
ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ବିଜେପି ଗତଥର ଉତ୍ତର ପ୍ରଦେଶରେ ଯେଉଁ ରଣନୀତି ଆପଣାଇଥିଲା ସମାନ ରଣନୀତି ଏବେ ପଶ୍ଚିମବଙ୍ଗରେ ଆପଣାଇଛି। ଯେଉଁ କ୍ଷତି ଉତ୍ତର ପ୍ରଦେଶ ସମେତ ହିନ୍ଦୀ ହାର୍ଟ ଲ୍ୟାଣ୍ଡ(ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼)ରେ ହେବ, ତାର କ୍ଷତିପୂରଣ ପଶ୍ଚିମବଙ୍ଗ ଓ ଓଡ଼ିଶାରୁ କରିବ ବୋଲି ବିଜେପି ଆଶା ରଖିଛି।
ଚଳିତ ନିର୍ବାଚନରେ ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ରହିଛି। ଉତ୍ତର ପ୍ରଦେଶରେ ୨୭ଟି ଓ ପଶ୍ଚିମବଙ୍ଗରେ ୧୭ଟି ଆସନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯଥାକ୍ରମେ ୮ଟି ଓ ୭ଟି ରାଲି ରହିଛି। ଗତଥର ପଶ୍ଚିମବଙ୍ଗରୁ ମାତ୍ର ୨ଟି ଆସନ ବିଜେପି ଜିତିଥିବା ବେଳେ ଚଳିତଥର ଅଧାରୁ ଅଧିକ ଆସନ ଜିତିବ ବୋଲି ଦଳ ଦାବି କରିଛି।
ପଶ୍ଚିମବଙ୍ଗରେ ବିଜେପି ପାଇଁ ସବୁଠୁ ବଡ଼଼ ଚ୍ୟାଲେଞ୍ଜ ହେଉଛି ଉତ୍ତର ପ୍ରଦେଶ ଭଳି ତୃଣମୂଳସ୍ତରରେ ବିଜେପିର ସଂଗଠନ ନାହିଁ। ପଶ୍ଚିମବଙ୍ଗରେ ସଂଗଠନ ଏବେ ନୂଆ ହୋଇଥିବାରୁ କେତେ ଦୂର ଉତ୍ତର ପ୍ରଦେଶ ରଣନୀତି ପଶ୍ଚିମବଙ୍ଗରେ ପ୍ରଭାବ ପକାଇ ପାରିବ ତାହା ମେ ୨୩ରେ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡ଼ିବ।
୨୦୧୭ରେ ତ୍ରିପୁରା ବିଧାନସଭା ନିର୍ବାଚନରେ ସେତେବେଳର ଶାସକ ଦଳ ସିପିଆଇ (ଏମ୍)କୁ ହଟାଇ ଶାସନ ଭାର ଗ୍ରହଣ କରିଥିଲା ବିଜେପି। ଦୀର୍ଘବର୍ଷର ସରକାର ଓ ଅହଂକାର ବିରୋଧରେ ତ୍ରିପୁରବାସୀ ଭୋଟ ଦେଇ ବିଜେପି ସପକ୍ଷରେ ଜନାଦେଶ ଦେଇଥିଲେ ବୋଲି ଜଣାପଡ଼ିଥିଲା। ପଶ୍ଚିମବଙ୍ଗରେ ଟିଏମସି ସରକାର ପୂର୍ବରୁ ସିପିଆଇ(ଏମ) ସରକାର ଥିଲା। ହେଲେ ଅହଂକାର ଏବଂ ଦୁର୍ନୀତି ବିରୋଧରେ ଭୋଟ ଦେଇ ପଶ୍ଚିମବଙ୍ଗବାସୀ ଟିଏମସିକୁ ଜନାଦେଶ ଦେଇଥିଲେ। ଏବେ ପଶ୍ଚିମବଙ୍ଗରେ ମଧ୍ୟ ଶାସକ ଦଳ ଟିଏମସି ବିରୋଧରେ କ୍ଷମତା ବିରୋଧୀ ହାଓ୍ୱା ବଢୁଛି। ଏଥିପାଇଁ ବିକଳ୍ପ ଦଳ ଭାବେ ବିଜେପିକୁ ଏଠିକାର ଲୋକେ ଜନାଦେଶ ଦେବେ ବୋଲି ବିଜେପି ମହାସଚିବ ମୁରଲୀଧର ରାଓ୍ୱ କହିଛନ୍ତି। ଫଳାଫଳ ପ୍ରକାଶ ପାଇବାପରେ ବିଜେପି ଅଧିକରୁ ଅଧିକ ଆସନ ଜିତି ଇତିହାସ ସୃଷ୍ଟି କରିବ। ଯାହାର ପରିଣାମ ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତିଫଳନ ହେବ ବୋଲି ସେ କହିଛନ୍ତି।
from Odisha Reporter http://bit.ly/305RR17
No comments:
Post a Comment