
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ଆଜି ସନ୍ଧ୍ୟାରେ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରୁ ‘ଅତ୍ୟନ୍ତ ଭୟଙ୍କର ସାମୁଦ୍ରିକ ଝଡ଼’ର ରୂପ ଧାରଣ କରିଛି। ଏହି ସାମୁଦ୍ରିକ ଝଡ଼ ଏବେ ପୁରୀଠାରୁ ୭୦୦କିମି ଦୂର ଦକ୍ଷିଣରେ ରହିଥିବାବେଳେ ଏହା ଘଣ୍ଟାପ୍ରତି ୨୨କିମି ବେଗରେ ଓଡ଼ିଶା ଉପକୂଳ ଆଡ଼େ ମାଡ଼ି ଆସୁଛି। ଏହା ଆସନ୍ତା ୩ତାରିଖ ଅପରାହ୍ନରେ ଗୋପାଳପୁରରୁ ଚାନ୍ଦିପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ୨ତାରିଖରୁ ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଓ ଘଣ୍ଟାପ୍ରତି ୮୫ କିମି ପର୍ଯ୍ୟନ୍ତ ବେଗରେ ପବନ ବୋହିବାର ଆଶଙ୍କା ରହିଛି। ଫୋନିର ମୁକାବିଲା ପାଇଁ କେନ୍ଦ୍ର ସରକାର ଆଗୁଆ ୩୪୧କୋଟି ଟଙ୍କା ସହାୟତା ଦେଇଥିବାବେଳେ ଓଡ଼ିଶା ୨ଟି ହେଲିକପ୍ଟର ଓ ଅତିରିକ୍ତ ଏନଡିଆରଏଫ୍ ଟିମ୍ ପଠାଇବାକୁ ଅନୁରୋଧ କରିଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ନିମନ୍ତେ ଆଜି ସ୍ୱତନ୍ତ୍ର ବାତ୍ୟା ବୁଲେଟିନ୍ ଜାରି କରାଯାଇଛି। ସାମୁଦ୍ରିକ ଝଡ଼ ‘ଫୋନି’ ସ୍ଥଳଭାଗ ଛୁଇଁବାବେଳେ ପବନର ବେଗ ଘଣ୍ଟାପ୍ରତି ୨୦୫ କିମିରେ ପହଞ୍ଚିବାର ସମ୍ଭାବନା ରହିଛି। ତେବେ ୩ତାରିଖ ସକାଳୁ ଘଣ୍ଟାପ୍ରତି ୧୭୫ରୁ ୧୮୫କିମି ପବନ ବୋହିବ। ‘ଫୋନି’ର ପ୍ରଭାବରେ ମଇ ୨ତାରିଖରୁ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ଓ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ମଇ ୩ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ମଇ ୪ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ‘ଫୋନି’ ସ୍ଥଳଭାଗ ଛୁଇଁବାବେଳେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସମୁଦ୍ର ଜୁଆର ପ୍ରାୟ ଦେଢ଼ ମିଟର ଉଚ୍ଚତାରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସିବ। ‘ଫୋନି’ ପ୍ରଭାବରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ କଚ୍ଚାଘରଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହେବା ସହ ପୁରୁଣା କୋଠାଘର ମଧ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବା ଯୋଗୁ ବିଦ୍ୟୁତ ଯୋଗାଣ ଓ ଯୋଗାଯୋଗ ସେବା ବ୍ୟାହତ ହେବା ସହ ରେଳ ଓ ସଡ଼କ ମାର୍ଗରେ ଚଳପ୍ରଚଳ ବାଧାପ୍ରାପ୍ତ ହେବ। ନଡ଼ିଆ ଓ ତାଳ ଗଛ ଗୁଡ଼ିକ ଭାଙ୍ଗି ପଡ଼ିବା ସହ ବଡ଼ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିବାର ଆଶଙ୍କା ରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ଉପରେ ବାରଣ କରାଯାଇଥିବାବେଳେ ସମୁଦ୍ର କୂଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ପରାମର୍ଶ ଜାରି କରାଯାଇଛି। ଟ୍ରେନ ଓ ସଡ଼କ ଯାତାୟତକୁ ସାମୟିକ ବନ୍ଦ ରଖିବା ସହ ଲୋକଙ୍କୁ ବାତ୍ୟା ସମୟରେ ଘରୁ ନବାହାରିବା ପାଇଁ କୁହାଯାଇଛି। ଡଙ୍ଗା ଓ ବୋଟ୍ ଚଳପ୍ରଚଳ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ‘ଫୋନି’ ମୁକାବିଲାକୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ବସିଥିଲା। ରାଜ୍ୟ ସରକାର ‘ଫୋନି’ର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିବା ସହ ସମୁଦ୍ରକୂଳ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ନିମନ୍ତେ ମାଇକ୍ ଯୋଗେ ପ୍ରଚାର କରାଇଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ଯେ, ଫୋନି ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ଅଛି। କ୍ଷୟକ୍ଷତି କମାଇବା ପାଇଁ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଫୋନି ନିମନ୍ତେ ସତର୍କ ରହିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
ପାଣିପାଗ ବିଭାଗ ପକ୍ଷରୁ ୨ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ହଳଦିଆ ୱାର୍ଣ୍ଣିଂ ମେସେଜ୍ ଜାରି କରାଯାଇଥିବାବେଳେ ୩ ତାରିଖରେ ପୁରୀ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯିବ। ଏହି ସମୟରେ ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
from Odisha Reporter http://bit.ly/2vs82rD
No comments:
Post a Comment