
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଦହି ବାଇଗଣ, ଦହି ଭେଣ୍ଡି ଇତ୍ୟାଦି ଖାଇଥିବେ। ଦହିରେ ଆହୁରି ମଧ୍ୟ ଅନେକ ପ୍ରକାର ଆଇଟମ୍ ପ୍ରସ୍ତୁତ କରାଯାଇଥାଏ। କେବେ ଆପଣ ଦହି କଦଳୀ ଖାଇଛନ୍ତି କି? ଏହା ଦହି ବାଇଗଣ ଭଳି ତିଆରି ହୋଇଥାଏ ସତ କିନ୍ତୁ, ଏହାର ଖଟା ମିଠା ସ୍ୱାଦ ଥରେ ଖାଇଲେ ସବୁବେଳେ ଖାଇବାକୁ ଇଛା ହେବ। ତେବେ ଏହାକୁ କିପରି ପ୍ରସ୍ତୁତ କରିବେ ଜାଣନ୍ତୁ।
ଆବଶ୍ୟକ ସାମଗ୍ରୀ
କଞ୍ଚା କଦଳୀ, ଘୋଳ ଦହି, ଜିରା ଲଙ୍କା ଗୁଣ୍ଡ, ଭୃଷଙ୍ଗ ପତ୍ର, ତେଲ, ଶୁଖିଲା ଲଙ୍କା, ଚିନି, ଲୁଣ, ସୋରିଷ, ହଳଦୀ ଏବଂ ଚାଉଳ ଚୂନା।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଆପଣ କଞ୍ଚା କଦଳୀକୁ ଲମ୍ବା କରି କାଟି ହଳଦୀ ପାଣିରେ ପକାଇ ରଖନ୍ତୁ। ଗ୍ୟାସ୍ରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ଏହା ପରେ କଦଳୀଗୁଡିକୁ ତେଲରେ ଭଲ ଭାବେ ଭାଜି ଦିଅନ୍ତୁ। ସେଥିରେ ଛୁଙ୍କ ଦେବା ପାଇଁ ତେଲରେ ସୋରିଷ, ଶୁଖିଲା ଲଙ୍କା ଏବଂ ଭୃଷଙ୍ଗ ପତ୍ର ପକାନ୍ତୁ।
ଦହିରେ ଚାଉଳ ଗୁଣ୍ଡ, ଚିନି ଏବଂ ଲୁଣ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଦହିରେ ଚାଉଳ ଚୂନା ମିଶାଇ ଛୁଙ୍କ ଦେଲେ ତାହା ଛିଡ଼ିବ ନାହିଁ।
ଦହିରେ ସବୁ ଜିନଷ ପକାଇ ସାରିଲେ ତାକୁ ଛୁଙ୍କ ପାଇଁ ତେଲରେ ଫୁଟଣ ଇତ୍ୟାଦି ଫୁଟାଇଥିବା କଡ଼େଇରେ ପକାନ୍ତୁ। ଦହିକୁ ଏବେ ୫ ମିନିଟ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଏହା ପରେ ସେଥିରେ ପୂର୍ବରୁ ଭଜା ହୋଇଥିବା କଦଳୀକୁ ପକାଇ ଆଉ ଦୁଇ ତିନି ମିନିଟ୍ ଫୁଟିବାକୁ ଛାଡ଼ି ଦିଅନ୍ତୁ।
ଏହା ପରେ ସେଥିରେ ଜିରା ଲଙ୍କା ଗୁଣ୍ଡ ପକାଇ ଗ୍ୟାସ୍ରୁ ତଳକୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଦହି କଦଳୀ ଆଇଟମ୍। ଏହାକୁ ଆପଣ ରୁଟି କିମ୍ବା ଭାତରେ ଖାଇ ପାରିବେ। ଦହିର ଖଟା ସ୍ୱାଦ ଏବଂ ସେଥିରେ ପଡ଼ିଥିବା ଚିନି ଏକ ଅଲଗା ପ୍ରକାର ଚଟ୍ପଟା ସ୍ୱାଦ ଦେବ।
from Odisha Reporter http://bit.ly/2UDg62V
No comments:
Post a Comment