ଏଫଆଇଏଚ୍ ହକି ସିରିଜ୍ ଫାଇନାଲ୍ସ ପାଇଁ ଭାରତୀୟ ଟିମ୍: ବୀରେନ୍ଦ୍ର ଉପଅଧିନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ଏଫଆଇଏଚ୍ ହକି ସିରିଜ୍ ଫାଇନାଲ୍ସ ପାଇଁ ଭାରତୀୟ ଟିମ୍: ବୀରେନ୍ଦ୍ର ଉପଅଧିନାୟକ

ଭୁବନେଶ୍ୱର: ଜୁନ୍ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବାକୁଥିବା ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ୍ସ ପାଇଁ ଆଜି ୧୮ ଜଣିଆ ଭାରତୀୟ ଟିମର ଘୋଷଣା କରାଯାଇଛି। ଟିମର ନେତୃତ୍ୱ ଭାର ପୁନର୍ବାର ମନପ୍ରୀତ ସିଂହଙ୍କୁ ଦିଆଯାଇଛି।

ସେହିପରି ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳର ଉପଅଧିନାୟକ ମନୋନୀତ କରାଯାଇଛି। ବୀରେନ୍ଦ୍ରଙ୍କ ବ୍ୟତୀତ ଆଉ ଜଣେ ଓଡ଼ିଆ ଖେଳାଳି ଭାବେ ଅମିତ୍ ରୋହିଦାସ ଟିମରେ ସ୍ଥାନ ପାଇଛନ୍ତି। ଦୀର୍ଘଦିନ ପରେ ଅଭିଜ୍ଞ ରମନଦୀପ ସିଂହ ଜାତୀୟ ଦଳକୁ ଫେରିଛନ୍ତି।

ରମନଦୀପ ଆଣ୍ଠୁଜନିତ ଆହତ ସମସ୍ୟା କାରଣରୁ ଦୀର୍ଘ ୯ମାସ ଟିମରୁ ବାହାରେ ଥିଲେ। ଶେଷଥର ପାଇଁ ରମନଦୀପ ଗତବର୍ଷ ବ୍ରେଡାଠାରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ସେ ଫରୱାର୍ଡ୍ସରେ ମନଦୀପ ସିଂହ, ଗୁରସାହିବଜିତ୍ ସିଂହ, ସିମରନଜିତ୍ ସିଂହ ଓ ଆକାଶଦୀପ ସିଂହଙ୍କ ସହ ଯୋଗ ଦେବେ।

ବୀରେନ୍ଦ୍ର ଓ ଅମିତଙ୍କ ବ୍ୟତୀତ ସୁରେନ୍ଦ୍ର କୁମାର, ବରୁନ୍ କୁମାର ଓ ଗୁରିନ୍ଦର ସିଂହଙ୍କ ଉପସ୍ଥିତି ଭାରତର ରକ୍ଷଣଭାଗକୁ ମଜଭୁତ୍ କରିବ। ଅଭିଜ୍ଞ ପିଆର ଶ୍ରୀଜେଶ ଓ କ୍ରିଶନ୍ ବି. ପାଠକ ଗୋଲକିପର ଭୂମିକା ତୁଲାଇବେ। ମିଡଫିଲ୍ଡରେ କ୍ୟାପଟେନ୍ ମନପ୍ରୀତଙ୍କ ବ୍ୟତୀତ ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ସୁମିତ୍ ଓ ନୀଳକଣ୍ଠ ଶର୍ମା ନିର୍ଣ୍ଣାୟକ ଭୂମିକା ବହନ କରିବେ।

ଟିମ୍ ଚୟନ ପରେ କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି, ଭାରତୀୟ ଟିମର ମୁଖ୍ୟ କୋଚ୍ ଭାବେ ନିଜର ପ୍ରଥମ ଏଫଆଇଏଚ୍ ଟୁର୍ଣ୍ଣାମେଣ୍ଟକୁ ନେଇ ମୁଁ ବହୁତ ଉତ୍ସାହିତ। ଏହି ଟୁର୍ଣ୍ଣାମେଣ୍ଟ ଅଲିମ୍ପିକ୍ କ୍ୱାଲିଫାଏ ପାଇଁ ଏକ ପ୍ରମୁଖ ପ୍ରକ୍ରିୟା। ଆମେ ଏକ ସନ୍ତୁଳିତ ଟିମ୍ ଚୟନ କରିଛୁ। ରମନଦୀପ ଆହତ ପରେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ବରୁନ୍ କୁମାର ମଧ୍ୟ ଟିମକୁ ଫେରିଛନ୍ତି। ସୁମିତ୍ ଓ ଅମିତ୍ ରୋହିଦାସଙ୍କ ପ୍ରତ୍ୟାବର୍ତ୍ତନରେ ଟିମର ଡିଫେନ୍ସ ମଜଭୁତ୍ ହୋଇଛି। ଲଗାତାର ଭଲ ପ୍ରଦର୍ଶନ କରିବା ଉପରେ ଆମର ଫୋକସ୍ ରହିବ। ଏଥିପାଇଁ ଆମେ କୌଣସି ଟିମକୁ ହାଲକା ଭାବେ ନେବୁ ନାହିଁ ବୋଲି ରିଡ୍ କହିଛନ୍ତି।

ରିଡ୍ ଆହୁରି କହିଛନ୍ତି, ଅଷ୍ଟ୍ରେଲିଆ ଗସ୍ତ ଆମ ପାଇଁ ଚେତାବନୀ ସଦୃଶ ଥିଲା। ବିଶ୍ୱର ବଡ଼ ଟିମ୍ ବିପକ୍ଷରେ କିପରି ଖେଳିବାକୁ ହୁଏ, ତାହା ଆମେ ଅଷ୍ଟ୍ରେଲିଆ ଗସ୍ତରେ ଶିଖିବାକୁ ପାଇଲୁ। ଭୁବନେଶ୍ୱରରେ ଆମେ ପ୍ରାୟ ସପ୍ତାହେ ଧରି ଅଛୁ। ଏଠାରେ ଆୟୋଜିତ ଶିବିର ସବୁ ଖେଳାଳିଙ୍କ ପାଇଁ ଭଲ ରହିଥିଲା। ଆମେ ଏଠାରେ ଅଧିକାଂଶ ସମୟ ଆମର ସର୍କଲ ଏଣ୍ଟ୍ରି, ଫିନିଶିଂ ଓ ଟାଇଟ୍ ମାର୍କିଂ, ଟ୍ୟାକଲିଙ୍ଗ ଉପରେ ଗୁରୁତ୍ୱ ଦେଇଥିଲୁ। ହକିରେ ପେନାଲ୍ଟି କର୍ଣ୍ଣର ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ଏହା ଉପରେ ଅଧିକ କାମ କରିଛୁ ବୋଲି ରିଡ୍ କହିଛନ୍ତି।

ସୂଚନାଯୋଗ୍ୟ, ଜୁନ୍ ୬ ତାରିଖରୁ ଆରମ୍ଭ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପୁଲ-ଏ’ରେ ରୁଷ, ପୋଲାଣ୍ଡ ଓ ଉଜବେକିସ୍ତାନ ସହ ରହିଛି। ସେହିପରି ଗ୍ରୁପ୍-ବି’ରେ ଅଷ୍ଟାଦଶ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାପାନ, ମେକ୍ସିକୋ, ଆମେରିକା ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି।

ଜୁନ୍ ୬ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚରେ ରୁଷକୁ ଭେଟିବ। ଭାରତ ଟୁର୍ଣ୍ଣାମେଣ୍ଟରେ ଶୀର୍ଷରେ ରହି ଚଳିତବର୍ଷ ଶେଷରେ ହେବାକୁଥିବା ଅଲିମ୍ପିକ୍ କ୍ୱାଲିଫାଇଙ୍ଗ ଇଭେଣ୍ଟରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରହିଛି।

ଭାରତୀୟ ହକି ଟିମ୍
ଗୋଲକିପର- ପିଆର୍ ଶ୍ରୀଜେଶ୍, କ୍ରିଶନ୍ ବି. ପାଠକ
ଡିଫେଣ୍ଡର୍ସ- ହରମନପ୍ରୀତ ସିଂହ, ବୀରେନ୍ଦ୍ର ଲାକ୍ରା (ଉପଅଧିନାୟକ), ସୁରେନ୍ଦ୍ର କୁମାର, ବରୁନ୍ କୁମାର, ଅମିତ୍ ରୋହିଦାସ, ଗୁରିନ୍ଦର ସିଂହ
ମିଡଫିଲ୍ଡର୍ସ- ମନପ୍ରୀତ ସିଂହ (ଅଧିନାୟକ), ହାର୍ଦ୍ଦିକ ସିଂହ, ବିବେକ ସାଗର, ସୁମିତ, ନୀଳକଣ୍ଠ ଶର୍ମା
ଫରୱାର୍ଡ୍ସ- ମନଦୀପ ସିଂହ, ଆକାଶଦୀପ ସିଂହ, ରମନଦୀପ ସିଂହ, ଗୁରସାହିବଜିତ୍ ସିଂହ, ସିମରନଜିତ୍ ସିଂହ ।



from Odisha Reporter http://bit.ly/2Mgt7Ay

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages