ନିର୍ବାଚନୀ ରଣାଙ୍ଗନରେ ‘ରାଜା’ ଓ ‘ରାଣୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ନିର୍ବାଚନୀ ରଣାଙ୍ଗନରେ ‘ରାଜା’ ଓ ‘ରାଣୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜତନ୍ତ୍ରରେ ରାଜ୍ୟର ଶାସନ ଭାର ସମ୍ଭାଳୁଥିଲେ ରାଜା। ପ୍ରଜାଙ୍କ ଦୁଃଖ ଓ ସୁଖରେ ଛିଡ଼ା ହେଉଥିଲେ। ଏବେ କିନ୍ତୁ ରାଜତନ୍ତ୍ର ନାହିଁ। ଚାଲିଛି ଗଣତନ୍ତ୍ର। ଏଥିରେ ମଧ୍ୟ ପ୍ରମୁଖ ଭୂମିକା ନେଉଛନ୍ତି ପୂର୍ବତନ ରାଜ୍ୟର ରାଜା ଓ ରାଣୀ। ପ୍ରଜାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ନିର୍ବାଚନ ମଇଦାନରେ ବେଶ୍ ଚଳଚଞ୍ଚଳ ହେଉଛନ୍ତି। ୨୦୧୯ ମହାସମରରେ ଏମିତି ଅନେକ ରାଣୀଙ୍କୁ ନେଇ ଚାଲିଛି ଚର୍ଚ୍ଚା। ଯଦିଓ ଗଣତନ୍ତ୍ର ଶାସନ ଯୁଗରେ ରାଜତନ୍ତ୍ରର ସ୍ଥାନ ନାହିଁ, ତଥାପି ଏମାନଙ୍କ ପ୍ରତି ପ୍ରଜାଙ୍କର ଥିବା ଅତୁଟ ଅନୁରକ୍ତି ଓ ଭୋଟ ବ୍ୟାଙ୍କକୁ ଦେଖି ସେମାନଙ୍କୁ ରଣାଙ୍ଗନକୁ ଓହ୍ଲାଇବାର ସୁଯୋଗ ଆଦୌ ହାତଛଡ଼ା କରୁନାହାନ୍ତି ବିଭିନ୍ନ ରାଜନୈତିକ ଦଳ।

ଏପ୍ରିଲ ୧୮ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିରେ ବଲାଙ୍ଗିର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ‘ପାଟଣା ରାଣୀ’ ସଂଗୀତା ସିଂହଦେଓ। ଭୋଟ୍ ଆଉ ଅଳ୍ପ ଦିନ ଥିବାରୁ ସେ ଭୋଟ ପ୍ରଚାରରେ ଲାଗି ପଡ଼ିଛନ୍ତି। ଅନ୍ୟପକ୍ଷରେ ସଂଗୀତାଙ୍କ ପାଇଁ ରାଜନୀତି ଜମାରୁ ନୂଆ ନୁହେଁ। କାରଣ ପୂର୍ବରୁ ସେ ତିନି ଥର ଏହି ଆସନରୁ ପ୍ରଜାଙ୍କ ଆଶୀର୍ବାଦରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏଥର ମଧ୍ୟ ସେ ‘ପ୍ରଜା’ଙ୍କ ପାଇଁ ଲଢୁଛନ୍ତି ବୋଲି କହିଛନ୍ତି।

ପାଟଣା ରାଣୀ ସଂଗୀତା କୁମାରୀ ସିଂହଦେଓ କହିଛନ୍ତି,“ରାଜ ପରିବାର ଉପରେ ଲୋକମାନଙ୍କର ଶ୍ରଦ୍ଧା ରହିଛି। ଆମେ ଆମର କର୍ତ୍ତବ୍ୟ କରୁଛୁ, ସେମାନେ ତାଙ୍କର କର୍ତ୍ତବ୍ୟ କରିବେ।”

ଠିକ ସେମିତି ପ୍ରଜାଙ୍କ ‘ଅନୁରୋଧ’ରେ ରାଜନୀତିକୁ ଆସିଛନ୍ତି ଧରାକୋଟ ‘ରାଣୀ’ ନନ୍ଦିନୀ ଦେବୀ। ଗତଥର ସାନଖେମୁଣ୍ଡିରୁ ବିଜେଡି ଟିକେଟରେ ସେ ବିଧାୟିକା ହୋଇଥିଲେ। ଏଥର ମଧ୍ୟ ସେହି ଦଳରୁ ଜିତି ‘ଜନସେବା’ ପାଇଁ ମନ ବଳାଇଛନ୍ତି। ସ୍ୱାମୀ ତଥା ଧରାକୋଟ ‘ରାଜା’ କିଶୋର ଚନ୍ଦ୍ର ସିଂହଦେଓଙ୍କ ଆକସ୍ମିକ ବିୟୋଗ ପରେ ପ୍ରଜାଙ୍କ ଅନୁରୋଧ ଯୋଗୁ ରାଜନୀତିକୁ ଆସି ସକ୍ରିୟ ହୋଇଛନ୍ତି।

ଧରାକୋଟ ‘ରାଣୀ’ ନନ୍ଦିନୀ ଦେବୀ କହିଛନ୍ତି, “ପ୍ରଜାଙ୍କ ସମ୍ମାନ ରକ୍ଷା କରି ରାଜନୀତିକୁ ଆସିଛି। ବିଧାୟକ ହେବା ପରେ ଅନେକ କାମ କରିଛି। ଆହୁରି ଅନେକ କାମ ବାକି ରହିଛି।”

ଆଉ ଜଣେ ରାଣୀ ହେଉଛନ୍ତି ନୀଳଗିରିର ‘ରାଣୀ’ ମନୋଜା ମଞ୍ଜରୀ ଦେବୀ। ରାଜା-ପ୍ରଜା ମଧ୍ୟରେ ଦୂରତାକୁ ଭୁଲିଛନ୍ତି ମନୋଜା। ରାଜପ୍ରାସାଦକୁ ବୋହୂ ହୋଇ ଆସିବା ଦିନଠୁ ମହିଳାଙ୍କୁ ସ୍ୱତନ୍ତ୍ର ଅଧିକାର ପାଇଁ ଦେଖିଥିବା ସ୍ୱପ୍ନକୁ ସାକାର କରିବା ଲାଗି ବାଛିଛନ୍ତି ରାଜନୀତିର ପଥ। ଏଥର ସେ ନୀଳଗିରି ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି।

ନୀଳଗିରି ‘ରାଣୀ’ ମନୋଜା ମଞ୍ଜରୀ ଦେବୀ କହିଛନ୍ତି-“ପ୍ରଜାଠାରୁ କେବେ ହେଲେ ରାଜା ଦୂରରେ ନଥିଲେ। ସବୁବେଳେ ସେମାନଙ୍କ ପାଖେ ପାଖେ ଥିଲେ। ମହିଳାଙ୍କୁ ସେମାନଙ୍କ ଅଧିକାର ଫେରାଇଦେବା ପାଇଁ କାମ କରିବି।”

ଠିକ୍ ସେମିତି ରାଜ୍ୟ ରାଜନୀତିରେ ଅନ୍ୟଜଣେ ଚର୍ଚ୍ଚିତ ‘ରାଣୀ’ ହେଲେ ଚିକିଟିର ଉଷା ଦେବୀ। ପ୍ରଜାଙ୍କ ଆଶୀର୍ବାଦରେ ସେ ପାଞ୍ଚ ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମନ୍ତ୍ରିମଣ୍ଡଳରେ ସେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟ ପାଇଛନ୍ତି। ଏଥର ମଧ୍ୟ ବିଜେଡି ଟିକେଟରେ ଲଢୁଛନ୍ତି। ହେଲେ ଅସୁସ୍ଥତା ଯୋଗୁ ପ୍ରଚାର ମଇଦାନରେ ବେଶି ଦେଖାଯାଉ ନାହାନ୍ତି।

ସେହିପରି ରାଜନୀତିକୁ ନୂଆ କରି ଓହ୍ଲାଇଛନ୍ତି ପାରଳା ‘ରାଜକୁମାରୀ’ କଲ୍ୟାଣୀ ଗଜପତି। ସେ ଏଥର ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଏବଂ ପ୍ରଜାଙ୍କ ଆଶୀର୍ବାଦ ପାଇବାକୁ ଆଶା ବାନ୍ଧିଛନ୍ତି।

ଗଣତନ୍ତ୍ର ଶାସନରେ ରାଜତନ୍ତ୍ର ଲୋପ ପାଇଥିଲେ ମଧ୍ୟ କମିନି ରାଜା ଓ ରାଣୀଙ୍କ କ୍ରେଜ୍। ରାଣୀଙ୍କ ଭଳି ରାଜା ଓ ରାଜପରିବାର ସଦସ୍ୟ ଓଡ଼ିଶାରେ ରାଜନେତା ହେବାର ଉଦାହରଣ ଅନେକ ରହିଛି। ଯେମିତିକି କାମାକ୍ଷା ପ୍ରସାଦ ସିଂହଦେଓ, ଭି.ସୁଜ୍ଞାନ କୁମାରୀ ଦେଓ, ଅନଙ୍ଗ ଉଦୟ ସିଂହଦେଓ ଓ ତାଙ୍କର ଦୁଇ ପୁଅ କଳିକେଶ ଏବଂ ଅର୍କେଶ, କନକବର୍ଦ୍ଧନ ସିଂହଦେଓ, ପ୍ରତାପ ଦେବ, ପୁଷ୍ପେନ୍ଦ୍ର ସିଂହଦେଓ, ନୀତେଶ ଗଙ୍ଗଦେବ ପ୍ରମୁଖ।



from Odisha Reporter https://ift.tt/2CXgt2t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages