
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜୁ ଜନତା ଦଳ ପ୍ରାର୍ଥୀ ଅର୍କେଶ କେଶରୀ ସିଂହଦେଓଙ୍କୁ ପ୍ରାୟ ୬ ହଜାର ଭୋଟରେ ହରାଇଛନ୍ତି।
ବିଜୟ ପରେ ନରସିଂହ ମିଶ୍ର କହିଛନ୍ତି,“ପ୍ରଥମେ ମୁଁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲାର ଭୋଟର ଭାଇ ଭଉଣୀଙ୍କୁ ଧନ୍ୟବାଦ ଦେବି। ତାଙ୍କ ନିର୍ଦ୍ଦେଶରେ ମୁଁ ପୁନର୍ବାର ନିର୍ବାଚନ ଲଢ଼ିଥିଲି। ଆଜିର ବିଜୟ ନରସିଂହ ମିଶ୍ରର ବିଜୟ ନୁହେଁ, ଏହା ବଲାଙ୍ଗିରବାସୀଙ୍କର ବିଜୟ। ବଲାଙ୍ଗିରବାସୀଙ୍କର ଯାହା ସବୁ ଆଶା ଆକାଂକ୍ଷା ଅଛି, ତାକୁ ପୂରଣ କରିବାକୁ ସମସ୍ତଙ୍କୁ ନେଇ ମିଳିତ ଭାବେ ଉଦ୍ୟମ କରିବି। ହୀନ ରାଜନୀତି କରିବା ନାହିଁ,କାଦୁଆ ଫିଙ୍ଗା ରଜନୀତି କରିବା ନାହିଁ। ଯଦି ମିଳିତ ଉଦ୍ୟମ ହୁଏ ଏହି ଅନୁନ୍ନତ ଅଞ୍ଚଳ ନିଶ୍ଚିତ ଭାବେ ଆଗାମୀ ଦିନରେ ଉନ୍ନତ ହେବ। ଏଥିରେ କୌଣସି ସନ୍ଦେହ ନାହିଁ।”
ସେ ଆହୁରି କହିଛନ୍ତି,“ ଯେଉଁମାନେ ମୋତେ ବିଧାନସଭାକୁ ପଠାଇଛନ୍ତି ତାଙ୍କ ପାଖକୁ ଯିବି। ସେମାନେ ଯାହା ନିର୍ଦ୍ଦେଶ ଦେବେ ତାକୁ ପ୍ରାଥମିକତା ଦିଆଯିବ। ସେହି ଅନୁସାରେ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିବ। ଲଢେଇ କରିବାକୁ ପଡ଼ିବ। ମୁଣ୍ଡିଆ ମାରି ହେଉ କିମ୍ୱା ଖୋସାମତ କରି ହେଉ ଆମର ଦାବି ଆସନ୍ତା ୫ ବର୍ଷ ଭିତରେ ପୂରଣ କରିବାକୁ ହେବ। ଯେଉଁମାନେ ମୋତେ ବିରୋଧ କରୁଥିଲେ ତାଙ୍କ ପ୍ରତି ମୋର କୌଣସି ପ୍ରକାର ରାଗ ଏବଂ ଅସନ୍ତୋଷ ନାହିଁ। ତାଙ୍କୁ ମୁଁ ଆହ୍ୱାନ କରୁଛି ଆସନ୍ତୁ ମିଳିତ ଭାବେ ଉଦ୍ୟମ କରି ବଲାଙ୍ଗିରର ଉନ୍ନତି କରିବା”
ସେ କହିଛନ୍ତି,“ ମୁଁ ଯେଉଁ ଦଳରେ ଅଛି ସେ ଦଳର ସଙ୍ଗଠନ ଓଡ଼ିଶାରେ ନିଶ୍ଚିତ ଭାବେ ଦୁର୍ବଳ। ତାକୁ ସବଳ କରିବାକୁ ହେବ। କିନ୍ତୁ ବଲାଙ୍ଗିରର ବିକାଶ, ଉନ୍ନତି ଓ ସମସ୍ୟା ରାଜନୀତିରୁ ଊର୍ଦ୍ଧ୍ୱରେ ରହିବ।”
from Odisha Reporter http://bit.ly/2QiHXF2
No comments:
Post a Comment