ଆଇସିସି ୱାର୍ଲ୍ଡ କପରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ଆଇସିସି ୱାର୍ଲ୍ଡ କପରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ସ

ନୂଆଦିଲ୍ଲୀ: ଇଂଲଣ୍ଡରେ ୱାର୍ଲ୍ଡ କପ୍ ଦ୍ୱାଦଶ ସଂସ୍କରଣ ଆୟୋଜିତ ହେବ। ପ୍ରତି ଚାରିବର୍ଷରେ ଥରେ ଆୟୋଜିତ ହେଉଥିବା କ୍ରିକେଟ୍ ମହାକୁମ୍ଭରେ ଭାରତ ଏପର୍ଯ୍ୟନ୍ତ ଦୁଇଥର ଚାମ୍ପିଅନ୍ ହୋଇଛି। ତେବେ ଏହି ମାମଲାରେ ଆଗରେ ଅଛି ଅଷ୍ଟ୍ରେଲିଆ। କଙ୍ଗାରୁ ଟିମ୍ ସର୍ବାଧିକ ୫ଥର ଟାଇଟଲ୍ ଜିତି ଢ଼େର୍ ଆଗରେ ଅଛି।

ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୧ ୱାର୍ଲ୍ଡ କପ୍ ମଧ୍ୟରେ ଭାରତୀୟ ଟିମର ନେତୃତ୍ୱ ୬ଜଣ କ୍ୟାପଟେନ୍ ନେଇଛନ୍ତି। ମେ’ ୩୦ ତାରିଖରୁ ଇଂଲଣ୍ଡରେ ହେବାକୁଥିବା ବିଶ୍ୱକପରେ ବିରାଟ କୋହଲି ଭାରତର ସପ୍ତମ ଅଧିନାୟକ ଭାବେ ନେତୃତ୍ୱ ନେବେ। ତେବେ ଆସନ୍ତୁ ଜାଣିବା ଭାରତର ଏହି ୬ ଅଧିନାୟକଙ୍କ ମଧ୍ୟରୁ କିଏ ସଫଳ ଓ କିଏ ବିଫଳ ହୋଇଛନ୍ତି।

ଏସ୍ ଭେଙ୍କଟରାଘବନ୍ (୧୯୭୫ ଓ ୧୯୭୯): ଭେଙ୍କଟରାଘବନ୍ ଜଣେ ସ୍ମାର୍ଟ କ୍ରିକେଟର୍ ଭାବେ ପରିଚିତ। ସେ ୧୯୭୫ ଓ ୧୯୭୯ ବିଶ୍ୱକପରେ ଭାରତୀୟ ଟିମର ନେତୃତ୍ୱ ନେଇଥିଲେ। ସେତେବେଳେ ଭାରତୀୟ କ୍ରିକେଟ୍ ଟିମର କୌଣସି ପରିଚୟ ନଥିଲା। ପ୍ରଥମ ବିଶ୍ୱକପରେ ଭାରତ ୩ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟ ବିଶ୍ୱକପରେ ୩ଟି ଯାକ ମ୍ୟାଚରେ ପରାସ୍ତ ହୋଇଥିଲା। ଏହି ଦୁଇଟି ବିଶ୍ୱକପରେ ଭେଙ୍କଟରାଘବନ ମୋଟ ୬ଟି ମ୍ୟାଚରୁ ଗୋଟିଏ ବି ୱିକେଟ୍ ନେବାରେ ସଫଳ ହୋଇନଥିଲେ।

କପିଲ୍ ଦେବ (୧୯୮୩, ୧୯୮୭): ଭାରତୀୟ କ୍ରିକେଟ୍ ଇତିହାସରେ କପିଲ୍ ଦେବ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ପରିଚିତ। ଯେବେବି କପିଲଙ୍କ କୀର୍ତ୍ତିମାନଙ୍କ କଥା ସ୍ମରଣ କରାଯିବ, ସର୍ବପ୍ରଥମେ ୧୯୮୩ ବିଶ୍ୱକପ୍ ଆଗରେ ରହିବ। ଭାରତୀୟ ଟିମ୍ ସେତେବେଳେ ବିଶ୍ୱକପ୍ ଦାବିଦାର ନଥିଲା ଏବଂ ଲିଗ୍ ପର୍ଯ୍ୟାୟରେ ଜିମ୍ବାୱେ ବିପକ୍ଷ ମ୍ୟାଚରେ ଦୟନୀୟ ସ୍ଥିତିରେ ଥିଲା। କିନ୍ତୁ କପିଲ୍ ଦେବ ଅପରାଜିତ ୧୭୫ ରନର ଇନିଂସ୍ ଖେଳି ଭାରତକୁ କେବଳ ବିଜୟୀ କରାଇନଥିଲେ ବରଂ ଟିମରେ ଏକ ନୂଆ ଆଶା ଭରିଥିଲେ। ଫାଇନାଲରେ ଭାରତ ଦୁଇଥରର ବିଜେତା ତଥା ଟାଇଟଲ୍ ଫେଭରିଟ୍ ୱେଷ୍ଟଇଣ୍ଡିଜକୁ ୪୩ ରନରେ ହରାଇ ପ୍ରଥମଥର ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା। ଫାଇନାଲରେ କପିଲ୍ ଦେବଙ୍କ ଦ୍ୱାରା ଭିଭିଆନ୍ ରିଚାର୍ଡ୍ସଙ୍କ କ୍ୟାଚ୍ ଧରିବା ଆଜିବି ମନରେ ତାଜା ଅଛି।

ଏହା ପରେ ୧୯୮୭ ବିଶ୍ୱକପରେ ମଧ୍ୟ କପିଲ ନେତୃତ୍ୱ ନେଇଥିଲେ, କିନ୍ତୁ ଏଥର ଟିମ୍ ୧୯୮୩ ସଫଳତାକୁ ଦୋହରାଇପାରି ନଥିଲା। ଏହି ବିଶ୍ୱକପରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିଲେ ହେଁ, ସେମିଫାଇନାଲରେ ଇଂଲଣ୍ଡ ନିକଟରୁ ହାରି ବିଦାୟ ନେଇଥିଲା।

ମହମ୍ମହ ଆଝାରୁଦ୍ଦିନ (୧୯୯୨, ୧୯୯୬, ୧୯୯୯): ବିଶ୍ୱକପରେ ସର୍ବାଧିକ ଥର ଭାରତୀୟ ଟିମର ନେତୃତ୍ୱ ନେଇଛନ୍ତି ମହମ୍ମଦ ଆଝାରୁଦ୍ଦିନ। ସେ ଲଗାତାର ତିନି (୧୯୯୨, ୧୯୯୬, ୧୯୯୯) ବିଶ୍ୱକପରେ ଭାରତର ନେତୃତ୍ୱ ନେଇଥିଲେ। ୧୯୯୨ରେ ଆଝାରଙ୍କ ନେତୃତ୍ୱରେ ଭାରତର ପ୍ରଦର୍ଶନ ସେତେଟା ପ୍ରଭାବୀ ରହିନଥିଲା। ଏହି ସଂସ୍କରଣରେ ଭାରତ ୮ଟିରୁ ମାତ୍ର ୨ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା।

କିନ୍ତୁ ୪ ବର୍ଷ ପରେ ସଚିନ ତେନ୍ଦୁଲକରଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ସଚିନ ଅନେକଥର ଏକାକୀ ଟିମକୁ ବିଜୟୀ କରାଇଥିଲେ। କିନ୍ତୁ ଏହି ବିଶ୍ୱକପରେ ଭାରତ ସେମିଫାଇନାଲରେ ଶ୍ରୀଲଙ୍କା ନିକଟରୁ ଲଜ୍ଜାଜନକ ଭାବେ ହାରି ବିଦାୟ ନେଇଥିଲା।

ଏହା ପରେ ୧୯୯୯ରେ ଭାରତ ପୁଣିଥରେ ନିରାଶ କରିଥିଲା ଏବଂ ଏଥର ଟିମ୍ ସୁପର୍ ସିକ୍ସ ରାଉଣ୍ଡରୁ ହିଁ ବିଦାୟ ନେଇଥିଲା। ଭାରତ ଖେଳିଥିବା ୮ ମ୍ୟାଚରୁ ୪ ବିଜୟ ଓ ୪ ପରାଜୟବରଣ କରିଥିଲା। ଏହି ବିଶ୍ୱକପ୍ ପରେ ଆଝାରଙ୍କୁ ଅଧିନାୟକ ପଦରୁ ବହିଷ୍କୃତ କରାଯାଇଥିଲା।

ସୌରଭ ଗାଙ୍ଗୁଲି (୨୦୦୩): ଏଥର ଭାରତ ଗାଙ୍ଗୁଲିଙ୍କ ନେତୃତ୍ୱରେ ନୂଆ ଟିମ୍ ସହ ଓହ୍ଲାଇଥିଲା। ଭାରତୀୟ ଟିମ୍ ଏହି ବିଶ୍ୱକପରେ ୨୦ ବର୍ଷ ପରେ ଟାଇଟଲର ନିକଟତର ପହଞ୍ଚିଥିଲା। କିନ୍ତୁ ଜୋହାନସବର୍ଗରେ ଟିମକୁ ୧୯୯୯ର ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହି ବିଶ୍ୱକପରେ ଭାରତର ଆରମ୍ଭ ବହୁତ ଖରାପ ଥିଲା। କିନ୍ତୁ ପରେ ଭାଗ୍ୟ ବଦଳିବା ସହ ଭାରତ ବିଜୟ ଟ୍ରାକକୁ ଫେରିଥିଲା। ଗାଙ୍ଗୁଲି କେବଳ ନିଜର ବଳିଷ୍ଠ ନେତୃତ୍ୱ ନୁହେଁ ବରଂ ନିଜ ବ୍ୟାଟ୍ ଦ୍ୱାରା ମଧ୍ୟ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଥିଲେ। ସେ ତିନି ଶତକ ସହ ଟୁର୍ଣ୍ଣାମେଣ୍ଟରେ ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଥିଲେ।

ରାହୁଲ୍ ଡ୍ରାଭିଡ୍ (୨୦୦୭): ୨୦୦୩ରେ ଫାଇନାଲ୍ ଖେଳିଥିବା ଭାରତ ଏଥର ବିଶ୍ୱକପ୍ ଜିତିବ ବୋଲି ଆଶା ଥିଲା। କିନ୍ତୁ ରାହୁଲ ଡ୍ରାଭିଡଙ୍କ ନେତୃତ୍ୱରେ ଟିମ୍ ଗ୍ରୁପ୍ ପର୍ଯ୍ୟାୟରୁ ହିଁ ବିଦାୟ ନେଇଥିଲା। ଡ୍ରାଭିଡଙ୍କ ଏହି ଟିମରେ ସଚିନ, ଯୁବରାଜ ସିଂହ, ଗାଙ୍ଗୁଲି, ବୀରେନ୍ଦ୍ର ସେହ୍ୱାଗଙ୍କ ଭଳି ନାମୀ ଖେଳାଳି ଥିଲେ, କିନ୍ତୁ କେହିବି ଏକାଠି କ୍ଲିକ୍ କରିନଥିଲେ। ଭାରତର ଏହି ବିଶ୍ୱକପ୍ ମିଶନ୍ କୋଚ୍ ଗ୍ରେଗ ଚାପେଲଙ୍କ କାରଣରୁ ବିବାଦରେ ମଧ୍ୟ ରହିଥିଲା ଏବଂ ଟିମକୁ ନିରାଶ ହେବାକୁ ପଡ଼ିଥିଲା।

ମହେନ୍ଦ୍ର ସିଂହ ଧୋନି (୨୦୧୧, ୨୦୧୫): ଧୋନିଙ୍କ ନେତୃତ୍ୱରେ ଘରୋଇ ମାଟିରେ ବିଶ୍ୱକପ୍ ଖେଳୁଥିବା ଭାରତ କମାଲ୍ କରିଥିଲା। ଭାରତୀୟ ଟିମ୍ ଏଥର ଫାଇନାଲରେ ପହଞ୍ଚିଥିଲା ଏବଂ ଏଥିରେ ଶ୍ରୀଲଙ୍କାକୁ ହରାଇ ୨୮ ବର୍ଷ ପରେ ଏହି ବିଶ୍ୱକପ୍ ଟାଇଟଲ୍ ଉପରେ କବଜା କରିଥିଲା। ଅଧିନାୟକ ଧୋନି ଫାଇନାଲରେ ଅପରାଜିତ ୯୧ ରନର ଇନିଂସ୍ ଖେଳିଥିଲେ ଏବଂ ଛକା ମାରି ଭାରତକୁ ଦ୍ୱିତୀୟଥର ବିଶ୍ୱ ବିଜେତା କରାଇଥିଲେ। ଏହାର ଚାରିବର୍ଷ ପରେ ୨୦୧୫ରେ ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ତା’ର ଟାଇଟଲ୍ ଡିଫେଣ୍ଡ୍ କରିବାକୁ ଓହ୍ଲାଇଥିଲା। କିନ୍ତୁ ସେମିଫାଇନାଲରେ ଧୋନିଙ୍କ ଟିମ୍ ଅଷ୍ଟ୍ରେଲିଆଠାରୁ ହାରି ବିଦାୟ ନେଇଥିଲା।



from Odisha Reporter http://bit.ly/2JFJu6F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages