
କେନ୍ଦୁଝର(ଚିନ୍ମୟ ସାହୁ): ନିର୍ବାଚନ ଯୁଦ୍ଧରେ ଯିଏ ଜିତିବ, ସିଏ ହେବ ରଜା । ଲୋକଙ୍କୁ ଶାସନ କରିବ। ହେଲେ ଯିଏ ରାଜାଙ୍କୁ ତିଆରି କରିବ ସିଏ କିଙ୍ଗ ମେକର। ରାଜାଙ୍କଠାରୁ ଅଧିକ ପ୍ରଭାବଶାଳୀ। ଶାସନ ଡ଼ୋର ନ ଧରିଲେ ବି ତାଙ୍କ ଅଙ୍ଗୁଳି ନିର୍ଦ୍ଦେଶରେ ଚାଲିବ ଦେଶ, ସରକାର। ଏମିତି ଜଣେ କିଙ୍ଗ ମେକର ହେଉଛନ୍ତି ସନାତନ ମହାକୁଡ। ଚମ୍ପୁଆର ସ୍ୱାଧୀନ ବିଧାୟକ।
ଆଉ କେହି ନୁହେଁ, ନିଜେ ସନା ମହାକୁଡ ହିଁ ଏକଥା କହି ବୁଲୁଛନ୍ତି।
ଏକ ସଭାରେ ସନାତନ ବଦ୍ରିଙ୍କ ବିରୋଧରେ ଖୁବ ବର୍ଷିଥିଲେ ଆଉ ନିଜେ କିଙ୍ଗ ମେକର ବୋଲି ଘୋଷଣା କରିଥିଲେ।
ସନାତନ ରାଜନୀତି ସହ ଜଡ଼ିତ ଥିଲେ ମଧ୍ୟ ପ୍ରଥମ ଥର ପାଇଁ ୨୦୧୪ରେ ଚମ୍ପୁଆ ବିଧାନସଭା ଆସନରୁ ସ୍ୱାଧୀନ ଭାବେ ଲଢି ଜିତିଥିଲେ। ହେଲେ ୨୦୧୯ ନିର୍ବାଚନ ପୂର୍ବରୁ ସନାତନ ଜନସମୃଦ୍ଧି ପାର୍ଟି ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ। ନିର୍ବାଚନରେ ତାଙ୍କ ଦଳ ପ୍ରାର୍ଥୀ ଦେବ ବୋଲି କଳ୍ପନା ଚାଲିଥିଲା। ତେବେ ହଠାତ୍ ସେ ତାଙ୍କ ଦଳରୁ ଇସ୍ତଫା ଦେଇଥିଲେ। ଏହାକୁ ନେଇ ସେତେବେଳେ ଅନେକ କଥା ଶୁଣିବାକୁ ମିଳିଥିଲା। କିଏ କହିଲା ସେ ବିଜେଡିରେ ମିଶିବେ। ହେଲେ ପରବର୍ତ୍ତୀ ସମୟରେ ନିଜର ଅସୁସ୍ଥତା ପାଇଁ ସେ ଏପରି ନିଷ୍ପତି ନେଇଥିବା କହିଥିଲେ।
ନିର୍ବାଚନ ପୂର୍ବରୁ ସବୁ ରହସ୍ୟ ଉପରୁ ପରଦା ହଟିଗଲା। ନା ସେ ବିଜେଡିରେ ମିଶିଲେ, ନା ନିଜେ ଠିଆ ହେଲେ ! ବିଜେଡିକୁ ପ୍ରାର୍ଥୀ ଦେଇ ସମସ୍ତଙ୍କୁ ଚକିତ କରିଦେଲେ। ଏବେ ବୁଲି ବୁଲି ତାଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତେଇବା ପାଇଁ ସମସ୍ତଙ୍କୁ କହୁଛନ୍ତି। ସଭାସମିତିରେ ବିଧାୟକ ଭାବେ ସେ କଣ କରିଛନ୍ତି ତାର ସଫଳତା ବଖାଣୁଛନ୍ତି ଆଉ କହୁଛନ୍ତି ‘ ମୁଁ ହେବି କିଙ୍ଗ ମେକର।’
ସନା ସମର୍ଥକ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି କେନ୍ଦୁଝର ଲୋକସଭା ଆସନରୁ ଚନ୍ଦ୍ରାଣୀ ମୁର୍ମୁ ଓ ଚମ୍ପୁଆ ବିଧାନ ସଭାରୁ ମିନାକ୍ଷୀ ମହାନ୍ତ ଓ ତେଲକୋଇ ବିଧାୟକ ପ୍ରମାନନ୍ଦ। ସମସ୍ତେ ବିଜେଡି ଟିକଟରେ ଲଢୁଛନ୍ତି। ତେବେ ବିଜୁ ଜନତା ଦଳ ସାଙ୍ଗରେ ସନା କିପରି ଓ କାହିଁକି ଏପରି ମୂଲଚାଲ କଲେ ସେ ନେଇ ସନାଙ୍କ ସମର୍ଥକମାନେ ଦ୍ଵନ୍ଦ୍ୱରେ ଅଛନ୍ତି।
କାରଣ ଯାହା ଥାଉ ନା କହିଁକି, ସନାଙ୍କ ନିଶାନା ଯେ ତାଙ୍କର ଚରମ ପ୍ରତିଦ୍ୱନ୍ଦ୍ୱୀ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଏକଥା ସମସ୍ତେ ଜାଣନ୍ତି । ଶୁକ୍ରବାର ତେଲକୋଇରେ ଏକ ସଭାରେ ସେ କହିଥିଲେ, ‘ବଦ୍ରୀ ବାବୁ ମନ୍ତ୍ରୀ ଅଛନ୍ତି। ମୁଁ ତାଙ୍କ ବିଷୟରେ କିଛି କହିବାକୁ ଚାହୁଁନି। ହେଲେ ଲୋକଙ୍କ ପାଇଁ ତାଙ୍କର ଚିନ୍ତା ନ ଥିଲା। ମୁଁ ଟଙ୍କା ଆଣି, କାମ କରି ଦେଖେଇ ଦେଲି।’
ସନାତନ ବିଧାୟକ ହେବା ପରେ କେନ୍ଦୁଝର ଜିଲ୍ଲାରେ ସବୁ କାମ ହୋଇଛି। ଗ୍ରାମାଞ୍ଚଳରେ ଝିଅବୋହୂମାନେ ପାଇପ ପାଣି ପାଇ ପାରୁ ନଥିଲେ, ହେଲେ ଏବେ ପାଉଛନ୍ତି। ୫ ବର୍ଷ ଭିତରେ ଏସବୁ ସେ ଏସବୁ କରିପାରିଛନ୍ତି । ହେଲେ ସେମାନେ ବହୁ ଆଗରୁ ରହି ମଧ୍ୟ କିଛି କରି ପାରି ନାହାନ୍ତି।
ସେ ଏକଥା ବି କହିଛନ୍ତି ‘ତାଙ୍କୁ ଜିଲ୍ଲାର ଦାୟିତ୍ୱ ନବୀନ ବାବୁ ଦେଇଛନ୍ତି। ସବୁ ପ୍ରାର୍ଥୀ ଜିତିବା ଦରକାର ।’
ବଦ୍ରୀ ନାରାୟଣ ପାତ୍ର ଘଷିପୁରା ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ଟିକଟରେ ଲଢୁଛନ୍ତି। ତେଣୁ ବଦ୍ରୀ ବାବୁଙ୍କ ପ୍ରତି ଏପରି ମନ୍ତବ୍ୟ ଆଗକୁ କେଉଁ ମୋଡ଼ ନେଉଛି ତାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଅନ୍ୟପଟେ ସନାତନଙ୍କୁ ପ୍ରାଧାନ୍ୟ ଦିଆ ଯାଇ ବଦ୍ରୀ ବାବୁଙ୍କ ଯୁଗ ଶେଷ କରିବାକୁ କିଏ ଏପରି ଚେଷ୍ଟା କରିଛି ତାକୁ ନେଇ ବିଭିନ୍ନ ଆଲୋଚନା ଆରମ୍ଭ ହେଲାଣି।
from Odisha Reporter http://bit.ly/2VVmqEj
No comments:
Post a Comment