
ସୁରତ: ୨୩ ଜଣଙ୍କ ଜୀବନ ନେଇଥିବା ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ସାରା ଦେଶରେ ଏବେ ନିର୍ବାଚନୀ ନିଆଁ ଭିତରେ ବି ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଧୀରେ ଧୀରେ ସେହି ଅପରାହ୍ଣ ସମୟର ଘଟଣାର ଟିକିନିଖି ଖବର ସାମ୍ନାକୁ ଆସୁଛି। ପୁଲିସ୍ ଏହି କୋଚିଂ ସେଣ୍ଟରର ମାଲିକଙ୍କୁ ଏବଂ ବିଲ୍ଡରଙ୍କୁ ଗିରଫ କରିସାରିଛି।
ମିଳିଥିବା ସୂଚନା ଅନୁଯାୟୀ ଇଣ୍ଟେରିଅର ଡିଜାଇନ୍ କୋଚିଂ କ୍ଲାସ୍ରୁ ପ୍ରଥମେ ନିଆଁ ଆରମ୍ଭ ହୋଇଥିଲା। ଏହାପରେ ତକ୍ଷଶିଳା କୋଚିଂ ସେଣ୍ଟର ଆଡ଼କୁ ଏହା ବ୍ୟାପିଥିଲା। ସେହି ସମୟରେ କୋଠାରେ ୫୦ରୁ ୬୦ ଜଣ ଥିଲେ। ସେମାନଙ୍କ ମଧ୍ୟରେ କେତେଜଣ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନ ପାଇଁ ଅପେକ୍ଷା କରିଥିଲେ।
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, “ହଠାତ ଦେଖିବାକୁ ପାଇଲି ଧୂଆଁ ମାଡ଼ିଆସୁଛି। କ’ଣ କରିବି କିଛି ବୁଝିପାରିଲିନି। ନିଶୁଣୀ ନେଇ ପିଲାଙ୍କୁ ଉଦ୍ଧାର କରିବା ଆରମ୍ଭ କଲି। ମୁଁ ୮-୧୦ ଜଣଙ୍କୁ ବଞ୍ଚାଇଦେଲି। ପରେ ଆଉ ୨ ଜଣଙ୍କୁ ବଞ୍ଚାଇଲି।”
ସେ କହିଥିଲେ, “ଫାୟାରଷ୍ଟେସନ୍ କୋଠାଠାରୁ ମାତ୍ର ୨ କିଲୋମିଟର ଦୂରରେ ଅଛି। କିନ୍ତୁ ଦମକଳ ଏତିକି ବାଟ ଆସିବାକୁ ୪୦ରୁ ୪୫ ମିନିଟ୍ ଲାଗିଗଲା। ଉଦ୍ଧାର ହୋଇପାରିଥିବା ଜଣେ ଛାତ୍ରୀଙ୍କ ବାପା କୁହନ୍ତି, ନିଆଁ ଲାଗିବା ସମୟରେ ମୋ ଝିଅ କୋଠା ଭିତରେ ଥିଲା। ଯଦିଓ ତାକୁ ଉଦ୍ଧାର କରାଯାଇପାରିଛି ସେ ଏବେ ନିଜର ମାନସିକ ସନ୍ତୁଳନ ହରାଇବସିଛି। ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ ଅଜୟ ପଟେଲ କୁହନ୍ତି, ଯଦି ଠିକ୍ ସମୟରେ ଅଗ୍ନିଶମବାହିନୀ ପହଞ୍ଚିପାରିଥାନ୍ତା ତା’ହେଲେ ହୁଏତ ଏତେ ସଂଖ୍ୟାରେ ମୃତାହତ ହୋଇନଥାନ୍ତେ। ଅନ୍ୟପକ୍ଷରେ ପାଣି ପାଇପ୍ର ପ୍ରେସର ଏତେ କମ୍ ଥିଲା ଯେ ତାହା ନିଆଁ ଲିଭାଇବାକୁ ଯଥେଷ୍ଟ ନଥିଲା।
ବର୍ତ୍ତମାନ ୧୫ ଜଣ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଗୁରୁତର ମଧ୍ୟ ଅଛନ୍ତି। ତେବେ ବିନା ଅନୁମତିରେ ମହଲା ପରେ ମହଲା ନିର୍ମାଣ କରିଥିବା କୋଠାର ମାଲିକଙ୍କ ନାମରେ ପୁଲିସ୍ ଏଫ୍ଆଇଆର ରୁଜୁ କରି ତାଙ୍କୁ ଗିରଫ କରିଛି। ସେ କୋଚିଂ ସେଣ୍ଟର ଚାଲିଥିବା ମହଲାରେ ବାଲ୍କୋନୀକୁ ଫାଇବର ତମ୍ବୁରେ ଘୋଡ଼ାଇଦେଇଥିବା ମଧ୍ୟ ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଛି।
from Odisha Reporter http://bit.ly/2EA4usq
No comments:
Post a Comment