
କଲମ୍ବୋ: ଆଇପିଏଲରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ପେସ ବୋଲର ଲସିଥ ମାଲିଙ୍ଗା ରାତିରାତି ଶ୍ରୀଲଙ୍କା ଅଭିମୁଖେ ଗସ୍ତ କରିଛନ୍ତି। ତେବେ ଆଇପିଏଲ ଛାଡ଼ି ହଠାତ୍ କାହିଁକି ସ୍ୱଦେଶ ଫେରିଗଲେ ମାଲିଙ୍ଗା।
ଏହାର କାରଣ ହେଉଛି ଶ୍ରୀଲଙ୍କାର ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଯେଉଁଥିରେ ମାଲିଙ୍ଗାଙ୍କ ଭାଗ ନେବା ଅନିବାର୍ଯ୍ୟ ଥିଲା। ଏହି କ୍ରିକେଟରଙ୍କୁ ବୁଧବାର ସ୍ୱଦେଶ ଫେରିବାର ଥିଲା ଏବଂ ତାଙ୍କର ଚେନ୍ନାଇ ବିପକ୍ଷ ମ୍ୟାଚ୍ ଖେଳିବା ନେଇ ସନ୍ଦେହ ରହିଥିଲା। କିନ୍ତୁ ମାଲିଙ୍ଗା ନିଜ ଫ୍ରାଞ୍ଚାଇଜିଙ୍କ ପ୍ରତି ସମର୍ପଣ ଦେଖାଇଛନ୍ତି ଏବଂ ଚେନ୍ନାଇ ବିପକ୍ଷ ମ୍ୟାଚ ଶେଷ ହେବା ପରେ ନିଜ ଟିମ୍ ଗଲ୍ ପକ୍ଷରୁ ଖେଳିବାକୁ ଶ୍ରୀଲଙ୍କା ଫେରିଯାଇଥିଲେ।
ତେବେ ଏତେ କମ୍ ସମୟ ଭିତରେ ସ୍ୱଦେଶ ଫେରି ମ୍ୟାଚ୍ ଖେଳିବା ମାଲିଙ୍ଗାଙ୍କ ପାଇଁ ଫଳପ୍ରଦ ହୋଇଛି। ମାଲିଙ୍ଗା ଗଲ୍ ଟିମର ନେତୃତ୍ୱ ନେଇ କ୍ୟାଣ୍ଡି ବିପକ୍ଷ ମ୍ୟାଚରେ ୯.୫ ଓଭରରେ ୪୯ ରନ୍ ଦେଇ ୭ ୱିକେଟ ହାସଲ କରିଛନ୍ତି ଏବଂ ନିଜ ଟିମକୁ ୧୫୬ ରନରେ ଜିତାଇଛନ୍ତି। ଏହି ମ୍ୟାଚରେ ଗଲ୍ ପ୍ରଥମେ ବ୍ୟାଟିଂ କରି ୨୫୫ ରନ୍ କରିଥିଲା। ଜବାବରେ କ୍ୟାଣ୍ଡି ଟିମ୍ ମାତ୍ର ୯୯ ରନରେ ଅଲଆଉଟ୍ ହୋଇଯାଇଥିଲା।
ତେବେ ଚେନ୍ନାଇ ବିପକ୍ଷ ମ୍ୟାଚରେ ୩ ୱିକେଟ୍ ଏବଂ ଗଲ୍ ପକ୍ଷରୁ ୭ ୱିକେଟକୁ ମିଶାଇ ମାଲିଙ୍ଗା ୧୨ ଘଣ୍ଟା ଭିତରେ ମୋଟ ୧୦ ୱିକେଟ୍ ନେଇ ନିଜର ମହନୀୟତାର ପ୍ରମାଣ ଦେଇଛନ୍ତି। ମାଲିଙ୍ଗା ଯେଉଁଭଳି ଭାବେ ଆଇପିଏଲ ଫ୍ରାଞ୍ଚାଇଜି ଓ ନିଜ ଦେଶ କମିଟମେଣ୍ଟ ଦେଖାଇଛନ୍ତି, ତାହା ଯୁବ ଖେଳାଳିଙ୍କୁ ଅଧିକ ପ୍ରେରିତ କରିବ।
ମୁମ୍ବାଇ ଇଣ୍ଡିଆନ୍ସ ତା’ର ପରବର୍ତ୍ତୀ ମ୍ୟାଚ୍ ୬ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ। ଏହି ମ୍ୟାଚରେ ମାଲିଙ୍ଗା ଉପଲବ୍ଧ ହେବେ ନାହିଁ। ତାଙ୍କୁ ଏପ୍ରିଲ ୧୧ ତାରିଖ ପର୍ଯ୍ୟନ୍ତ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପଡ଼ିବ। ତେବେ ଆସନ୍ତା ୧୩ ତାରିଖରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ ମୁମ୍ବାଇ ପାଇଁ ଉପଲବ୍ଧ ରହିବେ।
from Odisha Reporter https://ift.tt/2HYa0sa
No comments:
Post a Comment