
ଦଶମ ଶ୍ରେଣୀ ପରୀକ୍ଷା ସବୁ ପିଲାମାନଙ୍କ ପାଇଁ ସ୍ମରଣୀୟ ଓ ମହତ୍ୱପୂର୍ଣ୍ଣ। ଏହା ପରେ ପରେ ଜୀବନରେ ବହୁତ ବଡ଼ ବଡ଼ ପରୀକ୍ଷା ଭେଟିବାକୁ ଥିଲେ ମଧ୍ୟ ବାପାମାଆଙ୍କ ଠାରୁ ଆରମ୍ଭ କରି ପରିବାର ବର୍ଗ ସମସ୍ତେ ଭାବନ୍ତି ଯେ ଏହି ପରୀକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିରେ ଖରାପ କଲେ ସାରା ଜୀବନଟି ବୃଥା ହୋଇଯିବ। ସେଇଥି ପାଇଁ ପରୀକ୍ଷା ପୂର୍ବର ପରିଶ୍ରମ, ପରୀକ୍ଷା ସମୟର ଡର ଏବଂ ଫଳ କ’ଣ ହେବ ତାହକୁ ନେଇ ଆଶଙ୍କା ଛାତ୍ରଛାତ୍ରୀମାନଙ୍କୁ ସବୁ ସମୟରେ ଚିନ୍ତାଗ୍ରସ୍ତ କରିଦିଏ।
ଆଜି ବର୍ଷ ୨୦୧୯ ପାଇଁ ମାଟ୍ରିକ୍ ଫଳ ପ୍ରକାଶ ପାଉଥିବା ବେଳେ ପିଲାମାନେ କିଭଳି ଚିନ୍ତାଗ୍ରସ୍ତ ହେବେନାହିଁ, ଆରାମ୍ରେ ରେଜଲ୍ଟ ଜାଣିବେ ଏବଂ ସବୁ ଦିନ ପରି ସାଧାରଣ ଜୀବନ ବିତାଇବେ ତାହାକୁ ନେଇ ଚିକିତ୍ସା ମନୋବିଜ୍ଞାନୀ ନିବେଦିତା ମହାନ୍ତି ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଟିପ୍ସ-
କ’ଣ ସବୁ ଭୁଲ୍ ଆମେ କରିଥାଉ
– ପରୀକ୍ଷା ଆରମ୍ଭରୁ ଅନେକ କ୍ଷେତ୍ରରେ ବାପା, ମାଆ ପିଲାଙ୍କୁ ଏତେ ଅଧର୍ଯ୍ୟ କରିଦିଅନ୍ତି ଏବଂ ବିଭିନ୍ନ ସମୟରେ ପାଠକୁ ନେଇ ତାଗିଦ୍ କରନ୍ତି ଯେ, ଶେଷରେ ପିଲାଟି ପରୀକ୍ଷା ମଧ୍ୟ ଦେଇ ପାରେନାହିଁ।
– ଅନ୍ୟ ପିଲାମାଙ୍କ ସହ ତୁଳନା କରି ପିଲାଟିର ଦୋଷ, ଦୁର୍ବଳତାକୁ ବେଶି ସତେଜ୍ କରନ୍ତି। ଯାହାଦ୍ୱାରାକି ପିଲାଟି ଜାଣିଥିବା ପାଠକୁ ବି ଭୁଲ୍ କରି ବସେ।
– ପରୀକ୍ଷା ସମୟରେ ବାରମ୍ବାର ପ୍ରଶ୍ନପତ୍ରକୁ ଦେଖି ପିଲାଙ୍କଠାରୁ ଉତ୍ତର ଆଦାୟ କରିବା, କେତେ ମାର୍କ ଆସିବ ତାହାକୁ ନେଇ ଆକଳନ କରିବା, ଆଶାଠାରୁ କମ୍ ଅନୁମାନ କରାଗଲେ ଗାଳି କରିବା ଇତ୍ୟାଦିରେ ପିଲାଟିକୁ ଚାପଗ୍ରସ୍ତ କରାନ୍ତି।
– ପରୀକ୍ଷା ଶେଷ ହୋଇଗଲା ପରେ ମଧ୍ୟ ସବୁ ସମୟରେ ଫଳ କ’ଣ ଆସିବ ତାହାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରି ପିଲାଟି ମନରେ ଦୁଃଚିନ୍ତା ଭରିଦିଅନ୍ତି।
ଏହାର ପରିଣାମ କ’ଣ ହୁଏ
– ପ୍ରଥମତଃ ପିଲାଟି ମାତ୍ରାଧିକ ଭୟ ପାଇଯାଏ। ନିଜକୁ ସହଜ କରିପାରେ ନାହିଁ। ସବୁ ସମୟରେ ତାକୁ ତା’ ପରୀକ୍ଷା ଫଳ କ’ଣ ହେବ ସେଇ ଚିନ୍ତା ହିଁ ମାଡ଼ି ବସେ।
– ବାପା, ମାଆ, ସାଙ୍ଗ ସାଥୀ ତଥା ନିଜ ପ୍ରିୟ ପରିଜନଙ୍କ ସହ ନମିଶି ଏକଲା ବୁଲିବାକୁ ପିଲାଟି ପସନ୍ଦ କରେ।
– ଅନ୍ୟ ପିଲାଙ୍କ ସହ ତୁଳନା କରିବା ଦ୍ୱାରା ପିଲାଟି ନିଜକୁ ମାନସିକସ୍ତରରେ ସୁରକ୍ଷିତ ଭାବେ ନାହିଁ। ସେ ଭାବେ ଯେ, ଯଦି ମୁଁ ମୋ ସାଙ୍ଗ ସହିତ ବୁଲିବି ଓ ମୋ ବାପା, ମାଆ ଆମକୁ ଦେଖିବେ ତେବେ ଦୁହିଁଙ୍କ ମଧ୍ୟରେ ତୁଳନା କରିବା ଆରମ୍ଭ କରିଦେବେ ଏବଂ ମତେ ଗାଳି କରିବେ।
– ଅନେକ ସମୟରେ ପିଲାମାନେ ଏତେ ଏକୁଟିଆ ହୋଇ ରହିବାକୁ ଚାହଁଆନ୍ତି ଯେ, କେହି କେହି ଘର ଛାଡ଼ି ଚାଲିଯିବାକୁ ବି ଉଦ୍ୟମ କରନ୍ତି।
– ଯଦି ପରୀକ୍ଷାରେ କିଛି ଖରାପ ହେବ ବାପା, ମାଆ କ’ଣ କହିବେ, କି ଦଣ୍ଡ ଦେବେ ସେ ଡରରେ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ଅନେକେ ପଛାନ୍ତି ନାହିଁ। ଏଭଳି ଘଟଣା ଘଟୁଛି।
ଏଥିରୁ ମୁକ୍ତି ମିଳିବ କିପରି
–ବାପା ମାଆ ପ୍ରଥମେ ଜାଣି ରଖିବା ଉଚିତ୍ ଯେ ପିଲାଟିର ପରୀକ୍ଷା ଫଳ ସବୁ କିଛି ନୁହେଁ, ଗୋଟିଏ ମାତ୍ର ପରୀକ୍ଷା ବଡ଼ କଥା ନୁହେଁ। ପରୀକ୍ଷା ଜୀବନରେ ଅନେକ ଆସିବ। କିନ୍ତୁ ପିଲାଟି ଯଦି ଭୁଲ୍ରେ ବି କିଛି କରିବସେ ତେବେ ତାହା ସବୁଠାରୁ ବଡ଼ କ୍ଷତି ହେବ।
– ପିଲାଙ୍କ ସହ ଏଭଳି ମିଶନ୍ତୁ ଯାହାଦ୍ୱାରା କି ପିଲାମାନେ ସବୁ କଥା ବାପାମାଆଙ୍କୁ ଜଣାଇବାକୁ ଖୁସି ହେବେ। ଭୟ କରିବେ ନାହିଁ।
– ବାପା ମାଆ ପିଲାଙ୍କୁ ଏଭଳି ବ୍ୟବହାର କରିବା ଦରକାର ଯଦ୍ୱାରା ପିଲାଟି ଭାବିବ ଯେ, ମୋ ବାପା ମାଆ ମତେ ବେଶି ଗୁରୁତ୍ୱ ଦେଉଛନ୍ତି ମୋ ପରୀକ୍ଷା ବ୍ୟତୀତ।
– ପ୍ରତିଟି ସମସ୍ୟାର ସମାଧନ ଅଛି। ତେଣୁ ପରୀକ୍ଷା ଫଳକୁ ନେଇ କୌଣସି ଚିନ୍ତା କରିବାର ନାହିଁ। କେବଳ ଫାଷ୍ଟକ୍ଲାସ୍ ଫାଷ୍ଟ୍ ହେବା ବଡ଼ ଉପଲବ୍ଧି ନୁହେଁ। ଏହି ଭଳି ଉପଦେଶ ଦେବା ଦରକାର। ଫଳରେ ପିଲାମାନେ ଆଗକୁ ଉତ୍ସାହିତ ହେବେ। ତାଙ୍କ ଭିତରେ ଥିବା କୁଶଳତା ବା ସୃଜନଶୀଳତା ବଢ଼ିବ। ଆଗାମୀ ଦିନରେ ତାହାକୁ ପ୍ରତିପାଦିତ କରିବା ପାଇଁ ପ୍ରୟାଶ କରିବେ।
– ଆମେ ତୋ ସମସ୍ୟାର ସମାଧାନ କରିବା ପାଇଁ ଅଛୁ। ବାପା, ମାଆ ପିଲାଙ୍କୁ ଏଭଳି ସାହାସ ଦେବା ଦରକାର।
– ପିଲାଙ୍କ ପାଖରେ କୌଣସି ନିର୍ଦ୍ଦିଷ୍ଟ ଟାର୍ଗେଟ୍ ରଖନ୍ତୁ ନାହିଁ, ତୁ ଏତିକି ମାର୍କ ରଖିଲେ ଯାଇ ଭଲ କଲେଜ୍ରେ ନାମ ଲେଖାଇ ପାରିବୁ, ଏଭଳି କୌଣସି କଥା କୁହନ୍ତୁ ଆହିଁ।
– ଅନ୍ୟ କାହା ସହିତ ତୁଳନା କରନ୍ତୁ ନାହିଁ। ତୋ ସାଙ୍ଗ ଅଧିକ ନମ୍ବର ରଖିଲା ତୁ କାହିଁକି ରଖିପାରିଲୁ ନାହିଁ। ଏଭଳି କହି ପିଲାଟିକୁ ମାନସିକ ସ୍ତରରେ ଭାରାକ୍ରାନ୍ତ କରନ୍ତୁ ନାହିଁ।
from Odisha Reporter http://bit.ly/2LUWBUo


No comments:
Post a Comment