
ନୂଆଦିଲ୍ଲୀ: ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ସମ୍ମାନଜନକ ଯୁଦ୍ଧକାଳୀନ ମେଡାଲ ‘ବୀର ଚକ୍ର’ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ସୁପାରିସ କରାଯାଇଛି। ସେ ପାକିସ୍ତାନର ଏଫ୍-୧୬ ଯୁଦ୍ଧବିମାନକୁ ଆକାଶମାର୍ଗରେ ହିଁ ଧ୍ୱଂସ କରିବାର ପରାକ୍ରମ ଦେଖାଇଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉ ଦର୍ଶାଇ ବାୟୁ ସେନା ପକ୍ଷରୁ ଏହି ସୁପାରିସ କରାଯାଇଛି। ଅନ୍ୟପକ୍ଷରେ ପାକିସ୍ତାନରେ ବୋମା ବର୍ଷଣ କରାଇଥିବା ୧୨ଟି ମିରାଜ୍ ୨୦୦୦ର ପାଇଲଟଙ୍କୁ ମଧ୍ୟ ସେମାନଙ୍କ ବୀରତ୍ୱ ପାଇଁ ସମ୍ମାନିତ କରାଯିବ।
ଯୁଦ୍ଧକାଳୀନ ସାମରିକ ସମ୍ମାନ ମଧ୍ୟରେ ‘ବୀର ଚକ୍ର’ ତୃତୀୟ ଶ୍ରେଷ୍ଠ ସମ୍ମାନ। ଏହା ଉପରକୁ ‘ପରମ ବୀର ଚକ୍ର’ ଏବଂ ‘ମହାବୀର ଚକ୍ର’ ରହିଛି। ଏହା ସ୍ଥଳ, ଜଳ ଏବଂ ଆକାଶ ପଥରେ ଶତ୍ରୁର ମୁକାବିଲା କରିବା ସମୟରେ ଉଲ୍ଲେଖନୀୟ ବୀରତ୍ୱ ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ। ଅନ୍ୟପକ୍ଷରେ ପୂର୍ବରୁ ଶ୍ରୀନଗରରେ ଅବସ୍ଥାପିତ ଏହି ବୀର କମାଣ୍ଡରଙ୍କ ସୁରକ୍ଷା ପ୍ରତି ବିପଦ ଥିବାରୁ ତାଙ୍କୁ ବର୍ତ୍ତମାନ ପାକିସ୍ତାନ ସୀମାବର୍ତ୍ତୀ ପଶ୍ଚିମାଞ୍ଚଳରେ ନିୟୋଜିତ କରାଯାଇଛି। ସେ ଖୁବ୍ ଶୀଘ୍ର ତାଙ୍କର ନୂତନ ନିଯୁକ୍ତି ସ୍ଥାନକୁ ଯିବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
ସୁରକ୍ଷାଗତ କାରଣରୁ ଏହି ନୂତନ ଏୟାରବେସ୍ର ଠିକଣା ବାବଦରେ କୁହାଯାଇନଥିଲେ ମଧ୍ୟ କୁହାଯାଇଛି ଏହି ବାୟୁସେନା କମାଣ୍ଡରଙ୍କୁ ଉଡ଼ାଣ ପାଇଁ ଅନୁମତି ମିଳିବାପରେ ସେ ପୂର୍ବବତ୍ ଉଡ଼ାଣ ଆରମ୍ଭ କରିପାରିବେ।
ସୂଚନାଯୋଗ୍ୟ ଯେ, ପୁଲ୍ୱାମା ଆକ୍ରମଣର ବଦ୍ଲା ନେବା ପାଇଁ ବାଲାକୋଟ୍ଠାରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନ ଭାରତୀୟ ସେନାର କ୍ୟାମ୍ପ ଉପରେ ଟାର୍ଗେଟ୍ କରିଥିଲା। ଏହାକୁ ପ୍ରତିହତ କରିବାକୁ ଅଭିନନ୍ଦନଙ୍କ ସମେତ କିଛି ପାଇଲଟ୍ ବିଭିନ୍ନ ଯୁଦ୍ଧବିମାନରେ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ପାକିସ୍ତାନର ଏଫ୍-୧୬କୁ ଟାର୍ଗେଟ୍ କରି ସେ ପାକିସ୍ତାନ ସୀମା ସେପଟକୁ ଚାଲିଯାଇଥିଲେ ଏବଂ ସେପଟେ ଖସିପଡ଼ିଥିଲେ। ସେ ଉଡ଼ାଉଥିବା ମିଗ୍-୨୧ ବିମାନ ପାକିସ୍ତାନର ଯୁଦ୍ଧ ବିମାନକୁ ଆକ୍ରମଣ କରିବା ସମୟରେ ଏଲ୍ଓସି ସେପଟେ ଖସିପଡ଼ିବାରୁ ପାକିସ୍ତାନ ତାଙ୍କୁ ଧରିନେଇଥିଲା ଏବଂ ଜେନେଭା ଚୁକ୍ତି ଓ ଅନ୍ତର୍ଜାତୀୟ ରାଷ୍ଟ୍ରସମୂହଙ୍କ ଚାପରେ ତାଙ୍କୁ ଛାଡ଼ି ଦେଇଥିଲା। ଏହି ପାଇଲଟ ପାକିସ୍ତାନରୁ ଫେରିବା ପରେ ନିଜର ଧୈର୍ଯ୍ୟ ଏବଂ ସାହସ ପାଇଁ ସମଗ୍ର ଦେଶର ହୃଦୟ ଜିତିସାରିଛନ୍ତି।
from Odisha Reporter http://bit.ly/2IviQ0B
No comments:
Post a Comment