
ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ କେନ୍ଦ୍ରରେ କେମିତି ସରକାର ଗଠନ କରିବେ, ସେନେଇ ମାନସମନ୍ଥନ ଆରମ୍ଭ କରିଛନ୍ତି। ଏହି ବିରୋଧୀ ମେଣ୍ଟକୁ ଏକାଠି କରିବା ପାଇଁ ପ୍ରଥମରୁ ଉଦ୍ୟମ କରୁଥିବା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଆଜି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି।
ନାଇଡୁ ପ୍ରଥମେ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଥିଲେ। ଯଦି ଆସନ୍ତା ସାଧାରଣ ନିର୍ବାଚନରେ କୌଣସି ଦଳକୁ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ନ ମିଳେ, ତା’ହେଲେ ପରବର୍ତ୍ତୀ ରଣନୀତି କ’ଣ ହେବ, ସେ ସମ୍ପର୍କରେ ଉଭୟ ଆଲୋଚନା କରିଥିବା ଜଣାପଡ଼ିଛି। ସମାନ ଏଜେଣ୍ଡା ଧରି ନାଇଡୁ ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ଭେଟିଛନ୍ତି।
ଏହାବାଦ୍ ସେ ସିପିଆଇ ନେତା ଜି ସୁଧାକର ରେଡ୍ଡୀ ଓ ଡି ରାଜାଙ୍କୁ ଭେଟି ସେମାନଙ୍କ ସହ ବ୍ରେକଫାଷ୍ଟ କରିଛନ୍ତି। ଏଲଜେଡି ନେତା ଶରଦ ଯାଦବଙ୍କୁ ମଧ୍ୟ ନାଇଡୁ ଭେଟି ଦେଶର ନିର୍ବାଚନ ପରବର୍ତ୍ତୀ ରାଜନୀତିକ ସ୍ଥିତି ଓ ଆହ୍ୱାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ସେହିପରି ସନ୍ଧ୍ୟାରେ ନାଇଡୁ ଉତ୍ତର ପ୍ରଦେଶ ଯାଇ ସେଠାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ବିଏସ୍ପି ସୁପ୍ରିମୋ ମାୟାବତୀଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି।
ପୂର୍ବରୁ ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ବିଜେପି ବିରୋଧରେ ସବୁ ଦଳଗୁଡ଼ିକୁ ଏକାଠି କରିବା ପାଇଁ ଏକାଧିକ ପ୍ରମୁଖ ରାଜନେତାଙ୍କୁ ଭେଟିଥିଲେ। ଏମାନଙ୍କ ମଧ୍ୟରେ ଅଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ, ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ ଓ ସିପିଏମର ସାଧାରଣ ସମ୍ପାଦକ ସୀତରାମ ୟେଚୁରୀ।
ମିଳିଥିବା ସୂଚନା ଅନୁଯାୟୀ, ନାଇଡୁ ବିଜେପି କେମିତି କ୍ଷମତାରୁ ହଟିବ, ସେନେଇ ସମସ୍ତଙ୍କ ସହ ଆଲୋଚନା କରିଛନ୍ତି। ବିରୋଧୀ ଦଳଗୁଡ଼ିକ ଏକାଠି ହେଲେ ଯାଇ ଦେଶରେ ଅଣ ବିଜେପି ସରକାର ଗଠନ ହୋଇପାରିବ ବୋଲି ନାଇଡୁ ସମସ୍ତଙ୍କୁ କହିଛନ୍ତି। ଟିଡିପି ପୂର୍ବରୁ ଏନ୍ଡିଏର ଅଂଶୀଦାର ଥିଲା। କିନ୍ତୁ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ କେନ୍ଦ୍ର ଟାଳୁଟୁଳ ନୀତି ଅବଲମ୍ବନ କରିଥିବା ଅଭିଯୋଗ କରି ଚନ୍ଦ୍ରବାବୁ ଏନ୍ଡିଏକୁ ଛାଡ଼ପତ୍ର ଦେଇଥିଲେ।
ନାଇଡୁଙ୍କ ଭଳି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ମଧ୍ୟ ଅଣ ବିଜେପି ଓ ଅଣ କଂଗ୍ରେସ ମେଣ୍ଟ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସେ କଂଗ୍ରେସ ଓ ବିଜେପିକୁ ବାଦ ଦେଇ ତୃତୀୟ ସାମ୍ମୁଖ୍ୟ ଗଠନ କରିବା ସହ କେନ୍ଦ୍ରରେ କ୍ଷମତା ଦଖଲ ପାଇଁ ଲକ୍ଷ୍ୟ ରଖିଛନ୍ତି।
from Odisha Reporter http://bit.ly/2HAotI9
No comments:
Post a Comment