
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ରାଜନୀତିରେ ‘ବିଜେଡି’ର ଗୁରୁତ୍ୱ ବୃଦ୍ଧି ପାଇଁ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ବିଜେଡି ସୁଚିନ୍ତିତ ଢଙ୍ଗରେ ‘ପ୍ରଧାନମନ୍ତ୍ରୀ’ ପଦ ପାଇଁ ଦାବିଦାର ଭାବେ ଉପସ୍ଥାପିତ କରିଛି। ବିଜେଡିର ଏଭଳି ରଣନୀତିକୁ ବିଜେପିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ନାପସନ୍ଦ କରିବା ସହ କଡ଼ାଭାଷାରେ ସମାଲୋଚନା କରିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ରାଉତ କହିଛନ୍ତି ଯେ, ନବୀନବାବୁ ଏବେବି ମନକୁ ମନ ଦୁଇପଦ ଭାଷଣ ଦେଇପାରୁନାହାନ୍ତି। କାଗଜଲେଖା ଭାଷଣ ପଢ଼ୁଛନ୍ତି। ଯେଉଁମାନେ ନବୀନଙ୍କ ନାଁ ପ୍ରଧାନମନ୍ତ୍ରୀ ଭାବେ ଉଠାଉଛନ୍ତି ସେମାନେ କିଛି ଫାଇଦା ନେବା ଯୋଜନାରେ ଅଛନ୍ତି। ବିଜେଡି ନେତାମାନେ ବୋଧହୁଏ ସଂଖ୍ୟାର ଖେଳ ବୁଝିପାରୁନାହାନ୍ତି। ଲୋକସଭାରେ ଓଡ଼ିଶାର ଆସନ ସଂଖ୍ୟା ମାତ୍ର ୨୧। ସେଥିରୁ ବିଜେଡି କେତୋଟି ଜିତିବ, ତାହା ନଜାଣି ତାଙ୍କ ଦଳର ନେତାମାନେ ନବୀନଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ବୋଲି ଦାବି କଲେଣି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଷାଠିଏ ଦଶକରେ ନିଜେ ପ୍ରଧାନମନ୍ତ୍ରୀ ନେହରୁ ବିଜୁ ପଟ୍ଟନାୟକଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରିବାକୁ ଚାହିଁଥିଲେ। କିନ୍ତୁ ମହାରାଷ୍ଟ୍ରର ସଂଖ୍ୟା ଲବି ଆଗରେ ନେହରୁ ତାହା କରିପାରିନଥିଲେ। ନବୀନଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ବୋଲି କହିଥିବା ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ କଡ଼ା ସମାଲୋଚନା ଓ କଟାକ୍ଷ କରି ଡାକ୍ତର ରାଉତ କହିଛନ୍ତି ଯେ, “ନବୀନ ପ୍ରଧାନମନ୍ତ୍ରୀ ହେଲେ, ସୂର୍ଯ୍ୟଙ୍କୁ କେନ୍ଦ୍ରରେ ପେଟ୍ରୋଲିୟମ ମନ୍ତ୍ରୀ କରିବେ। ସୂର୍ଯ୍ୟ ପାତ୍ର ଏଠି ବେଶ୍ ଭଲ କାମ କରୁଛନ୍ତି। ପାରାଦୀପରେ ଅଏଲ ରିଫାଇନାରୀ ଅଛି। ସୂର୍ଯ୍ୟଙ୍କର ଭଲ ଦି’ ପଇସା ରୋଜଗାର ହେବ ।”
ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସୂର୍ଯ୍ୟଙ୍କୁ କଟାକ୍ଷ କରି କହିଛନ୍ତି, “ଯିଏ ନିଜକୁ ଚାକର ବୋଲି କହୁଛନ୍ତି ତାଙ୍କର ଷ୍ଟାଣ୍ଡାର୍ଡ ହିଁ ସେୟା। ସେ କେବଳ ନିଜର ସୁରକ୍ଷା ଓ ଚାକିରି ରକ୍ଷା କରିବା କଥା ଚିନ୍ତା କରନ୍ତି। ଅତୀତରେ ସେ କହିଥିଲେ କାଠପଥରର ଦିଅଁଙ୍କୁ ପୂଜିବା ଅପେକ୍ଷା ନବୀନଙ୍କୁ ପୂଜା କର। ତେଣୁ ସୂର୍ଯ୍ୟଙ୍କ ଭଳି ନେତାଙ୍କଠୁ ଅଧିକ କ’ଣ ଆଶା କରାଯାଇପାରେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
from Odisha Reporter http://bit.ly/2HqA91a
No comments:
Post a Comment