ଲଣ୍ଡନ: ବିଶ୍ୱକପ୍ର ଅସଲ ଲଢ଼େଇ ପୂର୍ବରୁ ଟିମ୍ ଇଣ୍ଡିଆ ଅଭ୍ୟାସ ମ୍ୟାଚ୍ରେ ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧୱନଙ୍କ ଖରାପ ଫର୍ମକୁ ନେଇ ଚିନ୍ତାରେ ପଡ଼ିଛି। ଉଭୟ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ତେବେ ପୂର୍ବରୁ ୪ନଂ ସ୍ଥାନରେ କିଏ ବ୍ୟାଟିଂ କରିବ, ତା’କୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି କହିଲେ ଚଳେ। କାରଣ ଏହି ସ୍ଥାନ ପାଇଁ କେଏଲ୍ ରାହୁଲ ପ୍ରବଳ ଦାବିଦାର ରହିଛନ୍ତି।
ବିଶ୍ୱକପ୍ ସ୍କ୍ୱାଡ୍ରେ ଅମ୍ବାତି ରାୟୁଡୁଙ୍କ ବଦଳରେ କେଏଲ ରାହୁଲ ଓ ବିଜୟ ଶଙ୍କରଙ୍କୁ ୪ ନଂ ସ୍ଥାନ ପାଇଁ ଚୟନ କରାଯାଇଥିଲା। ରାହୁଲଙ୍କୁ ଅଭ୍ୟାସ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୪ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଦେଇଥିଲା। ସେ ବାଂଲାଦେଶ ବିପକ୍ଷ ଅଭ୍ୟାସ୍ ମ୍ୟାଚ୍ରେ ଶତକ ହାସଲ କରି ଏହି ସ୍ଥାନ ପାଇଁ ସେ ହିଁ ଉପଯୁକ୍ତ ବୋଲି ପ୍ରମାଣ କରି ଦେଖାଇଛନ୍ତି।
ଅଧିନାୟକ ବିରାଟ୍ କୋହଲି ମଧ୍ୟ ରାହୁଲ ୪ ନଂ ପାଇଁ ଫିଟ୍ ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି। ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ରାହୁଲ ୯୯ ବଲରେ ୧୦୮ ରନର ଇନିଂସ୍ ଖେଳିଥିଲେ। ଫଳରେ ଭାରତ ପ୍ରତିପକ୍ଷ ବାଂଲାଦେଶକୁ ୯୫ରେ ପରାସ୍ତ କରିଥିଲା।
ବିରାଟ୍ ମ୍ୟାଚ୍ ପରେ କହିଛନ୍ତି,“କେଏଲ୍ ଯେଉଁଭଳି ଭାବେ ୪ନଂରେ ଆସି ଅଭ୍ୟାସ ମ୍ୟାଚ୍ରେ ବ୍ୟାଟିଂ କଲେ, ତାହା ଆମ ପାଇଁ ସକାରାତ୍ମ ପରିବେଶ ସଷ୍ଟି କରିଛି।
ଟିମ୍ରେ ଥିବା ସମସ୍ତ ସଦସ୍ୟ ସେମାନଙ୍କ ଭୂମିକା ସମ୍ପର୍କରେ ଭଲ ଭାବେ ଅବଗତ । ରାହୁଲ ରନ ସଂଗ୍ରହ କରିବା ଆମକୁ ଆଶ୍ୱସ୍ତ କରିଛି। ଏମ୍ଏସ୍ ଓ ହାର୍ଦ୍ଦିକ ମଧ୍ୟ ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି। ଯାହା ବିଶ୍ୱକପ୍ରେ ଆମକୁ ସହାୟକ ହେବ।”
ଟିମ୍ର ଦୁଇ ଓପନର ଶିଖର ଧୱନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧ ରନ୍ କରିଥିବା ବେଳେ ବାଂଲାଦେଶ ବିପକ୍ଷରେ ୨ ରନ୍ କରିଛନ୍ତି। ସେହିପରି ରୋହିତ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ରେ ୨ ଓ ବାଂଲାଦେଶ ବିପକ୍ଷରେ ୧୯ ରନ୍ କରିବାକୁ ସକ୍ଷମ ହୋଇଥିଲେ।
ଏ ସମ୍ପର୍କରେ ବିରାଟ୍ କହିଛନ୍ତି, “ଆମେ ଦୁଇଟି ଯାକ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିଲୁ। ଏହା ଆମ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ଶିଖର ଓ ରୋହିତ ହେଉଛି ଦକ୍ଷତା ସମ୍ପନ୍ନ ଖେଳାଳି। ସେମାନେ ଆଇସିସିର ଇଭେଣ୍ଟରେ ନିଜର ଚମକ ଦେଖାଇଛନ୍ତି। ଆମେ ଉଭୟଙ୍କ ଫର୍ମକୁ ନେଇ ଆଦୌ ଚିନ୍ତିତ ନାହୁଁ। ଦୁଇଟି ଯାକ ମ୍ୟାଚ୍ରେ ପ୍ରକୃତରେ ଆମେ ଚେଜ୍ କରିବାକୁ ଚାହୁଁଥିଲୁ। କିନ୍ତୁ ଆମକୁ ବ୍ୟାଟିଂ କରିବାକୁ ପଡ଼ିଲା। ସେ ଯାହା ହେଉ ଆମକୁ ବିଶ୍ୱକପ୍ରେ ସବୁ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ।”
ବିରାଟ୍ ଦୁଇ ରିଷ୍ଟ ସ୍ପିନର କୁଲଦୀପ ଏବଂ ଚହଲଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଗତକାଲି ମ୍ୟାଚ୍ରେ ଉଭୟ ମିଳିତ ଭାବେ ୬ଟି ୱିକେଟ୍ ଦଖଲ କରିଥିଲେ।
from Odisha Reporter http://bit.ly/2EFc0Cq
No comments:
Post a Comment