
ନୂଆଦିଲ୍ଲୀ: ଜର୍ମାନୀ କାର ନିର୍ମାତା କମ୍ପାନୀ ଭକସୱାଗନକୁ ୫୦୦ କୋଟି ଟଙ୍କା ତଣ୍ଡ ମାମଲାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)କୁ ନୋଟିସ କରିଛି ସୁପ୍ରିମକୋର୍ଟ। ପ୍ରଦୂଷଣ ନିୟମକୁ ଉଲ୍ଲଂଘନ ଏବଂ ଠକେଇ ଅଭିଯୋଗରେ ଏନଜିଟି କମ୍ପାନୀକୁ ୫୦୦ କୋଟି ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲା। ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ଏହି କାର କମ୍ପାନୀ।
ଜର୍ମାନୀର ଏହି କାର କମ୍ପାନୀ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂହଭି କୋର୍ଟରେ ପକ୍ଷ ରଖି କହିଛନ୍ତି ଯେ ଏନଜିଟି ପ୍ରଥମେ ପ୍ରଦୂଷଣ ନିୟମକୁ ଉଲ୍ଲଂଘନ ଏବଂ ଠକେଇ ଯନ୍ତ୍ରାଂଶ ଲଗାଇବା ଅଭିଯୋଗରେ ଭକସଓ୍ୱାଗନକୁ ୧୦୦ କୋଟି ଟଙ୍କାର ଜୋରିମାନା ଲଗାଇଥିଲା। ହେଲେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା କାର କମ୍ପାନୀ। ଏହାପରେ ଏନଜିଟିର ୪ଟି ତ୍ରୁଟି ଥିବା ସୁପ୍ରିମକୋର୍ଟ ଦର୍ଶାଇଥିଲେ। ତେବେ ଏନଜିଟି ଏହାପରେ ନିଜର ତୃଟି ନସୁଧାରି କମ୍ପାନୀ ବିରୋଧରେ ୫୦୦ କୋଟି ଟଙ୍କାର ତଣ୍ଡ ଗଣିବାକୁ ନିର୍ଦ୍ଦେଶ ଦେଇଛି। ଏନଜିଟି କାହିଁକି ନିଜ ତ୍ରୁଟିର ସମୀକ୍ଷା ନ କରି କମ୍ପାନୀ ବିରୋଧରେ ୪ ଗୁଣା ଜୋରିମାନ ଲଗାଇଛି ସେ ନେଇ ଭକସଓ୍ୱାଗନ ଦାୟର ହୋଇଥିବା ଆବେଦନରେ ଦର୍ଶାଇଛି।
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଜଷ୍ଟିସ ଏସ ଅବଦୁଲ ନଜିର ମଧ୍ୟ ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି।
ସୂଚନାଯୋଗ୍ୟ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆଇନକୁ ଭକସଓ୍ୱାଗନ କମ୍ପାନୀ ଜାଣିଶୁଣି ଉଲ୍ଲଂଘନ କରୁଥିବାର ପ୍ରମାଣ ମିଳିବା ପରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ମାର୍ଚ୍ଚ ମାସରେ ୨ମାସ ମଧ୍ୟରେ ଜୋରିମାନା ପୈଠ କରିବାକୁ ଜର୍ମାନୀର ଏହି କାର କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ।
ଭକସୱାଗନ ତାର ସମସ୍ତ ଡିଜେଲ କାରରେ ପ୍ରଦୂଷଣ ମାତ୍ରାକୁ ଲୁଚାଇବାକୁ ଏକ ଠକେଇ ଯନ୍ତ୍ରାଂଶ ଲଗାଇଥିଲା। ପରିଣାମ ସ୍ଵରୂପ ପ୍ରଦୂଷଣ ପରୀକ୍ଷାରେ ଭକସୱାଗନ କାର ଗୁଡ଼ିକ ପାର ପାଇଯାଉଥିଲେ। ଏହି ଠକେଇ ଧରାପଡ଼ିବା ପରେ ଏନଜିଟି ଭକସୱାଗନ କମ୍ପାନୀକୁ ଜୋରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ମାମଲାରେ ନଭେମ୍ବର ୧୬, ୨୦୧୮ରେ ଏନଜିଟି ପ୍ରଥମେ ୧୦୦ କୋଟି ଟଙ୍କା ଜୋରିମାନା ଭରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କମ୍ପାନୀକୁ ଜାନୁଆରୀ ୧୮, ୨୦୧୯ ପର୍ଯ୍ୟନ୍ତ ସମୟ ଦିଆଯାଇ ଥିଲା। କିନ୍ତୁ ଏହାପରେ ଏନଜିଟିଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଏହି କାର କମ୍ପାନୀ। ଯେଉଁଥିରେ ଏନଜିଟିର ନିଷ୍ପତ୍ତିରେ ତ୍ରୁଟି ଥିବା ସର୍ବୋଚ୍ଚ କୋର୍ଟ ଦର୍ଶାଇଥିଲା। ଏହାପରେ ଏନଜିଟି ମାମଲାର ଶୁଣାଣି କରି ଅଧିକ ଜୋରିମାନା ସହ କଡ଼ା ପଦକ୍ଷେପ ଗ୍ରହଣ କରିଛି।
from Odisha Reporter http://bit.ly/2H6CBbY
No comments:
Post a Comment