ଭକ୍ତି ସଙ୍ଗୀତରୁ ଯାତ୍ରା ଯାଏ, ବିକାଶଙ୍କ କାହାଣୀ ହେଉଛି ଏମିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ଭକ୍ତି ସଙ୍ଗୀତରୁ ଯାତ୍ରା ଯାଏ, ବିକାଶଙ୍କ କାହାଣୀ ହେଉଛି ଏମିତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଦେରେ କାଳିଆ ଦେ ତୋ ପାଦେ ଶରଣ ଦେ… ତୋ ବଡ଼ଦାଣ୍ଡରେ ମୋତେ ଯୋଗୀଟିଏ କରିଦେ, ଯୋଗିଟିଏ କରିଦେ । ଦେରେ କାଳିଆ ଦେ ତୋ ପାଦେ ଶରଣ ଦେ…” ।

ଭଜନ ସମ୍ରାଟ ଭିକାରୀ ବଳଙ୍କ କଣ୍ଠରେ ଏହି ଭକ୍ତି ସଂଗୀତଟି ଏବେବି ସକାଳେ ସଞ୍ଜେ ବାଜୁଛି। ପ୍ରତିଟି ଓଡ଼ିଆ ହୃଦୟ ଭିତରେ ଛାଇ ହୋଇ ରହିଯାଇଛି। ଏହି ଗୀତର ସଂଗୀତକାର ହେଉଛନ୍ତି ବିକାଶ ଶୁକ୍ଳା। ଭକ୍ତି ସଂଗୀତରୁ କ୍ୟାରିଅର ଆରମ୍ଭ କରିଥିବା ବିକାଶ ଓଲିଉଡ୍‌ ଓ ଜଲିଉଡ୍‌ରେ ଛାଇ ହୋଇଯାଇଛନ୍ତି।

ଗୋଟିଏ ପରେ ଗୋଟିଏ ହିଟ୍‌ ନାଟକରେ ସଂଗୀତ ନିର୍ଦ୍ଦେଶନା ଦେଇ ଦର୍ଶକଙ୍କ ମହଲରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ।

ତାଙ୍କ ସହିତ ଆମର ସ୍ୱତନ୍ତ୍ର ଆଳାପ, ପଢ଼ନ୍ତୁ..

ପ୍ରଶ୍ନ: କଳାକୁ ପେସା କରି ବଞ୍ଚିବା କଷ୍ଟକର । ତଥାପି ଆପଣ କଳା ପ୍ରତି କେମିତି ଆକୃଷ୍ଟ ହେଲେ?

ଉତ୍ତର: ପିଲା ବେଳୁ କଳା ପ୍ରତି ମୋର ଦୁର୍ବଳତା ଥିଲା। ସ୍କୁଲ ଓ କଲେଜରେ ପାଠ ପଢ଼ୁଥିବା ବେଳେ ଟେବୁଲ୍‌ ବଜାଇବା ଓ ଗୀତ ଗାଇବା ଅଭ୍ୟାସ ଥିଲା। ରାତି ଅନିଦ୍ରା ହୋଇ ଯାତ୍ରା ଦେଖୁଥିଲି।

ଯେଉଁଠି ଭଜନ ସନ୍ଧ୍ୟା ହେଉଥିଲା, ଘର ଲୋକଙ୍କୁ ନଜଣାଇ ସେଠାକୁ ଚାଲି ଯାଉଥିଲି। ଏଥିପାଇଁ ଅନେକ ସମୟରେ ପରିବାର ଲୋକଙ୍କଠାରୁ ଗାଳି ମଧ୍ୟ ଖାଇଛି। ତଥାପି କଳାଠାରୁ ଦୂରେଇ ଯାଇପାରିନଥିଲି। ପରିବାର ଲୋକଙ୍କ ସେହି ଗାଳି ମୋତେ ଆଗକୁ ବଢ଼ିବା ପାଇଁ ସାହସ ଦେଇଥିଲା। ସେଥିରୁ ମୋତେ ପ୍ରେରଣା ମିଳିଥିଲା ।

ପ୍ରଶ୍ନ: ପ୍ରଥମ ସୁଯୋଗ କେବେ, କେମିତି ପାଇଲେ?

ଉତ୍ତର: ସଂଗୀତ ମହାବିଦ୍ୟାଳୟରେ ପଢ଼ିବା ବେଳେ ମୋର ନିର୍ଦ୍ଦେଶନାରେ ଭଜନ ସମ୍ରାଟ୍‌, ଗୁରୁ ସ୍ୱର୍ଗତ ଭିକାରୀ ବଳ ଭଜନ ଗାଇଥିଲେ। ଭଜନଟି ହେଲା ‘କାଳିଆ ଦେ ତୋ ପାଦେ ସରଣ …’। ଏହି ଭଜନଟି ବହୁ ଲୋକପ୍ରିୟ ହୋଇଥିଲା। ଏଥିପାଇଁ ମୋତେ ସଂଗୀତ ଜଗତରେ ସ୍ୱତନ୍ତ୍ର ପରିଚୟ ମିଳିଥିଲା। ତା’ପରେ ‘ନାନି ବଡ଼ଦାଣ୍ଡେ ଭାରି ଭିଡ଼, ଟିକେ ହାଉଲେ ଯିବୁ …’।

ଏହି ଭଜନ ମୋତେ ରୋଜଗାରର ପନ୍ଥା ଦେଖାଇଥିଲା। ଗୀତଟି ମାର୍କେଟରେ ଭିଡ଼ ମଧ୍ୟ ଜମାଇଥିଲା। ଆଉ ତା’ପରେ କେବେ ପଛକୁ ଫେରି ଚାହିଁନାହିଁ। ଅନେକ ଭଜନ ଓ ଆଲବମ୍‌ରେ ସଂଗୀତ ନିର୍ଦ୍ଦେଶନା ଦେଇଛି।

ପ୍ରଶ୍ନ: ଭକ୍ତି ରସ ବାଣ୍ଟୁଥିବା ବେଳେ ହଠାତ ଯାତ୍ରା ଆଡ଼େ କେମିତି ମୁହାଁଇଲେ?

ଉତ୍ତର: କଳାର କୌଣସି ସୀମା ନଥାଏ। ମୁଁ ନିଜକୁ କେବଳ ଭଜନରେ ସୀମିତ ରଖିବାକୁ ଚାହୁଁନଥିଲି। ଭଜନ ଓ ଆଲବମ୍‌ରେ ସଂଗୀତ ନିର୍ଦ୍ଦେଶନା ଦେଉଥିଲି। ଯାତ୍ରା ଓ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେବା ମୋ ଲକ୍ଷ୍ୟ ଥିଲା। ତେବେ ୧୯୯୦ ମସିହାରେ ଚର୍ଚ୍ଚିକା ଗଣନାଟ୍ୟରେ ମୁଁ ସେହି ସୁଯୋଗ ପାଇଲି। ନିର୍ଦ୍ଦେଶକ ଶାନ୍ତନୁ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ ‘ସୁଭଦ୍ରା ମାଗୁଛି ଶଙ୍ଖା ସିନ୍ଦୂର’ପାଇଁ ସଂଗୀତ ନିର୍ଦ୍ଦେଶନା ଦେଲି।

ଏହି ନାଟକର ସବୁ ଗୀତ ହିଟ୍‌ ହୋଇଥିଲା। କିନ୍ତୁ ଯାତ୍ରା ଜଗତରେ ମୋତେ ପରିଚୟ ଦେଇଥିଲା ‘ସାହାଣୀ ଅପେରା’। ନାଟକ ଥିଲା ‘ସାହାଣୀ ମାଷ୍ଟରଙ୍କ ଭଙ୍ଗା ସିଲଟ’। ‘ଆସ ପଢ଼ିବା ପାଠ ଆଉ ନକରି ମଠ ହବାରେ ସୁନା ଚାଟ, ଏତ ସାହାଣୀ ମାଷ୍ଟରଙ୍କ ଭଙ୍ଗା ସିଲଟ…’।

ଏହି ନାଟକର ସଂଳାପକାର ଥିଲେ ବଙ୍କିମ ସ୍ୱାଇଁ ଓ ନିର୍ଦ୍ଦେଶକ ଥିଲେ ନକୁଳି ପାତ୍ର। ଆଉ ତା’ପର ବର୍ଷ ‘ମୋ ଜାଈ ଯିବ ଶାଶୂ ଘର’ ନାଟକ ମୋତେ ସଫଳତାର ଆଉ ଏକ ପାହାଚ ଚଢ଼ିବାର ସୁଯୋଗ ଦେଇଥିଲା। ସବୁଠାରୁ ଅଧିକ ପରିଚିତ କରାଇଥିଲା ‘ତାରିଣୀ ଗଣନାଟ୍ୟ’ର ନାଟକ ‘ବଇନା ଦେଇଛି ବାହା ହେବାକୁ’ ଓ ‘ନଈ ସେପାରି କନକ ଗୋରୀ’।

ଏହା ପରେ ଯାତ୍ରା ଜଗତରେ ବିକାଶ ଶୁକ୍ଳାଙ୍କୁ ଲୋକେ ଚିହ୍ନିଲେ। ତା’ପରେ ଅନେକ ସଫଳ ନାଟକରେ ସଂଗୀତ ନିର୍ଦ୍ଦେଶନା ଦେଇଛି। ସେହିପରି ଦୁଃଖ ଦେଇଗଲା ଦରଦି ବନ୍ଧୁ, କଉଡ଼ି ଖେଳ, ରାମ ବନବାସ କାହାଣୀ ଶେଷ’ ପ୍ରମୁଖ ବହୁ ନାଟକ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଥିଲି।

ପ୍ରଶ୍ନ: ଚଳିତବର୍ଷ ଆପଣ କେତୋଟି ନାଟକ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓ ନାଟକ ଗୁଡ଼ିକର ନାଁ କ’ଣ?

ଉତ୍ତର: ଚଳିତବର୍ଷ ମୁଁ ୧୭ଟି ନାଟକର ସଂଗୀତ ନିର୍ଦ୍ଦେଶନା ଦେଇଛି। ‘ଚାଲୁଛୁ ଅଳପ ଝୁଣ୍ଟୁଛୁ ବେଶୀ’, ‘ଭାଇ ଭଉଣୀର ନୂଆ କାହାଣୀ’, ‘ପ୍ରେମ ସବାରୀ ପ୍ରୀତି ନାୟିକା’, ‘ମାୟାଜାଲ’, ‘ଠିକଣା ହଜିଛି ଜଗା ଭାଇର’, ‘ଭାଗ୍ୟ ଖେଳୁଛି ଖେଳ’, ‘ସୈତାନ’, ‘ଏତେ ସରି ତୋତେ କିଏ କଲା’ ଏମିତି ୧୭ଟି ନାଟକ ରହିଛି ।

ପ୍ରଶ୍ନ: ଜଲିଉଡ୍‌ରେ ଆପଣ ଗୋଟିଏ ଲମ୍ବା ଗୀତ ତିଆରି କରିବାର ଅଭିପ୍ରାୟ କେମିତି ଆସିଲା?

ଉତ୍ତର: ଆଜିକୁ ୧୦ ବର୍ଷ ତଳେ ଶିବାନୀ ଗଣନାଟ୍ୟରେ ଏହି ଗୀତଟି ତିଆରି ହୋଇଥିଲା। ନାଟକର ନାଁ ହେଉଛି ‘ମାଟି କଣ୍ଢେଇ’। ଏହି ଗୀତଟି ୧୮ ମିନିଟ୍‌ର ଥିଲା। ନାଟକର ଦୁଇଟି ସିନ୍‌କୁ ନେଇ ଗୀତଟି ହୋଇଥିଲା।

ଏଥିପାଇଁ କୌଣସି ପ୍ରଫେସନାଲ୍‌ କୋରିଓଗ୍ରାଫର ନିୟୋଜିତ ହୋଇନଥିଲେ। ନିର୍ଦ୍ଦେଶକ କିଶୋର ଖଣ୍ଡୁଆଳ ନିଜେ କୋରିଓଗ୍ରାଫ୍‌ କରିଥିଲେ । ନାଟକର ଆବଶ୍ୟକତା ଅନୁସାରେ ଏମିତି ଗୀତ ତିଆରି କରାଯାଇଥିଲା। ଆଉ ସେହି ଗୀତ ବେଶ୍‌ ପ୍ରଶଂସା ସାଉଣ୍ଟିଥିଲା।

ପ୍ରଶ୍ନ: ଯାତ୍ରାରେ କିଛି ପରିବର୍ତ୍ତନ ହୋଇଛି ବୋଲି ଭାବୁଛନ୍ତି କି?

ଉତ୍ତର: ଯାତ୍ରାରେ କିଛି ପରିବର୍ତ୍ତନ ହୋଇନି। ଯଦିବା କିଛି ପରିବର୍ତ୍ତନ ହୋଇଛି ବୋଲି ଭାବୁଛୁ, ତାହା ହେଉଛି ଲାଇଟ୍‌, ଗେଟ୍‌ ଓ ଷ୍ଟେଜ୍‌। ଆଗ ଅପେକ୍ଷା ଷ୍ଟାଇଲିଷ୍ଟ୍‌ କଣ୍ଠଶିଳ୍ପୀ ଆସୁଛନ୍ତି। ସମୟ ସହିତ ତାଳ ଦେଇ ନୂଆ ବାଦ୍ୟଯନ୍ତ୍ର ମଧ୍ୟ ଆସିଛି। ସେହି ଦୃଷ୍ଟିରୁ ଗୀତର କିଛି ପରିବର୍ତ୍ତନ ହୋଇନି।

ପ୍ରଶ୍ନ: ଗୋଟିଏ ଗୀତ ଆରେଞ୍ଜ କରିବା ପାଇଁ କେତେ ଦିନ ଲାଗେ?

ଉତ୍ତର: ଗୀତ ଆରେଞ୍ଜ କରିବା ମୁଡ୍‌ ଉପରେ ନିର୍ଭର କରୁଛି। ଭାବ ଆସିଲେ ସାଙ୍ଗେ ସାଙ୍ଗେ ହୋଇଯିବ, ନହେଲେ ୭ରୁ ୮ ଦିନ ଲାଗିଯିବ। ନାଟ୍ୟ ନିର୍ଦ୍ଦେଶକଙ୍କଠାରୁ ପ୍ରଥମେ ସଂଳାପ ଶୁଣିବାକୁ ପଡ଼େ।

ସବୁ ଚରିତ୍ରକୁ ଅତି ନିକଟରୁ ଦେଖିବାକୁ ପଡ଼େ। ସମ୍ଭତଃ ଘରେ ନାଟକର ସବୁ ଗୀତର ଟ୍ରାକ୍‌ ତିଆରି ହୋଇଯାଇଥାଏ। ତେବେ ଆଖଡ଼ାରେ କେବଳ ଟାଇଟଲ୍‌ ଗୀତର ଟ୍ରାକ୍‌ ତିଆରି ହୋଇଥାଏ। ନାଟ୍ୟ ନିର୍ଦ୍ଦେଶକ ଓ ସଂଳାପକାରଙ୍କ ଆଗରେ ନାଟକକୁ ଦେଖି ଟାଇଟଲ୍‌ ଗୀତ ପ୍ରସ୍ତୁତି ହୋଇଥାଏ ।

ପ୍ରଶ୍ନ: କେତେ ଅନୁଷ୍ଠାନ ମଞ୍ଚରେ ନାଟକର ଗୀତ ଗୁଡ଼ିକୁ ରେକର୍ଡ଼ିଂ ବଜାଉଛନ୍ତି?

ଉତ୍ତର: ଏହା ସତକଥା। କେତେକ ଅନୁଷ୍ଠାନ ନାଟକର ଟାଇଟଲ୍‌ ଟ୍ରାକ୍‌କୁ ଛାଡ଼ି ଅନ୍ୟ ଗୀତ ଗୁଡ଼ିକୁ ରେକର୍ଡ଼ିଂ କରିଦେଉଛନ୍ତି। ଆଉ ମଞ୍ଚରେ ସେହି ଗୀତକୁ ବଜାଉଛନ୍ତି। ମୋ ମତରେ ଏହା ଠିକ ନୁହେଁ। ମଞ୍ଚରେ ଲାଇଭ୍‌ କଲେ ଭଲ ହୁଅନ୍ତା। ରେକର୍ଡ଼ିଂ ଗୀତରେ ମଧ୍ୟ ନକାରାତ୍ମକ ଦିଗ ରହିଛି। ରେକର୍ଡ଼ିଂ ହୋଇଥିବା ଗୀତର ଗତି ସମାନ ରୁହେ। ମାତ୍ର ମଞ୍ଚରେ ନାଟକ ପରିବେଷଣ ବେଳେ ଗୀତର ଗତି ସମାନ ରହେନାହିଁ।

ବେଳେବେଳେ ଅଧିକ ଦର୍ଶକ ଥିଲେ କଳାକାରଙ୍କ ମନରେ ଗୋଟିଏ ଉତ୍ସାହ ଦେଖାଦିଏ। ଆଉ ସେହି ସମୟରେ କଳାକାରମାନେ ଭଲ ପ୍ରଦର୍ଶନ କରିବାକୁ ଚାହାଁନ୍ତି। ମାତ୍ର ସେତିକି ବେଳେ ରେକର୍ଡ଼ିଂ ଗୀତ ବାଜିଲେ ସମସ୍ୟା ଦେଖାଦିଏ।

ପ୍ରଶ୍ନ: ଯାତ୍ରାଠାରୁ ଦର୍ଶକ ଦୂରେଇ ଯାଉଛନ୍ତି କାହିଁକି?

ଉତ୍ତର: ମଞ୍ଚଠାରୁ ଦର୍ଶକ ଦୂରେଇ ଯିବାର କାରଣ ହେଉଛି ଜେନେରେଶନାଲ୍‌ ଗ୍ୟାପ୍‌। ଆଗରୁ ଲୋକ ରାତି ରାତି ଅନିଦ୍ରା ହୋଇ ନାଟକ ଦେଖୁଥିଲେ। ଆଉ ଆଜିର ଜେନେରେସନ୍‌ ୟୁଟ୍ୟୁବ୍‌ ଓ ଫେସବୁକ୍‌ରେ ସମୟ ବିତାଉଛନ୍ତି।

ସେଥିରୁ ସମୟ ମିଳିଲେ ଯେଉଁମାନେ ଯାତ୍ରା ଦେଖିବାକୁ ଯାଉଛନ୍ତି, ସେମାନେ କେବଳ ମେଲୋଡି ଓ ରେକର୍ଡ ଡ୍ୟାନ୍ସ ଦେଖୁଛନ୍ତି। ନାଟକ ଆରମ୍ଭ ହେଲା ବେଳକୁ ସେମାନେ ପଳାଇ ଆସୁଛନ୍ତି।

ପ୍ରଶ୍ନ: ଜଲିଉଡ୍‌ରେ ଆପଣ ସକ୍ରିୟ ଅଛନ୍ତି?

ଉତ୍ତର: ମୁଁ ବର୍ତ୍ତମାନ ସୁଦ୍ଧା ୮ଟି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛି। ସେଥିରୁ “ମୋତେ ବୋହୁ କରି ନେଇଯାଆ”, “ଚୋରି ଚୋରି ମନ ଚୋରି” ଓ “ମୁଁ ଆସିକ ମୁଁ ଆୱାରା” ଫିଲ୍ମ ରିଲିଜ ହୋଇଛି। ମାତ୍ର “ଆଇ ଲଭ୍ ୟୁ ଡାଡି”, “ଏକଲବ୍ୟ”, “ଅଭିମାନୀ ପ୍ରିୟା ମୋର” ପ୍ରମୁଖ ରିଲିଜ ହୋଇପାରି ନାହିଁ ।

 

 



from Odisha Reporter https://ift.tt/2UqsVBB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages