
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ସୋଶାଲ୍ ମିଡିଆରେ ପୋଷ୍ଟ କରିବା ବିଜେପିକୁ ମହଙ୍ଗା ପଡ଼ିଛି। ବିଜେପି ଯୁବ ମୋର୍ଚ୍ଚା ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ସୁପ୍ରିମକୋର୍ଟ ଏଭଳି ଆଚରଣ ପାଇଁ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ମେଟ୍ ଗାଲା ଇଭେଣ୍ଟ୍ ଫଟୋରେ ଏହି ବିଜେପି ନେତ୍ରୀ ଜଣଙ୍କ ମମତାଙ୍କ ମୁହଁକୁ ଯୋଡ଼ି ଫେସବୁକ୍ରେ ପୋଷ୍ଟ୍ କରିଥିଲେ, ଯାହା ଭାରି ବିକୃତ ଦେଖାଯାଉଛି। ଏହାକୁ ନେଇ ଟିଏମସି କର୍ମୀମାନେ ବିକ୍ଷୋଭ କରିବା ସହ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ।
ଏହାପରେ ପୁଲିସ୍ ପ୍ରିୟଙ୍କା ଶର୍ମାଙ୍କୁ ମେ’ ୧୦ରେ ଗିରଫ କରିଥିଲା। ଏହାପରେ ହାୱାଡ଼ା କୋର୍ଟ ପ୍ରିୟଙ୍କାକୁ ୧୪ ଦିନ ଯାଏ ପୁଲିସ୍ ରିମାଣ୍ଡରେ ପଠାଇଥିଲେ। କିନ୍ତୁ ପ୍ରିୟଙ୍କା ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଆଜି ପ୍ରିୟଙ୍କାଙ୍କ ଜାମିନ୍ ଆବେଦନର ଶୁଣାଣି କରି କହିଛନ୍ତି, “ଆମେ ଜାମିନ୍ ଦେବାକୁ ପ୍ରସ୍ତୁତ ଅଛୁ। କିନ୍ତୁ ଜାମିନ୍ ପାଇଁ ବିଜେପି ନେତ୍ରୀ ଜଣଙ୍କ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବା ଦରକାର। ପ୍ରିୟଙ୍କା ଜଣେ ରାଜନୀତିକ ବ୍ୟକ୍ତିବିଶେଷ। ଏବେ ଦେଶରେ ନିର୍ବାଚନର ଋତୁ ଚାଲିଛି। ଏଭଳି ସ୍ଥିତିରେ ଆମେ ଜଣେ ରାଜନେତାଙ୍କ ବିରୋଧରେ ଅପରାଧିକ ମାମଲା ଚଳାଇ ପାରିବୁ ନାହିଁ। ଆମେ କ୍ଷମା ମାଗିବାକୁ କହିଛୁ, କାରଣ ଏହା ନିର୍ବାଚନର ସମୟ। ସମସ୍ତଙ୍କର ବାକ୍ ସ୍ୱାଧୀନତା ରହିଛି।
ହେଲେ ବାକ୍ ସ୍ୱାଧୀନତା ଆଳରେ ଜଣଙ୍କର ଅଧିକାର ଏବଂ ମାନସମ୍ମାନକୁ ଆମେ କ୍ଷତି ପହଞ୍ଚାଇ ପାରିବା ନାହିଁ। ଏଭଳି ବିକୃତ ପୋଷ୍ଟ କରିବା ଦ୍ୱାରା ଜଣଙ୍କ ଆତ୍ମସମ୍ମାନ ଆଘାତ ପାଇଛି। ତେଣୁ ଆମେ ପ୍ରିୟଙ୍କା ଶର୍ମାଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଉଛୁ। ପ୍ରିୟଙ୍କା ଜାମିନରେ ଜେଲରୁ ବାହାରିବା କ୍ଷଣି ତୁରନ୍ତ ଲିଖିତ ଭାବେ କ୍ଷମା ମାଗିବେ।”
ଏଥିସହ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଏ ସମ୍ପର୍କରେ ନିଜର ପକ୍ଷ ରଖିବାକୁ ନୋଟିସ୍ ପଠାଇଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ପ୍ରିୟଙ୍କାଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ କହିଥିଲେ। ତେବେ ଶେଷରେ କୋର୍ଟ ପ୍ରିୟଙ୍କାଙ୍କ ଓକିଲ ଏନ୍କେ କୌଲଙ୍କୁ ଡାକି କେବଳ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟରେ ପ୍ରିୟଙ୍କାଙ୍କ ମା’ ନିଜର ଖୁସି ଜାହିର କରିଛନ୍ତି।
from Odisha Reporter http://bit.ly/2VWBKnD
No comments:
Post a Comment