
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଅନେକ ସଫଳତା ପାଇଛନ୍ତି। ଟିମ୍ରେ ଥିବା ସବୁ ସଦସ୍ୟଙ୍କ ସ୍ଥିର ପ୍ରଦର୍ଶନ ବିରାଟ୍ଙ୍କୁ ନେଇ ସଫଳତାର ଶିଖରରେ ପହଞ୍ଚାଇଛି। ଟିମ୍ ଇଣ୍ଡିଆର ସଦ୍ୟ ସଫଳତା ପ୍ରଶଂସକଙ୍କ ମନୋବଳକୁ ମଧ୍ୟ ବୃଦ୍ଧି କରିଛି। ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିବ ବୋଲି ସମସ୍ତେ ଆଶା ରଖିଛନ୍ତି।
ତେବେ ବିରାଟ୍ କୋହଲି ଭାରତର ଅଧିନାୟକ ଭାବେ ଇତିହାସରେ ନିଜ ନାଁ ଲେଖିପାରିବେ ନା ନାହିଁ, ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ବିରାଟ୍ଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଟେଷ୍ଟ ସିରିଜ୍ ଜିତିବାର ରେକର୍ଡ କରିଛି। ସେହିପରି ୨୦୦୮ ପରେ ଅଷ୍ଟ୍ରେଲିଆ ମାଟିରେ ଦିନିକିଆ ସିରିଜ୍ ଜିତିଛି। ୯ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡକୁ ଦିନିକିଆ ସିରିଜ୍ରେ ତା’ର ମାଟିରେ ମାତ ଦେଇଛି।
କିନ୍ତୁ ଏବେ ବିରାଟ୍ କୋହଲିଙ୍କ ଅସଲି ଅଗ୍ନିପରୀକ୍ଷା ଇଂଲଣ୍ଡ ଠାରେ ହେବାକୁ ଥିବା ବିଶ୍ୱକପ୍ରେ ହେବ। ତେବେ ଟିମ୍ ଇଣ୍ଡିଆର ୪ ନଂରେ କିଏ ବ୍ୟାଟିଂ କରିବ, ତା’କୁ ନେଇ ଏବେ ବି ସସପେନ୍ସ ଲାଗି ରହିଛି।
ସେହିପରି ଟିମକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଅଲରାଉଣ୍ଡର କେଦାର ଯାଦବ କ’ଣ ଭଲ ପ୍ରଦର୍ଶନ କରିପାରିବେ? କ’ଣ ତିନି ଜଣ ଦ୍ରୁତ ବୋଲରଙ୍କୁ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବ? କ’ଣ କୁଲଦୀପ-ଚହଲ ଯୋଡ଼ି ଏକାଠି ମ୍ୟାଚ୍ ଖେଳିବେ? ଏଭଳି ଅନେକ ପ୍ରଶ୍ନ କ୍ରିକେଟ୍ ପଣ୍ଡିତଙ୍କୁ ଅଡ଼ୁଆରେ ପକାଇଛି।
ଅଧିନାୟକ ଭାବେ ବିରାଟ୍ଙ୍କ ପ୍ରଦର୍ଶନ କିଭଳି ରହିବ ତା ଅପେକ୍ଷା ତାଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ଅଧିକ ନଜର ରହିବ। ବିରାଟ୍ ଏବେ ଦିନିକିଆରେ ୧୧ ହଜାର ରନ୍ କରିବାଠାରୁ ମାତ୍ର ଅଳ୍ପ ଦୂରରେ ରହିଛନ୍ତି। ସେହିପରି ତାଙ୍କ ଶତକ ସଂଖ୍ୟା ହେଉଛି ୪୧। ତେଣୁ ବିଶ୍ୱକପ୍ରେ ବିରାଟ୍ଙ୍କ ପାଖରେ ନୂଆ ନୂଆ ରେକର୍ଡ କରିବାର ସୁଯୋଗ ରହିବ। ଇଂଲଣ୍ଡର ପିଚ୍ ବ୍ୟାଟସ୍ମ୍ୟାନଙ୍କୁ ଅଧିକ ସୁହାଇବ ବୋଲି କୁହାଯାଉଛି। ତେଣୁ ୩ଥର ଦ୍ୱିଶତକ ହାସଲ କରିଥିବା ଟିମ୍ ଇଣ୍ଡିଆର ଉପଅଧିନାୟକ ରୋହିତ ଶର୍ମା ନିଜର ୪ର୍ଥ ଦ୍ୱିଶତକ ହାସଲ କରିବା ଲକ୍ଷ୍ୟରେ ରହିବେ।
ଅନ୍ୟତମ ଓପନର ଶିଖର ଧୱନ ଆଜି ଯାଏ ଆଇସିସିର କୌଣସି ଇଭେଣ୍ଟରେ ଖରାପ ପ୍ରଦର୍ଶନ କରିନାହାନ୍ତି। ତେଣୁ ଏଥିର ଇଂଲଣ୍ଡ ପିଚ୍ରେ ଧୱନଙ୍କ ବ୍ୟାଟ୍ ଚାଲିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏହି ୩ ଜଣ ବ୍ୟାଟସ୍ମ୍ୟାନ୍ଙ୍କ ପରେ ୪ର୍ଥ ସ୍ଥାନରେ କିଏ ବ୍ୟାଟିଂ କରିବ, ତା’କୁ ନେଇ ସନ୍ଦେହ ଜାରି ରହିଛି। ଏହି ସ୍ଥାନ ପାଇଁ ଦୀନେଶ କାର୍ତ୍ତିକ, କେଏଲ ରାହୁଲ ଓ ବିଜୟ ଶଙ୍କର ଦାବିଦାର ରହିଛନ୍ତି। କାର୍ତ୍ତିକଙ୍କ ପାଖରେ ଅଭିଜ୍ଞତା ଥିବା ବେଳେ କେଏଲ ରାହୁଲ ଜବରଦସ୍ତ ଫର୍ମରେ ରହିଛନ୍ତି। ସେହିପରି ବିଜୟ ଶଙ୍କର ଅଷ୍ଟ୍ରେଲିଆ ଗସ୍ତରେ ଭଲ ପ୍ରଦର୍ଶନ କରିଥିଲେ। ତେଣୁ କିଏ ଏହି ସ୍ଥାନରେ ଖେଳିବ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି।
୫ ନଂ ସ୍ଥାନରେ ମହେନ୍ଦ୍ର ସିଂହ ଧୋନି ଖେଳିବା ଏକ ପ୍ରକାରର ନିଶ୍ଚିତ। ସେହିପରି ୬ ନଂ ସ୍ଥାନରେ କେଦାର ଯାଦବ ଖେଳିବେ। ୭ ନଂରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ। ଟିମ୍ ଇଣ୍ଡିଆ ୨ ଜଣ ଦ୍ରୁତ ବୋଲର ଓ ୨ ଜଣ ସ୍ପିନରଙ୍କୁ ନେଇ ଜୁନ୍ ୫ରେ ମଇଦାନକୁ ଓହ୍ଲାଇ ପାରେ। ଏମାନଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଦାର ଯାଦବ ବୋଲିଂରେ ସହଯୋଗ କରିବେ। ବିଶ୍ୱକପରେ ୯ଟି ଲିଗ୍ରୁ ୬ଟି ଜିତିଲେ ଗୋଟିଏ ଦଳ ସେମିଫାଇନାଲ୍ ଖେଳିବାକୁ ନିଶ୍ଚିତ ଯୋଗ୍ୟତା ଅର୍ଜନ କରିବ। ଏବେ ବିରାଟ୍ ତାଙ୍କ ଟିମ୍କୁ କେମିତି ପ୍ରସ୍ତୁତ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର।
from Odisha Reporter http://bit.ly/2WMB956
No comments:
Post a Comment