
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ତ୍ତ ବିଭାଗରେ ବିନା ଟେଣ୍ଡରରେ ପାଞ୍ଚ ଲକ୍ଷ ଟଙ୍କାର କାମ ପାଇଁ କାର୍ଯ୍ୟାଦେଶ ଓ ବାତ୍ୟା ‘ଫୋନିି’ର ପୁନରୁଦ୍ଧାର ପାଇଁ ୨୦ଲକ୍ଷ ଟଙ୍କାର କାର୍ଯ୍ୟ ଅଟକଳକୁ ବିଭାଜନ କରି ବିନା ଟେଣ୍ଡରରେ ଦେବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ବିଜେପି ଅଭିଯୋଗ କରିଛି। ଏହା ମାଧ୍ୟମରେ ଭ୍ରଷ୍ଟାଚାରରେ ଲିପ୍ତ ଥିବା କିଛି ମୁଷ୍ଟିମେୟ ଅଧିକାରୀ ପିସି କାରବାର କରି ବିଜେଡି ଦଳର ନେତାମାନଙ୍କୁ ମାଲେମାଲ କରିବାର ଯୋଜନା କରିଛନ୍ତି ବୋଲି ବିଜେପି କହିଛି।
ଆଜି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟର ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ସାକ୍ଷାତ କରି ବିନା ଟେଣ୍ଡରରେ ଏଭଳି କାର୍ଯ୍ୟାଦେଶ ଆବଣ୍ଟନକୁ ବିରୋଧ କରିବା ସହ ବାତ୍ୟାବିପନ୍ନଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ୧୩୪୧ କୋଟି ଟଙ୍କାକୁ ଲୁଟ କରିବା ପାଇଁ ବିଜେଡିର ମୁଷ୍ଟିମେୟ ନେତାମାନେ କିଛି ଅଣଓଡ଼ିଆ ଅଧିକାରୀମାନଙ୍କ ସହ ହାତ ମିଳାଇ ଏପରି ଷଡ଼ଯନ୍ତ୍ର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।
ବିନା ଟେଣ୍ଡରରେ କାମ ଦେଇ ପିସି କାରବାରକୁ ରାଜ୍ୟ ସରକାର ଆହୁରି ସୁବିଧା କରିଛନ୍ତି। ପୂର୍ବରୁ ୨୦୧୫ ମସିହାରେ ପୂର୍ତ୍ତ ବିଭାଗର ନିୟମାବଳୀକୁ ପରିବର୍ତ୍ତନ କରିବା ସହ ଜରୁରିକାଳୀନ ଭାବେ ଏହି ନିୟମକୁ ସଂଶୋଧନ କରି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିସି କାରବାରକୁ ପ୍ରଶୟ ଦେଇଥିଲେ। ଏବେ ସେହି ନିୟମକୁ ଆଉଥରେ ସଂଶୋଧନ କରି ୫୦ ହଜାର ଅଟକଳ ସୀମାରାଶିକୁ ୫ ଲକ୍ଷ ଟଙ୍କା କରାଇବା ପଛରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।
ବାତ୍ୟା ରିଲିଫ ଓ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଦେଇଥିବା ୧୩୪୧ କୋଟି ଟଙ୍କାକୁ ସୁଚିନ୍ତିତ ଷଡ଼ଯନ୍ତ୍ର କରି ରାଜ୍ୟ ସରକାରଙ୍କ କିଛି ଅଫିସର ଓ ବିଜେଡିର ମନ୍ତ୍ରୀମାନେ ହଡ଼ପ କରିବା ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ସରକାର ପୂର୍ତ୍ତ ବିଭାଗର ନିୟମାବଳୀକୁ ପରିବର୍ତ୍ତନ କରି ସେଥିରେ ମୋହର ମାରିଛନ୍ତି। କାହା ସ୍ୱାର୍ଥରେ ପୂର୍ତ୍ତ ବିଭାଗର ନିୟମାବଳୀକୁ ପରିବର୍ତ୍ତନ କରି ବିନା ଟେଣ୍ଡରରେ ୫ ଲକ୍ଷ ଟଙ୍କାର କାର୍ଯ୍ୟାଦେଶକୁ ମଞ୍ଜୁରୀ ଦେଲେ, ତା’ ଉପରେ ମୁଖ୍ୟ ସଚିବ ତର୍ଜମା କରନ୍ତୁ ବୋଲି ବିଜେପି ଦାବି କରିଛି।
ଏହି ପ୍ରତିନିଧି ଦଳରେ ବିଜେପି ନେତା କାଳନ୍ଦୀ ସାମଲ, ଲେଖାଶ୍ରୀ ସାମନ୍ତସିଂହାର, ଠାକୁର ରଞ୍ଜିତ ଦାସ, ଟଙ୍କଧର ତ୍ରିପାଠୀ, ଦୀପକ କୁମାର ଗୋଚ୍ଛାୟତ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।
from Odisha Reporter http://bit.ly/2YLp6pf
No comments:
Post a Comment