‘ଟିଭିରେ ନ୍ୟୁଜ୍ ପଢୁଥିବା ବେଳେ ଫୋନିର କ୍ରୋଧ ଦେଖି ଆତଙ୍କିତ ହୋଇପଡୁଥିଲି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

‘ଟିଭିରେ ନ୍ୟୁଜ୍ ପଢୁଥିବା ବେଳେ ଫୋନିର କ୍ରୋଧ ଦେଖି ଆତଙ୍କିତ ହୋଇପଡୁଥିଲି’

ଇତି ମଧ୍ୟରେ ବାତ୍ୟା ଫୋନିକୁ କିଛିଦିନ ବିତିଗଲାଣି। ଅଫିସ ରୁଟିନ୍‌ରୁ କିନ୍ତୁ ଫୁରସତ ମିଳିପାରିନି। ଗରମରେ ହାତ ପଙ୍ଖାଟି ବୁଲାଉ ବୁଲାଉ ହ୍ୱାଟ୍ସଆପ୍‌ରେ ମେସେଜଟିଏ ଆସିଲା। ଆମ ଡିଜିଟାଲ ଡିପାର୍ଟମେଣ୍ଟରୁ ସମସ୍ତଙ୍କୁ ପରାମର୍ଶ ଥିଲା, ଫୋନିର ଅନୁଭୂତି ଶେୟାର କରିବାକୁ। ପାଣି, ଲାଇନ୍ର ଅଭାବ ଓ ଗରମ ଗୁଳୁଗୁଳି ଭିତରେ ଭାବିଲି, କି ଅନୁଭୂତି ଆଉ ଲେଖିବି। ଅନ୍ଧକାରରେ ବାଲକୋନିରେ ବସି ମୋବାଇଲ୍ ଟର୍ଚ୍ଚଟି ଅନ୍ କଲାବେଳେ ପୁଣିଥରେ ସେଇ ମେସେଜ୍ ନଜରକୁ ଆସିଲା। କାହିଁକି କେଜାଣି ଏଥର ‘ଫୋନି’ର ଅନୁଭୂତି ଲେଖି ବସିବାକୁ ମନ ଟାଣିଲା।

‘ବାତ୍ୟା’ ଶବ୍ଦଟି ଶୁଣିବା ମାତ୍ରେ କାହିଁକି କେଜାଣି ଏକ ଅଜଣା ଭୟ ଓ ଆତଙ୍କରେ ଛାତି ମୋର ଧଡ଼ଧଡ଼ ହୁଏ। କାରଣ ମୁଁ ହେଉଛି ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିକଟସ୍ଥ ସମୁଦ୍ରକୂଳିଆ ଗାଁର ଝିଅ। ଯିଏ ଛୋଟବେଳେ ୧୯୯୯ ମସିହାର ମାହାବାତ୍ୟାକୁ ଅତି ନିକଟରୁ ଦେଖିଛି।

ସେତେବେଳେ ମୁଁ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲି। ମହାବାତ୍ୟା ମୋ ଅଂଚଳରୁ ନେଇଯାଇଥିଲା ପ୍ରାୟ ୫୦୦ ମୁଣ୍ଡ। ସମୁଦ୍ରରୁ ମାଡ଼ି ଆସିଥିବା ଉତ୍ତାଳ ଜୁଆରରେ ଆମ ଅଂଚଳର କେତେ ଯେ କ୍ଷୟକ୍ଷତି ହୋଇଥିଲା, ତାହା କହିବା ମୁସ୍କିଲ। ସୌଭାଗ୍ୟବଶତଃ ଆମେ ବଂଚିଗଲୁ। ପରେ ସମୟର ସ୍ରୋତରେ ସାମ୍ୱାଦିକତା କ୍ଷେତ୍ରକୁ ଆସିଲି। ଏହା ଭିତରେ ଫାଇଲିନ, ହୁଡହୁଡ ଓ ତିତିଲି ପରି ଅନେକ ବାତ୍ୟା ଖବର, ଟିଭି ପରଦାରେ ପଢିବାର ସୁଯୋଗ ପାଇଛି।

ସାଧାରଣ ଦର୍ଶକଙ୍କ ପରି ମୁଁ ବି ଭାବୁଥିଲି ଯେ, ଭୁବନେଶ୍ୱରରେ ହେଉଥିବା ପବନଠାରୁ ମିଡିଆର ପବନ ଟିକେ ଅଧିକ। ମାତ୍ର ଏକଥା ବି ଉପଲବ୍ଧି କରୁଥିଲି ଯେ, ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଆଧାରରେ ହିଁ ଗଣମାଧ୍ୟମ ସଂସ୍ଥାମାନେ ଦର୍ଶକଙ୍କୁ ସଚେତନ କରାଉଛନ୍ତି।

ସେ ଯାହା ବି ହେଉ, ବାତ୍ୟା ପୂର୍ବଦିନ ନ୍ୟୁଜ ପଢିସାରି ଘରକୁ ଫେରିଲା ବେଳକୁ ରାତି ପ୍ରାୟ ୧୦ଟା। କ’ଣ ଟିକେ ଖାଇ ଦେଇ ଶୋଇପଡ଼ିଲି। ହଠାତ୍ ଭୋର୍ ୫ଟାରେ କବାଟ ଠକ୍ ଠକ୍ ହେଲା। ଫୋନ୍ ଲାଗୁନଥିଲା। ଖବର ଆସିଥିଲା, ସକାଳ ୬ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଫୋନି ବୁଲେଟିନ। ମତେ ହିଁ ପଢ଼ିବାକୁ ପଡ଼ିବ ଖବର।

ପ୍ରସ୍ତୁତ ହୋଇ ଅଫିସ ବାହାରି ଗଲି। ବର୍ଷା ସାଙ୍ଗକୁ ପବନ ବହୁଥାଏ। ଅଫିସରେ ପହଞ୍ଚିବା ପରେ ଚାଲିଲା ନନ୍ ଷ୍ଟପ୍ ନ୍ୟୁଜ ପଢ଼ା। ୬ଟାରୁ ସକାଳ ୯ଟା। ଏହି ସମୟ ମଧ୍ୟରେ ବାତ୍ୟା ଫୋନି ସ୍ଥଳଭାଗ ଛୁଇଁ ସରିଥାଏ। ପ୍ରତିକୂଳ ପରିସ୍ଥିତିରେ ପୁରୀ, ସାତପଡ଼ା ଓ ଚନ୍ଦ୍ରଭାଗାରୁ ରିପୋର୍ଟର ବନ୍ଧୁମାନେ ଯେଭଳି ନ୍ୟୁଜ ଅପଡେଟ୍ ଦେଉଥିଲେ, ସତରେ ସେମାନଙ୍କୁ ସାଲ୍ୟୁଟ। ପରିବାରକୁ ପଛରେ ପକାଇ, ରିପୋର୍ଟରଙ୍କଠାରୁ ଆରମ୍ଭ କରି, କ୍ୟାମେରାମ୍ୟାନ ଓ ନ୍ୟୁଜ ଡେସ୍କର ସବୁ ସାଥୀମାନେ ରାତି ଅନିଦ୍ରା ରହି ଲୋକଙ୍କୁ ଦେଇଚାଲିଥିଲେ ବାତ୍ୟାର ଖବର।

୧୧ଟା ବେଳକୁ ନ୍ୟୁଜ ପଢ଼ିବା ପାଇଁ ପୁଣି ପାଳି ପଡ଼ିଲା। ସେତେବେଳକୁ ଘର ଲୋକଙ୍କ କଥା ମନେ ପଡୁଥାଏ। ଏତେ ପବନରେ କେମିତି ଅଛନ୍ତି ସେମାନେ? ଆଶା ଆଶଙ୍କା ଭିତରେ ଷ୍ଟୁଡିଓ ଭିତରେ ପାଦ ଦେଲି। ସେତେବେଳକୁ ଭୁବନେଶ୍ୱରରେ ତାଣ୍ଡବ ରଚୁଥିଲା ଫୋନି।

ଆମ ଅଫିସ୍ ପାଖାପାଖି ଅବସ୍ଥା ବି ଖୁବ ଭୟଙ୍କର ହୋଇପଡ଼ିଥାଏ। ପାଖରେ ଥିବା ବସ୍ତିରେ ବିପଦ ମୁହଁକୁ ଠେଲି ହୋଇଯାଇଥାଏ ଲୋକଙ୍କ ଜୀବନ। ଚୂଲି ଚାଳ ସବୁ ଏକାକାର। ସେ ସବୁ ଚିତ୍ର ଝଲସି ଉଠିଲା ଟିଭି ପରଦାରେ। ଲାଇଭ କଭରେଜ୍। ପବନ ମାଡରେ ବେହାଲ ବସ୍ତି ବାସିନ୍ଦା। ସେମାନଙ୍କୁ ସାହାରା ଦେଇଥିଲା ଆମରି କାର୍ଯ୍ୟାଳୟର କିଛି ସୁରକ୍ଷାକର୍ମୀ ଓ ଅନ୍ୟ କର୍ମଚାରୀ।

ପବନରେ ଜଣେ ଜଣେ କିଛି ଫୁଟ ଦୂରକୁ ଉଡ଼ିଯିବାର କରୁଣ ଦୃଶ୍ୟ ବି ଝଲସି ଉଠୁଥିଲା ଟିଭି ପରଦାରେ। ନ୍ୟୁଜ୍ ପଢ଼ିବା ବେଳେ ବି ସେ ସବୁ ଦୃଶ୍ୟ ଦେଖି ମୁଁ ଅନ୍ୟମନସ୍କ ହୋଇଯାଉଥାଏ। ସାହସିକତା ପ୍ରଦର୍ଶନ ପୂର୍ବକ ଆମର କିଛି ସୁରକ୍ଷା କର୍ମୀ ସେମାନଙ୍କୁ ଉଦ୍ଧାର କରିଥିଲେ ଏକ ଦଉଡ଼ି ବାନ୍ଧି। ବସ୍ତି ବାସିନ୍ଦା ଆଶ୍ରୟ ନେଇଥିଲେ ଆମରି ଅଫିସରେ।

୧୯୯୯ ମହାବାତ୍ୟା ବେଳକୁ ମୁଁ ସିନା ଛୋଟ ପିଲାଟିଏ ହୋଇଥିଲି ବୋଲି ବାହାରକୁ ବାହାରି ନଥିଲି, ମାତ୍ର ଫୋନିର ଏ ଦୃଶ୍ୟ ମୋତେ କାହିଁକି କେଜାଣି ବସ୍ତିବାସିନ୍ଦାଙ୍କୁ ସାହାଯ୍ୟ କରିବାକୁ ବ୍ୟଗ୍ର କରୁଥିଲା। ସାରା ବିଶ୍ୱକୁ ନିରନ୍ତର ଭାବେ ଆମେ ସେତେବେଳେ ଦେଖାଉଥିଲୁ ବାତ୍ୟାର କରାଳ ରୂପ। ମୋତେ କାହିଁକି ଲାଗିଲା ସୀମାନ୍ତରେ ଜଗିଥିବା ଯବାନ୍‌ଙ୍କ ପରି ଆମର ସୁରକ୍ଷା କର୍ମୀଙ୍କ ଦେହରେ ସିନା ସେନା ପୋଷାକ ନଥିଲା, ମାତ୍ର ସେମାନଙ୍କ କାମ କିନ୍ତୁ ଯବାନ୍‌ଙ୍କଠାରୁ କିଛି କମ୍‌ ନଥିଲା। ବାସ୍ତବରେ ସେମାନେ ହିଁ ଥିଲେ ରିଅଲ ହିରୋ।



from Odisha Reporter http://bit.ly/2VP9Vyh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages