ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପ୍ରଥମେ ପ୍ରେମ। ତା’ପରେ ବାହା ହେବାର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ। ଆଉ ଏବେ ଧୋକା ଦେଇ ପ୍ରେମିକାକୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ପ୍ରେମିକ। ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଟାଉନ ଥାନା ଅଞ୍ଚଳରେ।
ପୂରା ଘଟଣା ଏମିତି। ବର୍ଷକ ତଳେ ବୌଦ୍ଧ ଜିଲ୍ଲା ବଘିଆପଡା ଥାନା ଅଞ୍ଚଳରେ ଜଣେ ଝିଅ ଚୁମ୍କି(ଛଦ୍ମନାମ) ବଲାଙ୍ଗିରରେ ଏକ ଶପିଂ ମଲ୍ରେ କାମ କରୁଥିଲେ। ଏହି ସମୟରେ ସେ ଗାନ୍ଧିନଗର ପଡ଼ାର ଜଣେ ଯୁବକଙ୍କ ସଂସ୍ପର୍ଶ ଆସିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିନ୍ତୁ ଚୁମ୍କି ଜାଣିପାରିନଥିଲା ପ୍ରେମିକଙ୍କ ଚାଲ୍। ଅନାୟସରେ ନିଜକୁ ତା’ ପାଖରେ ସମର୍ପି ଦେଇଥିଲେ। ଏହାର ସୁଯୋଗ ନେଇ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ପ୍ରବର ଚୁମ୍କିଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। କିଛି ଦିନ ପରେ ପ୍ରେମିକା ଗର୍ଭବତୀ ହେବାରୁ ପ୍ରେମିକ ବେଆଇନ ଭାବରେ ଔଷଧ ଦେଇ ତା’ ଗର୍ଭନଷ୍ଟ କରାଇଥିବା ଅଭିଯୋଗ ହୋଇଛି।
ଗର୍ଭ ନଷ୍ଟ ପରେ ପ୍ରେମିକ ଧୀରେ ଧୀରେ ଚୁମ୍କିଙ୍କ ପାଖରୁ ଦୂରେଇ ଯାଇଥିଲେ। ଆଉ ଜଣେ ଝିଅକୁ ସେ ବାହା ହେବା ପାଇଁ ଯୋଜନା କରୁଥିଲେ। ଯାହା ଜାଣିପାରି ଚୁମ୍କି ଏହାର ବିରୋଧ କରିବା ସହିତ ଗତ ୨୫ ତାରିଖରେ ଥାନାର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ପୁଲିସ ଚୁମ୍କିର ଆପତ୍ତି ଶୁଣି ନଥିବା ଅଭିଯୋଗ ହୋଇଛି।
ଚୁମ୍କି ଥାନାର ଦ୍ୱାରସ୍ଥ ହୋଇଥିବା ଜାଣି ପ୍ରେମିକ ପ୍ରବର ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। ଗତକାଲି ସନ୍ଧ୍ୟାରେ ସେ ତାର ଦୁଇଜଣ ସାଙ୍ଗଙ୍କ ସହିତ ଯାଇ ଚୁମ୍କି ରହୁଥିବା ଭଡ଼ା ଘରେ ପହଞ୍ଚିଥିଲେ। ପରେ ତାଙ୍କୁ ବ୍ଳେଡ୍ରେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ଏହି ଆକ୍ରମଣରେ ଚୁମ୍କିଙ୍କ ବାମ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକତ୍ସା ପରେ ସେ ଗତକାଲି ରାତିରେ ଟାଉନଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ହତ୍ୟା ଧମକ ଦିଆଯାଇଥିବାରୁ ତାଙ୍କୁ ପୁଲିସ ସୁରକ୍ଷା ଯୋଗାଇଦେବା ସହିତ ନ୍ୟାୟ ଦେବାକୁ ଚୁମ୍କି ପୁଲିସକୁ ଅନୁରୋଧ କରିଛନ୍ତି।
ବଲାଙ୍ଗିର ଟାଉନ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2Xkw5oV
No comments:
Post a Comment