
କୋରାପୁଟ(ଓଡ଼ିଶା ରିପୋର୍ଟର):ଅଭିଜ୍ଞ ଏବଂ ନବାଗତଙ୍କ କୁରୁକ୍ଷେତ୍ର ସାଜିବ କୋରାପୁଟ । ଏଠି ଏଥର ତ୍ରିମୁଖୀ ଲଢ଼େଇ ହେବ। ପୂର୍ବତନ ସାଂସଦ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ସପ୍ତଗିରିଙ୍କୁ କଂଗ୍ରେସ ମଇଦାନକୁ ଓହ୍ଲାଇଥିବା ବେଳେ ତାଙ୍କ ବିରୋଧରେ ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରିଛି ବିଜେଡି। ତେବେ ୨୦୦୯ରେ ବିଜେଡି ଟିକେଟରେ ଜିତିଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗିକୁ ପ୍ରାର୍ଥୀ କରି ବିଜେପି ଉଭୟଙ୍କୁ ମାତ୍ ଦେବା ଚକ୍କରରେ ରହିଛି। ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗି, କଂଗ୍ରେସର ସପ୍ତଗିରି ଉଲ୍ଲାକା ଓ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଧ୍ୟରେ ହେଉଛି ସିଧାସଳଖ ଲଢ଼େଇ।
ମହିଳା ସଶକ୍ତି କରଣର ନାରା ଦେଇଥିବା ନବୀନ ସାଂସଦ ଝିନ୍ନ ହିକ୍କାଙ୍କ ପତ୍ନୀ କୌଶଲ୍ୟାଙ୍କୁ ମଇଦାନକୁ ଓହ୍ଲାଇ ଏଠାରୁ ହ୍ୟାଟ୍ରିକ୍ କରିବା ଲକ୍ଷ୍ୟରେ ଅଛନ୍ତି। ତେବେ ୨୦୦୯ରେ ଦଳୀୟ ଟିକଟରେ ଏଠାରୁ ଜିତିଥିବା ପୁରୁଖା ନେତା ଜୟରାମ ପାଙ୍ଗୀଙ୍କୁ ନିଜ ଶିବିରକୁ ଆଣି କୌଶଲ୍ୟାଙ୍କୁ ଚେକ୍ମେଣ୍ଟ ଦେବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ତେବେ କଂଗ୍ରେସ ତା’ର ପୁରୁଣାଗଡ଼କୁ ପୁଣି କବ୍ଜାରେ ନେବାକୁ ଗୋଟି ଚାଳନା କରିଛି। କୌଶଲ୍ୟା ଓ ଜୟରାମ୍ଙ୍କୁ ଟକ୍କର ଦେବା ଲାଗି କଂଗ୍ରେସ ପୂର୍ବତନ ସାଂସଦ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ସପ୍ତଗିରିଙ୍କୁ ମଇଦାନକୁ ଓହ୍ଲାଇଛି। ୨୦୦୯ ପୂର୍ବରୁ କ୍ରମାଗତ ୧୫ ଥର ଲାଗି କୋରାପୁଟ୍କୁ ନିଜ କବ୍ଜାରେ ରଖିଥିଲା କଂଗ୍ରେସ। ତେବେ ୨୦୦୯ରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଗିରିଧର ଗମାଙ୍ଗକୁ ପରାସ୍ତ କରି ବିଜେଡି ବାନା ଉଡାଇଥିଲେ ଜୟରାମ।
ତେବେ ୨୦୧୪ରେ ଯୁବ ଚେହେରା ଝିନ୍ନ ହିକକାଙ୍କୁ ଦଳ ଜୟରାମଙ୍କ ସ୍ଥାନରେ ପ୍ରାଥମିକତା ଦେଇଥିଲା ଆଉ ଏଥର ନବୀନ ମହିଳା କାର୍ଡ ଖେଳ ଝିନ୍ନଙ୍କ ପତ୍ନୀ କୌଶଲ୍ୟାଙ୍କୁ ବାଛିଛନ୍ତି। କୌଶଲ୍ୟାଙ୍କ ରାଜନୀତିରେ ପ୍ରତ୍ୟକ୍ଷ ଅଭିଜ୍ଞତା ନଥିବା ବେଳେ ଦଳୀୟ ଭୋଟ ବ୍ୟାଙ୍କକୁ ଆଖିରେ ରଖି ସପ୍ତଗିରିଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ତେବେ ଏମାନଙ୍କ ଯାଦୁ କାମ କରୁଛି ନା ଭେଟେରାନ ଜୟରାମ ଉଭୟଙ୍କ ଉପରେ ଭାରି ପଡୁଛନ୍ତି ତାହା ଦେଖିବା କଥା ।
ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଝିନ୍ନ ହିକକା ୩ ଲକ୍ଷ ୯୫ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିଧର ଗମାଙ୍ଗ ୩ ଲକ୍ଷ ୭୫ ହଜାର ୭୮୧ ଭୋଟ୍ ପାଇଥିଲେ। ଅର୍ଥାତ୍ ମାତ୍ର ୨୦ ହଜାର ଭୋଟ ବ୍ୟବଧାନରେ ଜିତିଥିଲା ବିଜେଡି। ବିଜେପି ପ୍ରାର୍ଥୀ ଶିବଶଙ୍କର ଉଲ୍ଲାକାଙ୍କୁ ମାତ୍ର ୮୯ ହଜାର ୭୮୮ ଭୋଟ ମିଳିଥିଲେ ବି ଏଥର ଜୟରାମଙ୍କ ଆବିର୍ଭାବ ପୁରା ଗଣିତକୁ ଓଲଟପାଲଟ କରିବା ସମ୍ଭାବନା ରହିଛି।
from Odisha Reporter http://bit.ly/2uOJY1G
No comments:
Post a Comment