ଅଧୁରା ରହିଗଲା ଏମାନଙ୍କ ବିଜେଡି ‘ଟିକେଟ୍ ’ ଆଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ଅଧୁରା ରହିଗଲା ଏମାନଙ୍କ ବିଜେଡି ‘ଟିକେଟ୍ ’ ଆଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବାକୁ ଗୋଡ଼ ଟେକି ବସିଥିବା ବିଜେଡିର ଅଧିକାଂଶ ମହିଳା ଓ ଯୁବ ନେତାମାନଙ୍କୁ ଶକ୍ତ ଧକ୍କା ଲାଗିଛି। ସେମାନଙ୍କ ଆଶା ଏବେ ଆଶାରେ ହିଁ ରହିଯାଇଛି। ବିଜେଡିର ପ୍ରାର୍ଥୀ ତାଲିକା ପ୍ରକାଶିତ ହେବାପରେ ବିଜେଡିର ଏହି ତୃତୀୟ ପୀଢ଼ିର ନେତାମାନେ ନିଜ ନିଜର ଭାଗ୍ୟକୁ ଧିକାର୍ କରିବାରେ ଲାଗିଛନ୍ତି। ଏପରିକି ନିଜ ନିଜ ଅଞ୍ଚଳରୁ ଲଢ଼ିବା ପାଇଁ ଗତ କିଛିମାସ ଧରି ସେମାନେ ଚଳାଇଥିବା ପ୍ରସ୍ତୁତି ମଧ୍ୟ ଏବେ ପାଣିରେ ପଡ଼ିଛି। ଦଳର ନିଷ୍ପତ୍ତି ଏହି ନେତା ଓ ନେତ୍ରୀମାନଙ୍କ ପାଇଁ ଏବେ ‘ସହି ହେଉନି କି ରହିହେଉନି’ ଭଳି ହୋଇଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳୀୟ ଟିକେଟ୍ ପାଇବା ପାଇଁ ବିଜେଡିର ୩ ଛାମୁଆ ସଂଗଠନ ମହିଳା, ଯୁବ ଓ ଛାତ୍ର ଶାଖାର ମୁଖ୍ୟମାନେ ଜୋରଦାର ପ୍ରୟାସ କରିଥିଲ। ବିଜେଡି ମହିଳା ସାମ୍ମୁଖ୍ୟର ସଭାନେତ୍ରୀ ମୀନତି ବେହେରା ଜଗତସିଂହପୁର ଲୋକସଭା କିମ୍ବା ତିର୍ତ୍ତୋଲ ବିଧାନସଭା ଆସନରୁ ଲବି କରିବା ସହ ପ୍ରସ୍ତୁତି ମଧ୍ୟ ଜୋରଦାର କରିଥିଲେ। କିନ୍ତୁ ତାଙ୍କୁ ଶେଷ ମୁହୂର୍ତ୍ତରେ ନିରାଶ ହେବାକୁ ପଡ଼ିଲା। ଏପରିକି ଟିକେଟ୍ ନମିଳିବାରୁ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିବାରୁ ତାଙ୍କୁ ବିଜେଡି ନେତୃତ୍ୱଙ୍କଠୁ କଡ଼ା ତାଗିଦ୍ ମଧ୍ୟ ଶୁଣିବାକୁ ମିଳିଥିଲା ବୋଲି ଜଣାପଡ଼ିଛି।

ସେହିପରି ଯୁବ ବିଜେଡି ମୁଖ୍ୟ ଅମ୍ରେଶ ପତ୍ରୀ ପାଟକୁରା ଆସନରୁ ପ୍ରାର୍ଥୀ ହେବାକୁ ପ୍ରସ୍ତୁତି ଚଳାଇଥିଲେ। ସେ ତାଙ୍କର ରାଜନୀତିକ ଗୁରୁ ପ୍ରଭାବଶାଳୀ ନେତା ଅରୁଣ ସାହୁଙ୍କ ମାଧ୍ୟମରେ ଲବି କରିଥିଲେ ମଧ୍ୟ ସଫଳ ହୋଇନାହାନ୍ତି। ଏହି ଆସନରୁ ମଧ୍ୟ ପ୍ରାର୍ଥୀ ହେବାକୁ ତେଜେଶ୍ୱର ପରିଡ଼ା ଓ ରବି ସାମଲଙ୍କ ଭଳି ଯୁବ ନେତାମାନେ ଚାହିଁ ରହିଥିଲେ। କିନ୍ତୁ ସେମାନେ ମଧ୍ୟ ଶେଷରେ ନିରାଶ ହୋଇଛନ୍ତି।

ସେହିପରି ଭୁବନେଶ୍ୱର-ମଧ୍ୟ ଆସନ ପାଇଁ ବିଜେଡି ଛାତ୍ର ମୁଖିଆ ରାଣାପ୍ରତାପ ପାତ୍ର ନବୀନ ନିବାସ ଆଗରେ ନିଜ ପତିଆରା ପ୍ରଦର୍ଶନ କରିବାକୁ ପଛାଇ ନଥିଲେ। ଏପରିକି ତାଙ୍କ ପାଇଁ ବିଜେଡି ଆଇଟି ସେଲରେ କାର୍ଯ୍ୟ କରୁଥିବା ତାଙ୍କର କିଛି ଘନିଷ୍ଠ ସହଯୋଗୀ ମଧ୍ୟ ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକଙ୍କ ପାଖରେ ଜୋରଦାର ଲବି କରିଥିଲେ। କିନ୍ତୁ ଶେଷରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

ସେହିପରି ବିଜେଡି ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ସୁଲୋଚନା ଦାସ ଓ ଶ୍ରୀମୟୀ ମିଶ୍ର, ସାଧାରଣ ସମ୍ପାଦକ ସୁଲତା ଦେଓ ଓ ସମ୍ପାଦିକା ଏଲିନା ଦାଶ ମଧ୍ୟ ଟିକେଟ୍ ପାଇଁ ଲବି କରି ବିଫଳ ହୋଇଛନ୍ତି। ସୁଲୋଚନା ୨୦୧୪ ନିର୍ବାଚନରେ ବିଧାନସଭାରେ ବରୀ ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ।

ଏମାନଙ୍କ ବ୍ୟତୀତ ବିଜେଡି ମିଡିଆ ସଂଯୋଜକ ମାନସ ମଙ୍ଗରାଜ ମଧ୍ୟ ଚିଲିକା ଆସନରୁ ଲଢ଼ିବାକୁ ଜୋରଦାର ଲବି କରୁଥିଲେ। ସେ ୨୦୧୪ ନିର୍ବାଚନରେ ଚିଲିକାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ଏଥର ତାଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି।ସେହିପରି ଅଭିନେତା ଅରିନ୍ଦମ ରାୟ ମଧ୍ୟ ନିଜର ଶାଳକ ବବି ଦାସଙ୍କ ମାଧ୍ୟମରେ ଟିକେଟ୍ ହାତେଇବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି। ଯଦିଓ ଶାଳକ ଚାହିଁଥିଲେ ମଧ୍ୟ ସେ ଟିକେଟ୍ ପାଇପାରିଥାନ୍ତେ କିନ୍ତୁ ତାଙ୍କୁ ଟିକେଟ୍ ଦେଲେ ଦଳରେ ବଡ଼ଧରଣର ବିଦ୍ରୋହ ଓ ଅସନ୍ତୋଷ ସୃଷ୍ଟି ହେବାର ଆଶଙ୍କା କରି ବିଜେଡି ନେତୃତ୍ୱ ଏଭଳି ନିଷ୍ପତ୍ତି ନେବାରୁ ବିରତ ରହିଥିବା ଜଣାପଡ଼ିଛି।

ସେହିପରି ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମର ସଂଯୋଜକ ତଥା ରାଜ୍ୟ ସମ୍ପାଦକ ବିଜୟ ନାୟକ ଚଳିତଥର ବରୀରୁ ଟିକେଟ୍ ପାଇବେ ବୋଲି ଦୃଢ଼ ନିଶ୍ଚିତ ଥିଲେ। ଶ୍ରୀ ନାୟକ ୨୦୧୪ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଚାହିଁଥିଲେ ମଧ୍ୟ ଶେଷମୁହୂର୍ତ୍ତରେ ତାଙ୍କୁ ଦଳ ବୁଝାସୁଝା କରି ସେଥିରୁ ବିରତ କରିଥିଲା। ବରୀରେ ସେ ନିର୍ବାଚନୀ ପ୍ରସ୍ତୁତି ଜୋରଦାର କରିଥିବାବେଳେ ଶେଷମୁହୂର୍ତ୍ତରେ ବରୀ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ଆଣି ଦଳ ତାଙ୍କୁ ଟିକେଟ୍ ଦେଇଥିଲା। ସୁନନ୍ଦା ଯେଉଁଦିନ ବିଜେଡିରେ ମିଶିଲେ ସେହିଦିନ ହିଁ ତାଙ୍କୁ ଦଳୀୟ ଟିକେଟ୍ ମିଳିଲା। ଦୀର୍ଘଦିନ ଧରି ଟିକେଟ୍ ପାଇବା ଆଶାରେ ପଡ଼ିରହିଥିବା ଶ୍ରୀ ନାୟକଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଛି।

ଅବଶ୍ୟ ବିଜେଡି ପକ୍ଷରୁ କିଛି ଯୁବ ଓ ଛାତ୍ରନେତାଙ୍କୁ ଦଳୀୟ ଟିକେଟ୍ ଦିଆଯାଇଛି। ବିଶେଷକରି ଯେଉଁମାନେ ଉତ୍ତରାଧିକାରୀ ସୂତ୍ରରେ ରହିଛନ୍ତି, ଦଳ ସେମାନଙ୍କୁ ଟିକେଟ୍ ଦେଇଛି। ଚଳିତଥର ବିଜେଡି ଦଳଡ଼ିଆଁ ଓ ସରକାରୀ କର୍ମଚାରୀଙ୍କୁ ଟିକେଟ୍ ପ୍ରଦାନରେ ଅଧିକ ଗୁରୁତ୍ୱ ଦେଇଥିବାବେଳେ ରାଜନୀତିକୁ କ୍ୟାରିୟର କରିଥିବା ଏହି ମହିଳା ଓ ଯୁବନେତାମାନଙ୍କୁ ହତୋତ୍ସାହିତ କରିଛି। ଯଦିଓ ସେମାନେ ଦଳ ପାଇଁ କଠିନ ପରିଶ୍ରମ କରୁଥିଲେ।



from Odisha Reporter https://ift.tt/2CNYkUu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages