
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଓଡ଼ିଶାର ମହିଳାମାନଙ୍କୁ ପ୍ରତାରିତ କରିଛନ୍ତି। ରାଜ୍ୟର ମହିଳାଙ୍କୁ ନିରାପତ୍ତା, ସୁରକ୍ଷା ଓ ସାମାଜିକ ଅଧିକାର କିଏ ଦେବ ବୋଲି ଓଡ଼ିଶା ଏବେ ଜବାବ ମାଗୁଛି ବୋଲି କଂଗ୍ରେସ କହିଛି।
ପିସିସି ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଉଭୟ ନବୀନ ଓ ବିଜେଡିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଗତ ୨ ଦଶନ୍ଧି ଧରି ନବୀନ ପଟ୍ଟନାୟକ ସରକାରଙ୍କ ଶାସନ ସତ୍ତ୍ଵେ ମହିଳାଙ୍କର ସାମାଜିକ ସ୍ଥିତିରେ ଘୋର ଅବନତି ହୋଇଛି ଓ ଆଜି ଓଡ଼ିଶାର ମହିଳାମାନେ ଅସୁରକ୍ଷିତ ହୋଇ ରହିଛନ୍ତି। ରାଜ୍ୟର ୧୫ ରୁ ୪୯ ବର୍ଷର ମହିଳାଙ୍କ ମଧ୍ୟରୁ ୪୨ ପ୍ରତିଶତ ମହିଳାଙ୍କ ସହିତ ଦୁଷ୍କର୍ମ ହେଉଛି ଓ ଏହା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଉଷା ଦେବୀ ନିଜେ ବିଧାନସଭାରେ କହିଛନ୍ତି।
ନବୀନ ପଟ୍ଟନାୟକ ନିଜକୁ ମହିଳାମାନଙ୍କର ତ୍ରାଣକର୍ତ୍ତା ଭାବରେ ଅଭିହିତ କରୁଥିବା ରାଜ୍ୟରେ ମା’ ଭଉଣୀମାନଙ୍କ ଉପରେ ବର୍ବରୋଚିତ ଆକ୍ରମଣ ତଥା ବିଭିନ୍ନ ପ୍ରକାରର ଅତ୍ୟାଚାର ଓ ଶୋଷଣ କାହିଁକି ଅତିମାତ୍ରାରେ ବଢ଼ି ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୧୪ ରୁ ୨୦୧୭ ମଧ୍ୟରେ ଓଡ଼ିଶାରେ ୪୭୪୯ ଜଣ ନାବାଳିକାଙ୍କ ସହ ବଳାତ୍କାର ଓ ୩୮୫ ଜଣଙ୍କ ସହିତ ଗଣବଳାତ୍କାର ପାଇଁ ଦାୟୀ କିଏ? ମହିଳାମାନଙ୍କୁ ସୁରକ୍ଷା ଦେବା କ’ଣ ସରକାରଙ୍କ ଦାୟିତ୍ୱ ନୁହେଁ କି ବୋଲି ଶ୍ରୀ ଜ୍ଞାନେନ୍ଦ୍ର ପ୍ରଶ୍ନ କରିଛନ୍ତି। ରାଜ୍ୟରେ ମହିଳା ଅପହରଣ, ଯୌତୁକଜନିତ ଆତ୍ମହତ୍ୟା, ନାବାଳିକା ବିବାହ, ମାତୃମୃତ୍ୟୁ ହାର ବଢ଼ିଚାଲିଛି। ଉତ୍ତର ପ୍ରଦେଶ, ହରିୟାନା ଓ ବିହାର ପଛକୁ ଯୌତୁକ ନିର୍ଯ୍ୟାତନା ହାରରେ ଓଡ଼ିଶା ୪ର୍ଥ ସ୍ଥାନରେ ଅଛି। ଏହା ଅତ୍ୟନ୍ତ ଦୁଃଖଦାୟକ। ରାଜନୀତିକ ଭାଷଣବାଜି ପାଇଁ ନବୀନ ପଟ୍ଟନାୟକ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବା କଥା କହୁଥିଲାବେଳେ ମହିଳାମାନଙ୍କ ପରିସ୍ଥିତି ଅତି ଦୟନୀୟ ଅବସ୍ଥାରେ ପହଞ୍ଚିଗଲାଣି। ଗତ ୧୯ ବର୍ଷ ମଧ୍ୟରେ ମହିଳାମାନେ ଉପେକ୍ଷିତ ହୋଇଛନ୍ତି। ଏହା ଲଜ୍ଜାଜନକ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ତେବେ ରାଜ୍ୟରେ କଂଗ୍ରେସ ସରକାର ଆସିଲେ ମହିଳା ଓ ଶିଶୁମାନଙ୍କ ସହିତ ହେଉଥିବା ଜଘନ୍ୟ ଅପରାଧ ପାଇଁ ଏକ ସ୍ୱତନ୍ତ୍ର ଯାଞ୍ଚ୍ ଏଜେନ୍ସି ସ୍ଥାପନ କରିବା ସହିତ ଏକ ସ୍ୱତନ୍ତ୍ର ମଡେଲ ଆଇନ ପ୍ରସ୍ତୁତ କରି ଏହାକୁ ପାରିତ କରିବ। ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ କଠୋର ନିୟମ ପ୍ରଣୟନ କରିବ ଏବଂ ସମସ୍ତ ବିବାହର ପଞ୍ଜିକରଣ ବାଧ୍ୟତାମୂଳକ କରାଯିବ। ଏଥିପାଇଁ ଆବଶ୍ୟକ ଆଇନ ପ୍ରଣୟନ କରାଯିବ। କଂଗ୍ରେସ ମଧ୍ୟ ପ୍ରତିଶ୍ରୁତି ଦେଉଛି ଯେ ସେବା ନିୟମାବଳୀ ସଂଶୋଧନ କରି ୩୩% ଚାକିରି ସମସ୍ତ ସର୍ବଭାରତୀୟ ବିଭାଗରେ ମହିଳାମାନଙ୍କ ପାଇଁ ସଂରକ୍ଷିତ କରାଯିବ।
ସେହିଭଳି ରାଜ୍ୟ ସେବା ନିୟମାବଳୀରେ ମଧ୍ୟ ଆନୁସଙ୍ଗିକ ସଂଶୋଧନ କରାଯିବ। ପ୍ରବାସୀ ମହିଳା ଶ୍ରମିକମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ରାତ୍ରୀ ବିଶ୍ରାମାଗାର ତିଆରି କରାଯିବ ଏବଂ ସହରାଞ୍ଚଳରେ ମଧ୍ୟ ମହିଳାମାନଙ୍କ ପାଇଁ ସୁରକ୍ଷିତ ଓ ହାଇଜିନିକ ପବ୍ଲିକ ଟଏଲେଟ ତିଆରି କରାଯିବ। ସ୍କୁଲ, କଲେଜ ଓ ସାର୍ବଜନୀନ ସ୍ଥାନରେ ସାନିଟାରୀ ନାପକିନ୍ ପାଇଁ ଭେଣ୍ଡିଙ୍ଗ ମେସିନ୍ ବସାଯିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଉଛି ବୋଲି ଶ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି।
from Odisha Reporter http://bit.ly/2YRNnec
No comments:
Post a Comment