର୍ଯ୍ୟଟକମାନଙ୍କୁ କୁହାଯାଇଛି। ଅନାବଶ୍ୟକ ଭ୍ରମଣରୁ ବିରତ ରହିବାକୁ ପର୍ଯ୍ୟଟକମାନଙ୍କୁ କୁହାଯାଇଥିବା ଏସ୍ଆର୍ସି ସୂଚନା ଦେଇଛନ୍ତି।
‘ଫୋନି’ ଯେତେବେଳେ ସ୍ଥଳଭାଗ ଛୁଇଁବ ସେତେବେଳେ ଘଣ୍ଟାପ୍ରତି ୧୮୫ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ‘ଫୋନି’କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।
from Odisha Reporter http://bit.ly/2Ltrhft
No comments:
Post a Comment