
ପୁରୀ (ଓଡ଼ିଶା ରିପୋର୍ଟର): ବାତ୍ୟାରେ ଲୁହାଭାରା ଭାଙ୍ଗି ଶ୍ରୀମନ୍ଦିରକୁ କ୍ଷତି ପହଞ୍ଚିଥିବାରୁ ଭାରତୀୟ ପ୍ରତ୍ୱତତ୍ତ୍ୱ ବିଭାଗ(ASI) କ୍ଷମା ମାଗିଛି। ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ମୁଖ୍ୟ ମନ୍ଦିରର ସିଂହ ମୂର୍ତ୍ତି ଭାଙ୍ଗିଥିବାରୁ ଗଜପତି ମହାରାଜାଙ୍କ କ୍ଷୋଭ ପ୍ରକାଶ କରିଛନ୍ତି। ବାତ୍ୟା ପୂର୍ବରୁ ଭାରା ଖୋଲାଯାଇ ନଥିବାରୁ ସିଂହ ମୂର୍ତ୍ତି ଭାଙ୍ଗିଲା ବୋଲି ଗଜପତି କହିଛନ୍ତି। ASI ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏହାକୁ ସ୍ୱୀକାର କରି କ୍ଷମା ମାଗିବା ସହ ଏଭଳି ଘଟଣାର ପୁନରାବୃତ୍ତି ହେବନାହିଁ ବୋଲି କହିଛନ୍ତି। ତା’ସହ ଏଣିକି ASIକୁ ଶ୍ରୀମନ୍ଦିର କର୍ମଚାରୀଙ୍କ ଭଳି ପରିଚୟପତ୍ର ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।
ନୀଳଚକ୍ରର ସ୍ଥିତି ନେଇ ଚାଲିଥିବା କଳ୍ପନା ଜଳ୍ପନା ଉପରେ ଆଜିର ବୈଠକରେ ଆଲୋଚନା ହୋଇଥିଲା। ନୀଳଚକ୍ରର ସ୍ଥିତି ପରଖିବା ପାଇଁ ଡ୍ରୋନ ବ୍ୟବହାର ହେବ। ଡ୍ରୋନରୁ ଉତ୍ତୋଳିତ ଫଟୋ ଗୁଡ଼ିକୁ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ତା’ସହ ସିଂହଦ୍ୱାରରେ ଥିବା ଜୟବିଜୟ ମୂର୍ତ୍ତି ବଦଳାଯାଇ ପଥର ମୂର୍ତ୍ତି ଲଗାଯିବାକୁ ସ୍ଥିର ହୋଇଛି।
ବାତ୍ୟା ପରେ ଯେପରି କୁଡୁଆ ଅଭାବ ନହେବ, ତା’ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। କୁମ୍ଭକାରଙ୍କ ଶାଳ ନିର୍ମାଣ ପାଇଁ ୮ ହଜାର ୫ ଶହ ଟଙ୍କା ମିଳିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।
from Odisha Reporter http://bit.ly/2WSiGUM
No comments:
Post a Comment