
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାପା କହନ୍ତି, ରାଜନୀତି କୁଆଡେ ଶ୍ରେଷ୍ଠ ନୀତି। ଏହାଠାରୁ ବଳି ନୀତି ନାହିଁ। ଦିଅଁ, ଦେବତାଙ୍କଠାରୁ ଆରମ୍ଭ କରି ରାଜ୍ୟ ଜୟ ପର୍ଯ୍ୟନ୍ତ ସବୁ ଏଇ ଗୋଟିଏ ନୀତି ଦ୍ୱାରା ପରିଚାଳିତ ହୁଏ। ହେଲେ କଳିକାଳ ଘୋର ହେବାରୁ ରାଜନୀତି ଏବେ ଗାଁ ମାଇପେଙ୍କ କଜିଆ ଭଳି ପ୍ରତୀୟମାନ ହେଲାଣି। ନିତେଇ ନାତି, କୁନି ବୋଉ ଘରୁ ବରକୋଳି ଚୋରି କରିବା ପରେ ଯେଉଁ ସ୍ଥିତି ଆମ ଗାଁରେ ନିଇତି ହେଉଥିଲା ସେଭଳି ସ୍ଥିତି ଏବେ ରାଜଧାନୀକୁ ଗ୍ରାସିଛି।
କେହି କାହା ଶିରି ସହିପାରୁ ନାହାନ୍ତି। ୧୯ ଜିତିବେ ବୋଲି କିଏ କାହା ପୋଷ୍ଟର ଚିରିଲାଣି ତ କିଏ କାହାକୁ ବାଟେ ଘାଟେ ଅଣ୍ଡାଳିଲାଣି (ବଡ ବଡ଼ ରାଜନୈତିକ ବ୍ୟକ୍ତିଙ୍କୁ ପୁଲିସ୍ର ତନଖି )। ଅବଶ୍ୟ ଏଇଟା କିଛି ଖରାପ ନୁହେଁ। କାରଣ ପର ଗୋହି ଖୋଳି ଯଦି ସତ୍ତା ହାସଲ ହେଉଛି, ଏମିତି କରିବା ଆପାତତଃ ଦୋଷାବହ ହେବନାହିଁ। କିନ୍ତୁ ଆଉ ଟିକେ ତଳକୁ ଖସି ଯଦି ଲୋକହସା ହେବାକୁ ପଡିଲା ତା ହେଲେ ବଡ଼ ଦୁଃଖ ଓ ପରିତାପର ବିଷୟ ବୋଲି କହିହେବ।
ଧରମା ଏମିତି ବୁଝାଉଥାଏ ନବୀନାକୁ।
ଦୁଇବନ୍ଧୁ ନିକଟରେ ରାଜଧାନୀ ଭୁବନେଶ୍ୱର ଆସିଥିଲେ। ଲିଙ୍ଗରାଜ ଦର୍ଶନ କରିବା ପରେ ନବୀନାକୁ ଦର୍ଶନ କରି ଚକ୍ଷୁ ପବିତ୍ର କରିବେ ବୋଲି ଦୁହେଁ ଅଟୋ ଧରି ଆଗକୁ ବଢ଼ିଲେ। କିଛି ବାଟ ଗଲା ପରେ ଦୁହେଁ ଶୁଣିବାକୁ ପାଇଲେ, କୁଆଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କଳ ଆଗମନ କରିଛନ୍ତି। ସମ୍ବଲପୁରରୁ ଆସି ପହଞ୍ଚିଛନ୍ତି ଭୁବନେଶ୍ୱରରେ। ତାଙ୍କ ଆଗମନ ପାଇଁ ଏୟାରପୋର୍ଟ ଅଞ୍ଚଳ ଗେରୁ ରଙ୍ଗରେ ଉଦ୍ଭାସିତ ହେଉଥିବା ବେଳେ ହଠାତ୍ ଘୋଟି ଆସିଲା ଅମା ଅନ୍ଧକାର। ରାଜଧାନୀ ଛାତିରେ ସଞ୍ଜଟା ବେସ୍ ମନୋରମ ବୋଲି ଶୁଣିଥିବା ଧରମା, ନାକ ଟେକି ପ୍ରଶ୍ନ କଲା ନବୀନାକୁ।
‘ଆରେ ନବୀନ ଏ କି ଅଜବ ଘଟଣା କିରେ, ପ୍ରଧାନମନ୍ତ୍ରୀ ଆସିଲେ ଆଲୁଅରେ ଅଞ୍ଚଳ ଝଲସିବା କଥା, ହେଲେ ଏଠି ଏ ବିପରୀତ ଚିତ୍ର କ’ଣ ପାଇଁ ଯେ?’
ଧରମାର ପ୍ରଶ୍ନ ଶୁଣି ନବୀନା ମୁଚୁକୁନ୍ଦ ହସଟିଏ ମାରିଲା। କହିଲା- ‘ନିତେଇ ନାତି, କୁନିବୋଉ ଘରୁ ବରକୋଳି ଚୋରି କରିବା ପରର ସ୍ଥିତି ତୁ ଭୁଲିଗଲୁଣି ବୋଧେ। ଏଠି ପା’ ସେଇ ନାଟକ ଚାଲିଛି।’ ସେଠି କଣ୍ଟା ବାଡ଼ରେ ଲୁଗା ପଡୁଥିଲା, ଏଠି ପଥଧାର ଅନ୍ଧାର କରିଦିଆଗଲା, ଏଥିରେ ଆଚମ୍ବିତ ହେବା ଭଳି କିଛି ନୂଆକଥା ନାହିଁ।”
ନବୀନା ସ୍ୱଭାବତଃ ବିଜେଡି ସମର୍ଥକ ହୋଇଥିବାରୁ ଧରମା ମୁଣ୍ଡ ଟିଣ ହେଇଗଲା। ତା ହସଟା ତାଚ୍ଛଲ୍ୟ ଭଳି ଲାଗିଲା ତାକୁ। ମନ ମାରି ବସିପଡ଼ିଲା କିଛି କ୍ଷଣ। ଅଟୋ ବାଲା ରାସ୍ତାରେ ଛାଡ଼ି ଦେଇ କହିଲା, ଆଗକୁ ଯାଇ ହବନି। ଏଇଠୁ ଚାଲିକି ଯୁଆଡ଼େ ଯାଉଚ ଯାଅ। ଦୁଇବନ୍ଧୁ ପଥଧାରରେ ବନ୍ଧା ହୋଇଥିବା ବ୍ୟାରିକେଡ୍କୁ ଆଉଜି ମୋଦିଙ୍କ ଆଗମନ ପଥକୁ ଅନିଶା କରିଥାନ୍ତି। ଖୋଲା ଜିପ୍ରେ ମୋଦି ଆସିଥିବା ବେଳେ ମୁହଁ ଅନ୍ଧାରରେ ତାଙ୍କ ମୁହଁକୁ ଦାମିକିଆ ଜିପ୍ରେ ଲାଇଟ୍ ବ୍ୟବସ୍ଥା କରାଯାଇଥାଏ। ଯାହାକୁ ଦେଖି ଧରମା କୁରୁଳି ଉଠିଲା। ନବୀନା ବି ପକେଟରୁ ମୋବାଇଲଟା କାଢ଼ି ମୋଦିଙ୍କ ଫଟୋ ଉଠାଇବାକୁ ଉଦ୍ୟତ ହୁଏନ୍ତେ, ଦାନ୍ତ ନିକୁଟି ଧରମା କହିଲା।
ଚୌକିଦାର ହେ… ଅନ୍ଧାରେ ଆସ ଆଉ…
କଥା ବୁଝି ଅବୁଝା ଭଳି ହେଉଥିବା ନବୀନା ଏଥର ଠିକ୍ ବୁଝିଗଲା। ଏଠି ଯିଏ ଯୋଉ ଦଳର ହୁଅନ୍ତୁ। ଓଡ଼ିଆ ଲୋକେ ସମ୍ମାନ ଜଣାଇବାରେ ପାତର ଅନ୍ତର କରିବେନି। ତେଣୁକରି ମୋବାଇଲ କାଢ଼ି ଫଟୋ ଉଠାଉଛନ୍ତି। ଯାହାକୁ ଦେଖି, ବଡ଼ବଡ଼ିଆ ଡାକ ବେଳେ କାଉଁରିଆ ଟେକିବା କଥା ମନେପଡୁଥିଲା।
from Odisha Reporter http://bit.ly/2IEcZFD
No comments:
Post a Comment