
ପୁରୀ (ମଧୁ ସୂଦନ ମିଶ୍ର): ମହଙ୍ଗା ପଡ଼ିଲା ମାଜିଷ୍ଟ୍ରେଟଙ୍କୁ ମାଡ଼। ଶେଷରେ ଗିରଫ ହେଲେ ବିଜେଡିର ବାହୁବଳୀ ନେତା ପ୍ରଦୀପ ମହାରଥୀ। ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପିପିଲି ଥାନା ପୁଲିସ୍ ଗିରଫ କରିଛି। ପୁଲିସ୍ ପ୍ରଥମେ ମହାରଥୀଙ୍କୁ ପିପିଲି ଥାନାରେ ପଚରାଉଚରା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।
ଗିରଫ ନେଇ ପୁରୀ ଏସପି ଉମାଶଙ୍କର ଦାସ କହିଛନ୍ତି,“ ମହାରଥୀଙ୍କ ନାଁରେ ବହୁ ସଂଗୀନ ଦଫା ପୁଲିସ ଲଗାଇଛି। ଏହି ଦଫା ଗୁଡ଼ିକ ହେଲା -୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ ଦଫା- ୧୭୧ (ବି), ୧୮୬ ଏବଂ ଲୋକ ପ୍ରତିନିଧି ଆଇନ ୧୨୩।”
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍ରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାକୁ ଚଢ଼ଉ କରିବାକୁ ଯାଇଥିଲା। ସେହି ସମୟରେ ନିଜେ ପ୍ରଦୀପ ମହାରଥୀ ଫାର୍ମ ହାଉସ୍ ଭିତରେ ପଶି ଟିମ୍ ସଦସ୍ୟମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ରବି ନାରାୟଣ ଅଭିଯୋଗ କରିଥିଲେ।
ଏଥିରେ ସେ ନିଜେ ଆହତ ହେବା ସହ ଏଏସ୍ଆଇ ବିନୟ କୁମାର ଦାସ ଓ ତାଙ୍କ ଡ୍ରାଇଭର ଦୀପକ ଆହତ ହୋଇଥିବା କହିଥିଲେ । ସେହିପରି ଫ୍ଲାଇଂ ସ୍କ୍ୱାଡ୍ କ୍ୟାମେରାମ୍ୟାନଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ହୋଇଥିଲା। ଦୁର୍ବୃତ୍ତମାନେ କ୍ୟାମେରା ଭାଙ୍ଗିଦେଇଥିବା ସୂଚନା ମିଳିଥିଲା। ଆହତ ମାଜିଷ୍ଟ୍ରେଟ୍ଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।
ଆହତ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ର ଅଭିଯୋଗ କରିଥିଲେ ଯେ, ଆଇଆଇସିଙ୍କ ନିର୍ଦ୍ଦେଶରେ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଚଢ଼ଉ କରିଥିଲୁ। ସେଠାରେ ମଦ ଓ ଟଙ୍କା ବଣ୍ଟା ହେଉଥିବା ସୂଚନା ଥିଲା। ପହଞ୍ଚୁ ପହଞ୍ଚୁ ମୁଁ ଓ ମୋର SST(ସ୍ପେଶାଲ ସିକ୍ୟୁରିଟି ଟିମ୍) ଟିମକୁ ଫାର୍ମ ହାଉସ ଭିତରେ ପ୍ରଦୀପ ମହାରଥୀ ଗାଳି ଗୁଲଜ କରିବା ସହ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।
from Odisha Reporter http://bit.ly/2DqmBjZ
No comments:
Post a Comment