ଓଡ଼ିଶା ରାଜନୀତିର ଅପରାଧକରଣ: ପରାଜୟର ଆଶଙ୍କା ନା କ୍ଷମତା ଦଖଲର ନିଶା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଓଡ଼ିଶା ରାଜନୀତିର ଅପରାଧକରଣ: ପରାଜୟର ଆଶଙ୍କା ନା କ୍ଷମତା ଦଖଲର ନିଶା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ନିର୍ବାଚନୀ ଇତିହାସରେ ରାଜନୀତିକ ହିଂସା ଓ ଅପରାଧ ପୂର୍ବର ସମସ୍ତ ରେକର୍ଡ ଭଙ୍ଗ କରିଛି। ନିର୍ବାଚନବେଳେ ଯେଭଳି ଅପରାଧ ଓ ହିଂସା ବଢ଼ିଚାଲିଛି ତାହା ଓଡ଼ିଶାବାସୀଙ୍କୁ ବିହାରର ଭ୍ରମ ସୃଷ୍ଟି କରୁଛି। ତେବେ ଶାନ୍ତିପ୍ରିୟ ଓଡ଼ିଶାରେ ଏଭଳି ରାଜନୀତିକ ହିଂସା ଅଚାନକ ବୃଦ୍ଧି ପାଇବା ପଛରେ ବାସ୍ତବରେ କାହାର ହାତ ରହିଛି ଓ କିଏ ପ୍ରୋତ୍ସାହନ ଯୋଗାଉଛି ତାକୁ ନେଇ ପ୍ରଶ୍ନ ଉଠିଛି। ୧୯ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଥିବା ରାଜ୍ୟ ପୁଲିସ ବିଭାଗର ନିଷ୍କ୍ରିୟତା ହିଁ ପରୋକ୍ଷରେ ରାଜ୍ୟକୁ ଅପରାଧପ୍ରବଣ କରାଇବାରେ ଲାଗିଛି।
ଚଳିତ ନିର୍ବାଚନରେ ଘସିପୁରାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ହତ୍ୟାରୁ ଆରମ୍ଭ ହୋଇଥିବା ରାଜନୀତିକ ହିଂସାରେ ବିଜେପିର ୩ଜଣ ସଦସ୍ୟଙ୍କୁ ହତ୍ୟା, ଭୁବନେଶ୍ୱର-ମଧ୍ୟମରେ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ବୋମା ମାଡ଼, କନ୍ଧମାଳରେ ଭୋଟରଙ୍କୁ ସଚେତନ କରାଉଥିବା ସୂଚନା ଅଧିକାର କର୍ମୀଙ୍କୁ ମାଡ଼, ଭଣ୍ଡାରିପୋଖରୀରେ ବିଏସପି ପ୍ରାର୍ଥୀଙ୍କୁ ଆକ୍ରମଣ, ଘସିପୁରାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କୁ ଆକ୍ରମଣ ଆଦି ଭଳି ୩୦ରୁ ଅଧିକ ରାଜନୀତିକ ହିଂସାକାଣ୍ଡ ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ସ୍ପଷ୍ଟ ପ୍ରମାଣ ଦେଇଛି। ରାମଚନ୍ଦ୍ର ବେହେରା ହୁଅନ୍ତୁ ଅବାପୁଣି ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ପ୍ରକୃତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି। ଏପଟେ ରାଜ୍ୟର ସବୁଠୁ କଡ଼ା ସୁରକ୍ଷାବଳୟରେ ରହିଥିବା ରାଜଧାନୀ ଭୁବନେଶ୍ୱରର ଦୁଇଜଣ ପରସ୍ପରବିରୋଧୀ ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣା, ଭୁବନେଶ୍ୱର-ଉତ୍ତର ବିଜେପିର ମହିଳା ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ଘଟଣାରେ ବି ପୁଲିସ ହାତ ଖାଲି। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ଭୋଟ ସରିଥିବାବେଳେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍ ହେବ। କିନ୍ତୁ ଯେନତେନପ୍ରକାରେ ଜିତିବାର ମାନସିକତା ସହ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ହିଁ ଏବେ ଅବାଧ ଓ ନିରପେକ୍ଷ ନିର୍ବାଚନରେ ପ୍ରତିବନ୍ଧକ ସାଜିଛନ୍ତି।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଦଳ ବିଜେଡି ଓ ବିଜେପି ପରସ୍ପରକୁ କଡ଼ା ଟକ୍କର ଦେବାର କୌଣସି ସୁଯୋଗକୁ ହାତଛଡ଼ା କରୁନଥିବାରୁ ଓଡ଼ିଶାରେ ଏବେ ମୁକ୍ତ,ଅବାଧ ଓ ନିରପେକ୍ଷ ଭୋଟଗ୍ରହଣ ଏକ ମୁଖ୍ୟ ଚ୍ୟାଲେଞ୍ଜ ପାଲଟିଛି। ଶେଷ ପର୍ଯ୍ୟାୟ ଭୋଟ ଏପ୍ରିଲ ୨୯ରେ ହେବାକୁ ଥିବାବେଳେ ରାଜନୀତିକ ଅପରାଧ ଓ ହିଂସା ଉପରେ ନିୟନ୍ତ୍ରଣ ରଖିବା ମଧ୍ୟ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହେବ। କାରଣ ଉପକୂଳ ଓଡ଼ିଶାରେ ଉଭୟ ବିଜେଡି ଓ ବିଜେପିର କଡ଼ା ଟକ୍କର ମଧ୍ୟରେ କଂଗ୍ରେସ ପ୍ରାୟତଃ ହଜିଯାଇଛି। ଆଉ ଦୀର୍ଘ ୧୯ବର୍ଷ ଧରି କ୍ଷମତାରେ ରହିବାର ଫାଇଦା ମଧ୍ୟ ବିଜେଡି ଉଠାଉଛି। ନିର୍ବାଚନୀ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପରେ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ତାଙ୍କ ସମର୍ଥକଙ୍କ ଆକ୍ରମଣ ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଯଦିଓ ବିଜେପିର ଚାପ ପରେ ମହାରଥୀଙ୍କୁ ପୁଲିସ ଗିରଫ କରିଛି, କିନ୍ତୁ ଏହା ପୁଲିସର ନିଷ୍କ୍ରିୟତାକୁ ବି ପଦାରେ ପକାଇଛି। ତା’ଛଡ଼ା ନିର୍ବାଚନ କମିଶନ ମଧ୍ୟ ରାଜନୀତିକ ଦଳଗୁଡ଼ିକର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ କରୁଥିବା ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରୁନଥିବାରୁ ଏଭଳି ଅପରାଧ ଓ ହିଂସା ଭିଆଇବାକୁ ରାଜନୀତିକ କର୍ମୀମାନଙ୍କୁ ସୁଯୋଗ ମିଳୁଛି।
ଉପକୂଳ ଓଡ଼ିଶାରେ ନିଜର ଗଡ଼କୁ ସୁରକ୍ଷିତ ରଖିବା ପାଇଁ ବିଜେଡି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବାବେଳେ ବିଜେପି ନିଜର ପୁରୁଖା ନେତାଙ୍କ ମାଧ୍ୟମରେ ଉପକୂଳ ଜିଲ୍ଲାଗୁଡ଼ିକରେ ରେକର୍ଡ ସଂଖ୍ୟକ ସିଟ୍ ହାସଲ କରିବାକୁ ପୁରା ଦମ୍ ଲଗାଇ ଦେଇଛି। ଗତ ୧୯ବର୍ଷ ଧରି ରାଜ୍ୟରେ ସମସ୍ତ ନିର୍ବାଚନକୁ ଏକତରଫା କରି ନେଉଥିବା ବିଜେଡିକୁ ଚଳିତ ନିର୍ବାଚନରେ କଡ଼ା ଟକ୍କର ମିଳୁଥିବାରୁ ଦଳ ପରାଜୟର ଆଶଙ୍କା କରିବାରେ ଲାଗିଛି। ସେପଟେ ବିଜେପି ମଧ୍ୟ ରାଜ୍ୟରେ କ୍ଷମତା ଦଖଲର କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନଥିବାବେଳେ କଂଗ୍ରେସ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛି। ଯାହାକି ରାଜ୍ୟରେ ରାଜନୀତିକ ଅପରାଧର ବୃଦ୍ଧିର କାରଣ ପାଲଟିଛି ବୋଲି ରାଜନୀତିକ ବିଶ୍ଲେଷକମାନେ ମତବ୍ୟକ୍ତ କରିଛନ୍ତି।



from Odisha Reporter http://bit.ly/2GrraLC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages