
ଲଣ୍ଡନ: ବିଶ୍ୱକପ୍ର ଅସଲ ପରୀକ୍ଷା ଆଗରୁ ଅଭ୍ୟାସ୍ ମ୍ୟାଚ୍ରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ବିରାଟ୍ କୋହଲିଙ୍କ ଟିମ୍ ଇଣ୍ଡିଆ ଶୋଚନୀୟ ପରାଜୟ ବରଣ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ମାତ୍ର ୩୯.୨ ଓଭର୍ରେ ସମସ୍ତ ୱିକେଟ୍ ହରାଇ ୧୭୯ ହିଁ କରିବାକୁ ସକ୍ଷମ ହୋଇଥିଲା।
ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ୭୮ଟି ବଲ୍ ପୂର୍ବରୁ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଅଧିନାୟକ କେନ୍ ୱିଲିମିସନ ଓ ଅଭିଜ୍ଞ ରସ୍ ଟେଲର ଅର୍ଦ୍ଧଶତକ ହାସଲ କରିଛନ୍ତି। ସେପରି ଯଶପ୍ରୀତ ବୁମ୍ରାଙ୍କୁ ଛାଡ଼ି ଦେଲେ କୌଣସି ଭାରତୀୟ ବୋଲର ଇଂଲଣ୍ଡ ମାଟିରେ ନିଜର ପ୍ରଭାବ ଦେଖାଇ ପାରିନାହାନ୍ତି।
ଟିମ୍ ଇଣ୍ଡିଆର ବ୍ୟାଟିଂ ବାହିନୀର ବିଫଳତା ହାରିବାର ପ୍ରମୁଖ କାରଣ ହୋଇଛି। ଦୁଇ ଓପନର ଶିଖର ଧୱନ ଓ ରୋହିତ ଶର୍ମା ମାତ୍ର ୨ ରନ୍ ଲେଖାଏ ରନ୍ କରିବାକୁ ସକ୍ଷମ ହୋଇଥିଲେ। ବିରାଟ୍ କୋହଲି ୧୮ ରନ୍ କରିଥିଲେ। କେଏଲ ରାହୁଲ ଏବଂ ଦୀନେଶ କାର୍ତ୍ତିକ ଯଥାକ୍ରମେ ୧ ଓ ୪ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। ଅଭିଜ୍ଞ ଧୋନି ୧୭ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା କେବଳ ୩୦ ରନ୍ କରିପାରିଥିଲେ। ରବୀନ୍ଦ୍ର ଜାଡେଜା ୫୪ ଓ କୁଲଦୀପ ଯାଦବ ୧୯ ରନ୍ କରିବାରୁ ଭାରତ ସମ୍ମାନଜନକ ସ୍କୋର କରିପାରିଥିଲା। ତେବେ ମଧ୍ୟକ୍ରମର ବିଫଳତା ବିଶ୍ୱକପ୍ର ଅସଲ ପରୀକ୍ଷା ପୂର୍ବରୁ ଟିମ୍ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି। ପୂର୍ବରୁ ୪ ନଂ ସ୍ଥାନକୁ ନେଇ ଦ୍ୱନ୍ଦ୍ୱ ରହିଥିଲା। ଏବେ ଦୁଇ ଓପନରଙ୍କ ବିଫଳତା ଏହି ସମସ୍ୟାକୁ ଦୁଇ ଗୁଣିତ କରିଛି।
” ଭାରତ ଚଳିତଥର ବିଶ୍ୱକପ୍ ଜିତିବ”, “ବିରାଟ୍ କୋହଲିଙ୍କ ଟିମ୍ ଇଣ୍ଡିଆ ସବୁଠୁ ଶକ୍ତିଶାଳୀ” ଇତ୍ୟାଦି ଦମ୍ଭୋକ୍ତି ଆଜି ଫିକା ପଡ଼ିଯାଇଛି। ଆଜିର ଅଭ୍ୟାସ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ଦେଖି କ୍ରିକେଟ୍ ପଣ୍ଡିତଙ୍କ ଆକଳନ ବଦଳି ଯାଇଛି।
ଅନ୍ୟପକ୍ଷରେ ବିଜୟ ସହ ଟୁର୍ଣ୍ଣାମେଣ୍ଟର ଅସଲି ଲଢ଼େଇ କରିବାକୁ ନ୍ୟୁଜିଲ୍ୟାଣ୍ଡ ଯେଉଁ ଲକ୍ଷ୍ୟ ରଖିଥିଲା,ତା’ହା ସଫଳ ହୋଇଛି। ଓପନର କଲିନ୍ ମନରୋ(୪)ଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ଭଲ ପ୍ରଦର୍ଶନ କରିଛନ୍ତି। ମାର୍ଟିନ ଗପ୍ଟିଲ ୨୨ କରିଥିବା ବେଳେ ଫର୍ମ ପାଇଁ ପୂର୍ବରୁ ସଂଘର୍ଷ କରୁଥିବା ଅଧିନାୟକ କେନ୍ ୱିଲିମିସନ୍ ୮୭ ବଲ୍ରେ ୬୭ ରନ୍ ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡକୁ ଜିତିବା ପାଇଁ ୧ ରନ୍ ଥିବା ବେଳେ ରସ୍ ଟେଲର ୭୧ ରନ୍ କରି ଆଉଟ୍ ହୋଇଥିଲା। ତେବେ ହେନେରୀ ନିକୋଲାସ୍ ୧୫ ରନ୍ କରି ଶେଷ ଯାଏ ଅପରାଜିତ ରହିବା ସହ ନ୍ୟୁଜିଲ୍ୟାଣ୍ଡ ପାଇଁ ବିଜୟର ମୁଣ୍ଡି ମାରିଥିଲେ।
ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ୪ ଓଭର୍ ବୋଲିଂ କରି ୨ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା ଓ ୟୁଜବେନ୍ଦର ଚହଲ ମଧ୍ୟ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି। ତେବେ କୁଲଦୀପ ଯାଦବ ୮ ଓଭର୍ ବୋଲିଂ କରି ୪୩ ରନ୍ ବ୍ୟୟ କରିଥିଲେ।
from Odisha Reporter http://bit.ly/2YMmsPR
No comments:
Post a Comment